କଂଗ୍ରେସର ଆକ୍ଷେପ-ବଲିଉଡକୁ ମୁମ୍ବାଇରୁ ଉତ୍ତର ପ୍ରଦେଶକୁ ସ୍ଥାନାନ୍ତର କରିବାକୁ ଷଡଯନ୍ତ୍ର କରୁଛି ବିଜେପି

Published By : Prameya-News7 Bureau | December 02, 2020 IST

ମୁମ୍ବାଇ ୦୨/୧୨ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ମଙ୍ଗଳବାର ଦିନ ଯୋଗୀ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ନେଇ କଂଗ୍ରେସ ନେତା ଆକ୍ଷେପ କରିଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ବିଜେପି ବଲିଉଡକୁ ମୁମ୍ବାଇରୁ ଉତ୍ତର ଭାରତକୁ ନେଇଯିବାକୁ ଚାଲ କରୁଛି। କଂଗ୍ରେସ ଅଭିଯୋଗ କରିଛି ଯେ ଶିଳ୍ପପତି ତଥା ଚଳଚ୍ଚିତ୍ର ନିର୍ମାତାଙ୍କୁ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର ହେବା ନେଇ ଆଶଙ୍କା ରହିଛି।

ମହାରାଷ୍ଟ୍ର କଂଗ୍ରେସର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ସଚିନ ସାୱନ୍ତ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ଅର୍ଥ ସେବା କେନ୍ଦ୍ରକୁ ମୁମ୍ବାଇରୁ ଗୁଜରାଟରୁ ସ୍ଥାନାନ୍ତର କଲାଭଳି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ବଲିଉଡକୁ ମୁମ୍ବାଇରୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ଯୋଗୀ ମୁମ୍ବାଇରେ ଶିଳ୍ପପତି ଏବଂ ଫିଲ୍ମ ନିର୍ମାତାଙ୍କ ସହ ସାକ୍ଷାତ କରି ଉତ୍ତର ପ୍ରଦେଶରେ ନିବେଶ କରିବାକୁ ଆଲୋଚନା କରୁଛନ୍ତି।

ଗତ କିଛି ମାସ ହେବ ବିଜେପି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଭଳି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ବ୍ୟବହାର କରି ବଲିଉଡରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ସରକାରଙ୍କ ସହାୟତାରେ ମହାରାଷ୍ଟ୍ରର ଛବି ଖରାପ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ମହତ୍ତ୍ୱ କମ କରିବାକୁ ଉଦ୍ୟମ। ଉଦ୍ଧବ ଠାକରେ ସରକାର ଏହି ଷଡଯନ୍ତ୍ରରୁ ବଲିଉଡକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି। ସଚିନ ସାୱନ୍ତ କହିଛନ୍ତି, ଉତ୍ତର ପ୍ରଦେଶ ସରକାର ନିଜ ରାଜ୍ୟର ବିକାଶ ପାଇଁ ପୁଞ୍ଜି ବିନିଯୋଗ କରିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.