କଂଗ୍ରେସ ପାଳିବ କିଷାନ ବିଜୟ ଦିବସ, ସହିଦ କୃଷକଙ୍କୁ ଦେବ ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | November 20, 2021 IST

ନୂଆଦିଲ୍ଳୀ ୨୦।୧୧ : ଶନିବାର ଦିନ ଅର୍ଥାତ୍‌ ଆଜି କଂଗ୍ରେସ କିଷାନ ବିଜୟ ଦିବସ ପାଳିବ। ଗତ ବର୍ଷ ତିନୋଟି କୃଷି ଆଇନ ଅଣାଯାଇଥିଲା, ଯାହା ପରେ କୃଷକମାନେ ଆନ୍ଦୋଳନ ଜାରି ରଖିଥିଲେ। ଏଥି ପାଇଁ କୃଷକମାନେ ମାସ ଧରି ଆନ୍ଦୋଳନ ଜାରି ରଖିଥିଲେ । ହେଲେ ଏତେ ଦିନର ପରିଶ୍ରମର ଫଳାଫଳ ଆସିଛି । ଯାହା କୃଷକଙ୍କ ଦ୍ବାରା ହୋଇଥିବା ବିରୋଧ, ସେମାନଙ୍କର ବଳିଦାନ, ବର୍ଷ ବର୍ଷ ଧରି ବିରୋଧୀଙ୍କ ସଂଘର୍ଷର ପରିଣାମ୍‌ ସଫଳ ହୋଇ ପାରିଛି । ଏଥିପାଇଁ କଂଗ୍ରେସ ଆଜି 'କିଷାନ ବିଜୟ ଦିବସ' ପାଳନ କରିବ। ଏନେଇ ରାଜ୍ୟ ସଭାପତି ଅଜୟ କୁମାର ଲାଲୁ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ତିନୋଟି କୃଷି ଆଇନକୁ ରଦ୍ଦ କରିବା ଆମ ଚାଷୀମାନଙ୍କ ପାଇଁ ବିଜୟ ହୋଇଛି ।

ଏହାକୁ ନେଇ ସେ ଆହୁରି କହିଛନ୍ତି ଯେ ଏହି ବିଜୟରେ ଆମ ଦେଶର ସମସ୍ତ ଅନ୍ନ ଦାତାଙ୍କୁ ଉତ୍ସର୍ଗ ତଥା ସମର୍ପିତ କରାଯାଇଛି। କୃଷକଙ୍କ ଏହି ବିଜୟ ଉପରେ କଂଗ୍ରେସ ସାରା ଦେଶରେ ଏହି ବିଜୟ ଦିବସଙ୍କୁ ପାଳନ କରିବ। ଏହା ବ୍ୟତୀତ ସବୁ ଠାରୁ ବଡ କଥା ହେଉଛି ସରକାର ଏହି ଆଇନଗୁଡିକ ରଦ୍ଦ କରିବାରେ ବିଳମ୍ବ କରିବାରୁ  ୭୦୦ ଚାଷୀ ତାଙ୍କ ଜୀବନ ହାରିଛନ୍ତି।  ତେବେ ଏହି ବିଜୟ ଦିବସ ଅବସରରେ, ଜିଲ୍ଲା ଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ କୃଷକ ବିଜୟ ଦିବସ ପାଳନ କରୁଥିବାବେଳେ କର୍ମକର୍ତ୍ତାମାନେ ସହିଦ ହୋଇଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ଘର ଘର ବୁଲି ପରିଦର୍ଶନ କରିବେ। ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ। ଏହା ବ୍ୟତୀତ ସମସ୍ତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ କୃଷକଙ୍କ ପାଇଁ ବିଜୟ ସଭା ଆୟୋଜିତ ହେବ। ସନ୍ଧ୍ୟା ସମୟରେ ମୃତ୍ୟୁ କରିଥିବା ଚାଷୀଙ୍କ ଆତ୍ମାର ଶାନ୍ତି ପାଇଁ କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଏକ ମହମବତୀ ପଦଯାତ୍ରା କରିବାକୁ ସମସ୍ତ ରାଜ୍ୟ ୟୁନିଟକୁ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.