Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଦୁର୍ବଳ ହୋଇନି କଂଗ୍ରେସ! ୨୦୨୪ ଲୋକସଭା ନିର୍ବାଚନରେ ମୋଦିଙ୍କୁ ଦେବ କଡ଼ା ଟକ୍କର, ଜାଣନ୍ତୁ କ’ଣ କହୁଛି ସର୍ଭେ?

7/02/2023 at 7:55 PM

ନୂଆଦିଲ୍ଲୀ ୭।୨: ଆଗାମୀ ଲୋକସଭା ନିର୍ବାଚନ ଲାଗି ରାଜନୈତିକ ଦଳମାନେ ଏବେଠାରୁ ସମୀକରଣ କରିବା ଆରମ୍ଭ କରିଦେଲେଣି। ଲଗାତାର ତୃତୀୟବାର କ୍ଷମତାକୁ ଫେରିବା ଲାଗି ବିଜେପି ରଣନୀତିକାର ଏବେ ଦିନରାତି ଏକ କରିଦେଇଛନ୍ତି। ଏଥିରେ କଂଗ୍ରେସ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡୋ ଯାତ୍ରା’ରୁ ଲାଭ ପାଇବ ବୋଲି ଆଶା ବାନ୍ଧି ବସିଛି। ତେବେ ଆସନ୍ତୁ ଜାଣିବା କଣ କହୁଛି ସି- ଭୋଟର ସର୍ଭେ। ଏହି ସର୍ଭେ ସହିତ ଇଣ୍ଡିଆ ଟୁଡେର ଏକ ସର୍ଭେ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରୁ କଂଗ୍ରେସ ଏବେବି ଦୁର୍ବଳ ହୋଇ ନଥିବା ଜଣାପଡିଛି।

ଉଭୟ ସର୍ଭେରୁ କଂଗ୍ରେସକୁ ଭୋଟ ସେୟାର ଓ ସିଟ୍‌ ଉଭୟରେ  ଲାଭ ମିଳୁଥିବା ଦେଖାଯାଇଛି। ତେବେ ସର୍ଭେରୁ ପୁଣି ଥରେ ନରେନ୍ଦ୍ର ମୋଦି ସରକାରଙ୍କୁ ସଂଖ୍ୟାଗରିଷ୍ଠତା ମିଳୁଥିବା ଜଣାପଡିଛି। ଭାରତ ଯୋଡୋ ଯାତ୍ରା ପରେ କଂଗ୍ରେସର୍‌ ସିଟ୍ ସଂଖ୍ୟା ବଢୁଥିବା ଦେଖାଯାଇଛି। ଯାହା ଉଭୟ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଲାଗି ଚିନ୍ତାର ବିଷୟ ବୋଲି କୁହାଯାଉଛି। ଗତ ଜାନୁୟାରୀ ମାସରେ ହୋଇଥିବା ଏହି ସର୍ଭେରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୯୮ ଆସନ ମିଳିବ ବୋଲି ଆଶା କରାଯାଉଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ କୁ ୧୫୩ଟି ଆସନ ଚାଲି ଯାଉଥିବାର ଦେଖାଯାଇଛି।

ତେବେ ଏଜେନ୍ସୀଙ୍କର ଏହା ପ୍ରଥମ ସର୍ଭେ ନୁହେଁ। ଗତବର୍ଷ ଅର୍ଥାତ ୨୦୨୨ ଜାନୁୟାରୀରେ ମଧ୍ୟ ଏକ ସର୍ଭେ ହୋଇଥିଲା। ଯେଉଁଥିରେ ଏନଡିଏକୁ ୨୯୬ ଓ ୟୁପିଏକୁ ୧୨୭ ସିଟ୍‌ ମିଳୁଥିବାର ଆକଳନ କରାଯାଇଥିଲା। ଏହି ସର୍ଭେରେ ଅନ୍ୟ ନିର୍ଦ୍ଦଳୀୟଙ୍କୁ ୧୨୦ ଆସନ  ଦିଆଯାଇଥିଲା। ଏଥିରେ ୨୦୨୨ ସର୍ଭେସହ ତାଜା ସର୍ଭେ ରିପୋର୍ଟକୁ ତୁଳନା କଲେ ୟୁପିଏକୁ ଅଧିକ ୨୬ଟି ସିଟ୍‌ ମିଳୁଥିବାର ଦେଖାଯାଉଛି।

