ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଅଧ୍ୟକ୍ଷ କରିବାକୁ ଚାହୁଁଛି କଂଗ୍ରେସ, ସେ ମନାକଲେ କର୍ମୀ ନିରାଶ ହେବେ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ
22/08/2022 at 11:18 PM

ନୂଆଦିଲ୍ଲୀ: କଂଗ୍ରେସରେ କୌଣସି ପରିବର୍ତ୍ତନ ହେଲା ଭଳି ଦେଖାଯାଉ ନାହିଁ। ଯାହାର ଫାଇଦା ନେଉଛି ବିଜେପି। ଆଗକୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଥିବା ବେଳେ ଦଳର ନେତୃତ୍ୱ ଗାନ୍ଧୀ ପରିବାର ହାତରୁ ଯିବ ନାହିଁ ବୋଲି ଜଣାପଡ଼ୁଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ। ସୋମବାର ସେ ଏ ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ହୁଅନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି “ ଦଳର କର୍ମକର୍ତ୍ତାଙ୍କ ଭାବାବେଗକୁ ବିଚାର କରି ରାହୁଲ ଗାନ୍ଧୀ ଏହି ଦାୟିତ୍ୱକୁ ଗ୍ରହଣ କରିବା ଉଚିତ୍।” ସେ କହିବାକୁ ଚାହିଁଛନ୍ତି ଯେ ଯଦି ରାହୁଲ ଗାନ୍ଧୀ ଦାୟିତ୍ୱ ନେବାକୁ ମନା କରନ୍ତି ତେବେ ଏହା ଦେଶର ସମସ୍ତ କଂଗ୍ରେସ କର୍ମୀଙ୍କୁ ନିରାଶ କରିବ। ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବା ପାଇଁ ଦଳ ଭିତରେ ସମର୍ଥନ ରହିଛି ବୋଲି ଗେହେଲୋଟ କହିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ପଦ ବାଛିବା ପ୍ରକ୍ରିୟା ଅଗଷ୍ଟ ୨୧ ତାରିଖରୁ ଆରମ୍ଭ ହୋଇଯିବ। ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ବୋଲି କଂଗ୍ରେସ ନିର୍ବାଚନ ଅଧିକାରୀ କହିଛନ୍ତି। ସୂଚନା ଥାଉକି, ସୋନିଆ ଗାନ୍ଧୀ ଦଳର ସଭାପତି ହେବାକୁ ଆଉ ଚାହୁଁ ନାହାନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ଦର୍ଶାଇ ସେ ଏହି ଦାୟିତ୍ୱରୁ ଦୂରେଇ ରହିବାକୁ ଆଗରୁ କହି ସାରିଛନ୍ତି।
ବର୍ତ୍ତମାନ ସୋନିଆ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଛନ୍ତି। କାରଣ ୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ କଂଗ୍ରେସ ଅଧ୍ୟକ୍ଷ ଥିବା ରାହୁଲ ଗାନ୍ଧୀ ନିଜ ମୁଣ୍ଡରେ ପରାଜୟ ଦୋଷ ଲଦି ୨୦୧୯ ଜୁଲାଇରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେହିଦିନ ଠାରୁ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ପଦରେ ଅଛନ୍ତି।
ତେବେ ମାର୍ଚ୍ଚ ୨୦୨୨ରେ ଉଦୟପୁରରେ କଂଗ୍ରେସର ଏକ ବଡ଼ ବୈଠକ ବସିଥିଲା। ଏଥିରେ ସୋନିଆ ନିର୍ବାଚନର ପରାଜୟ ପାଇଁ ଦାୟୀ କରି ରାହୁଲ ଓ ପ୍ରିୟଙ୍କା ସହ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ହେଲେ ପରେ ତାଙ୍କୁ ଆଉ କିଛି ସମୟ ଦାୟିତ୍ୱରେ ରହିବାକୁ କୁହାଯାଇଥିଲା। ତେବେ ସେହିଦିନ ଠାରୁ ଦଳର ନୂଆ ଅଧ୍ୟକ୍ଷ କିଏ ହେବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।
ତେବେ କିଛି ବରିଷ୍ଠ କଂଗ୍ରେସ ନେତାଙ୍କ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟତା ଯୋଗୁ ଦଳର ଯୁବ ନେତା ମୁହଁ ଖୋଲିପାରୁ ନାହାନ୍ତି। ଯାହାଦ୍ୱାରା ଗାନ୍ଧୀ ପରିବାରରେ ହିଁ ରହିଯାଉଛି ଦଳର ଡୋର। ଏହାକୁ ନେଇ ଅନେକ ନେତା ଅସନ୍ତୋଷ ଥିଲେ ବି ସବୁ ନିରବ। ଏଥିପାଇଁ କିଛି ବରିଷ୍ଠ ନେତା ଦଳ ବିଭିନ୍ନ ପଦରୁ ଇସ୍ତଫା ବି ଦେଇସାରିଲେଣି। ଆଉ ଏହିସବୁ ପରିସ୍ଥିତରି ଫାଇଦା ନେଇ ବିଜେପି ଲୋକଙ୍କ ପାଖରେ କଂଗ୍ରେସ ଦୁର୍ବଳତା ପଦାରେ ପକାଇ କ୍ଷମତା ଦଖଲ କରିବାରେ ସଫଳ ହେଉଛି। ଲୋକେ କେନ୍ଦ୍ର ନେତୃତ୍ୱରେ ଦୃଢ଼ ଚେହେରା ନ ପାଇ ବିଜେପିକୁ ଭୋଟ୍ ଦେଉଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।