ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି

Published By : Prameya-News7 Bureau | December 03, 2020 IST

ମିର୍ଜାପୁର ୦୩/୧୨: ପାକିସ୍ତାନ ଯିବାକୁ ଚାହୁଁଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ। କେବେ ବି ପାକିସ୍ତାନ ଯାଇନଥିବା କହୁଥିବା ଦିଗ୍‌ବିଜୟ ଏବେ କିନ୍ତୁ ସେଠାକୁ ଯିବାକୁ ଚାହୁଁଛନ୍ତି। ଗୁରୁବାର ମିର୍ଜାପୁରରେ ମା ବିନ୍ଧ୍ୟବାସୀନଙ୍କ ଦର୍ଶନ କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଦିଗ୍‌ବିଜୟ।

ନଗର ପାଳିକା ପରିଷଦ ଅଧ୍ୟକ୍ଷ  ତଥା କଂଗ୍ରେସର ବରିଷ୍ଠ ଉପାଧ୍ୟକ୍ଷ ଦୀପଚନ୍ଦ୍ର ଜୈନଙ୍କ ଘରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ଯିବା କଥା କହିଛନ୍ତି ଦିଗ୍‌ବିଜୟ। ପଡ଼ୋଶୀ ବଦଳାଇ ହେବ ନାହିଁ। ତେଣୁ ପାକିସ୍ତାନ ସହ ଆଲୋଚନା କରିବା ଦରକାର। ପାକିସ୍ତାନ ସହ ଆଲୋଚନା କରିବାକୁ ସେ ସେଠାକୁ ଯିବାକୁ ପସନ୍ଦ କରିବେ ବୋଲି କହିଛନ୍ତି ଦିଗ୍‌ବିଜୟ ସିଂହ। ଏହା ସହ କୃଷକ ଆନ୍ଦୋଳନ ଉପରେ ସେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ।

ଘରୋଇ କମ୍ପାନୀର ସ୍ବାର୍ଥ ପାଇଁ ସରକାର କୃଷି ନିୟମ ଆଣିଛନ୍ତି। ଏଥିରେ ଗରିବ ଚାଷୀଙ୍କୁ କୌଣସି ଲାଭ ମିଳିବ ନାହିଁ ବରଂ କ୍ଷତି ହେବ। ଯଦି କୃଷକକୁ ତାର ଉତ୍ପାଦନର ମୂଲ୍ୟ କମ୍ପାନୀ ନଦିଏ ତେବେ ସେ ନ୍ୟାୟାଳୟ ଯାଇପାରିବ ନାହିଁ ବରଂ ଏମଡିଏମ ତା ମାମଲା ବୁଝିବ। କଂଗ୍ରେସ ପାର୍ଟି କୃଷକଙ୍କ ସହ ରହିଛି। କୃଷକଙ୍କୁ ସେମାନଙ୍କ ହକ୍‌ ଦିଆଯିବ ବୋଲି ଦିଗ୍‌ବିଜୟ କହିଛନ୍ତି।

ନକଟରେ ଲଭ୍‌ ଜିହାଦକୁ ନେଇ ଉତ୍ତର ପ୍ରଦେଶ ସରକାର ନିୟମ ଆଣିଥିବା ବେଳେ ଦିଗ୍‌ବିଜୟ ଏହା ଉପରେ ମନ୍ତବ୍ୟ ରଖିଛନ୍ତି। ଯଦି ଏହା ଉପରେ ନିୟମ ଆଣିବା ଦ୍ବାରା ବେରୋଜଗାର, ଦରଦାମ ନିୟନ୍ତ୍ରଣ, ଦୁର୍ନୀତି ଆଦି କମିପାରିବ ତେବେ ଏଥିରେ ସାର୍ଥକତା ମିଳିବ। ଲଭ୍‌ ଜିହାଦ ନିୟମ ମୁଖତାର ଆବାସ ନକବୀ ଓ ଶେହନବାଜ ଖାନଙ୍କ ଉପରେ ବି ଲାଗୁ ହେବା ଦରକାର ବୋଲି ଦିଗବିଜୟ ସିଂହ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.