ତେବେ ଏହି ସର୍ଭେକ୍ଷଣରୁ ୟୁପିଏର ବଢୁଥିବା ଭୋଟ ନିର୍ଦ୍ଦଳୀୟ ଓ ଅନ୍ୟଙ୍କ ଭୋଟରୁ କମୁଛି ବୋଲି ଜଣାପଡୁଛି। ତେବେ ବିଜେପି ଓ ଏନଡିଏ ଆସନ ସମୀକରଣରେ ସେପରି କୌଣସି ପରିବର୍ତ୍ତନ ହେଉ ନାହିଁ।  ହେଲେ ବର୍ଷକ ପରେ ହେଉଥିବା ସର୍ଭେକ୍ଷଣରୁ ବିଜେପିକୁ ଅଧିକ ୨ଟି ଆସନ ମିଳୁଥିବା ଦେଖାଯାଉଛି। ୨୦୨୨ ସର୍ଭେକ୍ଷଣରେ ନିର୍ଦ୍ଦଳୀୟ ଓ ଅନ୍ୟ ଆଞ୍ଚଳିକ ଦଳଙ୍କ ଖାତାକୁ ୧୨୦ଟି ସିଟ୍‌ ଯିବ ବୋଲି ଆକଳନ କରାଯାଉଥିଲା। ତେବେ ତାଜା ସର୍ଭେକ୍ଷଣରୁ ନିର୍ଦ୍ଦଳୀୟ ଓ ଅନ୍ୟଙ୍କ ଆସନ ୯୨କୁ ହ୍ରାସ ହୋଇଛି। ଏହି ହିସାବରୁ ନିର୍ଦ୍ଦଳୀୟ ଓ ଅନ୍ୟଙ୍କ ୨୮ଟି ଆସନର କ୍ଷତି ହେଉଥିବା ଦେଖାଯାଇଛି।

ନିକଟରେ ଶେଷ ହୋଇଥିବା ସର୍ଭରେ ଯଦି ଏବେ ନିର୍ବାଚନ ହୁଏ ତେବେ ବିଜେପି ଓ ସହଯୋଗୀ ଦଳଙ୍କୁ ୪୩ ପ୍ରତିଶତ ଭୋଟ ସେୟାର ମିଳୁଥିବା ବେଳେ ୟୁପିଏକୁ ୩୦ ଏବଂ ନିର୍ଦ୍ଦଳୀୟ ଓ ଅନ୍ୟଙ୍କୁ ୨୭ ପ୍ରତିଶତ ଭୋଟ ସେୟାର ମିଳୁଥିବା ଜଣାପଡିଥିଲା। ତେବେ ଏହା ପୂର୍ବରୁ ୨୦୨୨ ଜାନୁୟାରୀରେ ହୋଇଥିବା ସର୍ଭେରୁ ଏନଡିଏକୁ ୪୧ ପ୍ରତିଶତ ଭୋଟ ସେୟାରିଂ ମିଳୁଥିବା ବେଳେ ୟୁପିଏକୁ ୨୭ ପ୍ରତିଶତ ଭୋଟ ସେୟାର ମିଳୁଥିଲା। ଏଥିରୁ ୟୁପିଏର ଭୋଟ ସେୟାର ୩ ପ୍ରତିଶତ ବଢୁଥିବା ଓ ଏହା ଭାରତ ଯୋଡୋ ଯାତ୍ରା ଯୋଗୁ ବୋଲି ସ୍ପଷ୍ଟ ହୋଇଯାଇଛି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବେବି କାୟମ ରହିଛି। ସବୁଠୁ ଭଲ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ପ୍ରତି ୪୭ ପ୍ରତିଶତ ଜନତାଙ୍କ ସମର୍ଥନ ମିଳିଥିବା ବେଳେ ୧୬ ପ୍ରତିଶତ ଅଟଳ ବିହାରୀ ବାଜପେୟୀ, ୧୨ ପ୍ରତିଶତ ଲୋକେ ଇନ୍ଦିରା ଗାନ୍ଧି  ଓ ୮ ପ୍ରତିଶତ ଲୋକେ ଡ. ମନମୋହନ ସିଂହଙ୍କୁ ସେମାନଙ୍କ ପସନ୍ଦ ବୋଲି କହିଥିଲେ।  

   Related Posts