‘ଭୋଟିଂ ଦିନ ରୋଡ ଶୋ’କୁ ନଥାଏ ଅନୁମତି, କିନ୍ତୁ ପିଏମ୍ ମୋଦୀ ଏବଂ ତାଙ୍କ ଦଳ...’, ମମତା କଲେ ଟାର୍ଗେଟ, କଂଗ୍ରେସ କହିଲା...

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ଅହମଦାବାଦରେ ଭୋଟ ଦେବା ପାଇଁ ପହଞ୍ଚିଥିବା ପିଏମ ମୋଦୀଙ୍କ କାରକେଡକୁ ବିରୋଧୀ ଆଚରଣ ସହିଂତାର ଉଲ୍ଲଂଘନ ବୋଲି କହିଛନ୍ତି । ଗୋଟିଏ ପଟେ କଂଗ୍ରେସ କହିଛି ଯେ ଗୁଜରାଟ ନିର୍ବାଚନର ସମୟରେ ବିଜେପି ଅନେକ ଥର ନିର୍ବାଚନ ଆଚରଣ ବିଧିର ଧଜ୍ଜିଆ ଉଡାଉଛି । ଏହାପରେ ବି ନିର୍ବାଚନ ଆୟୋଗ ଚୁପ ଅଛନ୍ତି । କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ମୌନ ରହିବା ଗଣତନ୍ତ୍ର ପାଇଁ ବିପଦର ଘଣ୍ଟି । କଂଗ୍ରେସ ଏହା ଉପରେ ଆଇନଗତ ଦୃଷ୍ଟିକୁ ନେଇ ଚର୍ଚ୍ଚା କରୁଛି । ଏହାପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

ପବନ ଖେଡା କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଭୋଟ ଦେବାକୁ ଯାଉଛନ୍ତି । ଅଢେଇ ଘଣ୍ଟାରୁ ଅଧିକ ସମୟ ଯାଏ ସବୁ ଚ୍ୟାନେଲ ଏହାର ପ୍ରସାରଣ କରୁଥିଲେ । ଏହା ପରେ ବି ନିର୍ବାଚନ ଆୟୋଗ ବିଜେପିକୁ କିଛି କହୁ ନାହିଁ' । ଖେଡା କହିଛନ୍ତି, ଭୋଟିଂ ଜାରି ରହିଛି ଏବଂ ଏହି ସମୟରେ ରୋଡ ଶୋ କରାଯାଉଛି । ଏହାକୁ ନେଇ ଆଇନଗତ ଦୃଷ୍ଟିରୁ ଚର୍ଚ୍ଚା କରାଯାଉଛି ।

ଅନ୍ୟପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସବୁ ବିଜେପି ନେତାଙ୍କୁ ନିଶାନା କରିଛନ୍ତି । ସେ ପିଏମ ମୋଦୀ ଏବଂ ବିଜେପି ନେତାଙ୍କୁ ଭିଭିଆଇପି କହିବା ସହ ଏହିମାନେ କିଛି କରି ପାରିବେ ବୋଲି କହିଛନ୍ତି । ମମତା ବାନାର୍ଜୀ କହିଛନ୍ତି, 'ଭୋଟିଂ ଦିନ ରୋଡ ଶୋ ପାଇଁ ଅନୁମତି ନଥାଏ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ଦଳ ଭିଭିଆଇପି କିଛି ବି କରିପାରିବେ ଏବଂ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ'।  

ଅନ୍ୟପଟେ ବିଜେପି ମୁଖପାତ୍ର ଟମ ୱାଡକ୍କନ କହିଛନ୍ତି, ଏହା ରୋଡ ଶୋ ନଥିଲା । ସେ କହିଛନ୍ତି, 'ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ପୋଲିଂ ବୁଥ ଠାରୁ ବହୁ ଦୂରରେ ପାର୍କ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଚାଲି ଚାଲି ଭୋଟ ଦେବାକୁ ପହଞ୍ଚଥିଲେ। ଏହା ରୋଡ ଶୋ ନଥିଲା'। ଉଲ୍ଲେଖଯୋଗ୍ୟ ଯେ ସୋମବାର ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ଡିସେମ୍ୱର ଆଠରେ ନିର୍ବାଚନ ପରିଣାମ ଆସିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.