ଶ୍ରୀନଗର ୧୬।୯: ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ସୋମବାର ନିର୍ବାଚନୀ ଘୋଷଣା ପତ୍ର ଜାରି କରିଛି। ଏହି ଘୋଷଣା ପତ୍ରର ନାମ ‘ ଅବ ବଦଲେଗା ହାଲତ’ ରଖିଛି। କଂଗ୍ରେସ ନେତା ପବନ ଖେଡା ଓ ତାରିଖ ହମିଦ କର୍ରା ମାନିଫେଷ୍ଟୋ ପଢି କହିଛନ୍ତି ଯେ ଗତ ୧୦ ବର୍ଷରେ ପରିସ୍ଥିତି ଏମିତି ହୋଇଛି ଯେ କାଶ୍ମୀରର ହୃଦୟ ବିଦାରିତ ହୋଇଛି ଏବେ ଏଥିରେ ମଲମ ଲଗାଇବାର ଏବେ ସମୟ ଆସିଛି। ଏହା ଛଡା ସେମାନେ କହିଛନ୍ତି ଯେ ଆମ ପାଖରେ ଟିମ୍ ଅଛି ଓ ଆମେ ତାଙ୍କ ଇନପୁଟ୍ ଏକତ୍ର କରିଛୁ ଓ ଆମେ ଏହାକୁ ଲୋକଙ୍କ ଘୋଷଣା ପତ୍ର ବୋଲି କହୁଛୁ।
ପବନ ଖେଡା କହିଛନ୍ତି ଯେ କାଶ୍ମୀରର ଲୋକଙ୍କ ଦୁଃଖ ଶୁଣିବାକୁ କେହି ନାହିଁ। କାରଣ ଏଠାରେ ଦିଲ୍ଲୀର ଶାସନ ଚାଲିଛି। ଏଣୁ କାଶ୍ମୀର ଏବେ ସ୍ୱପ୍ନର କବରରେ ପରିଣତ ହୋଇଛି। ଘୋଷଣାପତ୍ରକୁ ନେଇ ସେ କହିଛନ୍ତି ଯେ ଏହି କାଗଜ ପ୍ରତିଶ୍ରୁତିର ପାହାଡ ନୁହେଁ, ଆମେ ଅଧିକାରର କଥା କହୁଛୁ କାରଣ ପୁରା ସମ୍ବିଧାନ ଅଧିକାର ଓ ହକ୍ ଉପରେ ଆଧାରିତ। ସେ କହିଛନ୍ତି ଯେ କାଶ୍ମୀରର ଲୋକଙ୍କୁ ସେମାନଙ୍କ ଅଧିକାର ମିଳିବା ଦରକାର। ଘୋଷଣାପତ୍ର ଜାରି କରି ପାର୍ଟି ରୋଜଗାର, ମହିଳା ଓ ଶାସନକୁ ନେଇ ଅନେକ ବଡ଼ ଘୋଷଣା କରିଛି।
ଏହି ଘୋଷଣା ପତ୍ରରେ କଂଗ୍ରେସ ମହିଳାଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛି। ଯଦି ଜମ୍ମୁ-କାଶ୍ମୀରରେ କଂଗ୍ରେସ ସରକାର ହୁଏ ତେବେ ‘ମହିଳା ସମ୍ମାନ’ ଯୋଜନାରେ ଆର୍ଥିକ ଦୁର୍ବଳ ପରିବାରର ମହିଳା ମୁଖିଆଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ‘ସଖୀ ଶକ୍ତି’ ଯୋଜନାରେ ମହିଳାଙ୍କୁ ସ୍ୱୟଂ ସହାୟତା ସମୂହରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରଣ ଋଣ ଓ ସବୁ ପୋଲିସ ଷ୍ଟେସନରେ ମହିଳା ସୁରକ୍ଷା ଡେସ୍କ ସ୍ଥାପନାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି।
ସେହିପରି ରୋଜଗାରକୁ ନେଇ କଂଗ୍ରେସ ବେକାର ଯୁବକଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଛି। ଏପରି ଯୁବକ ଯୁବତୀଙ୍କୁ ସରକାର ବର୍ଷକ ନିମନ୍ତେ ୩,୫୦୦ ଟଙ୍କାର ବେକାରୀ ଭତ୍ତା ଦେବାକୁ ପାର୍ଟି ଘୋଷଣା କରିଛି ଏହା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିପଡିଥିବା୧ ଲକ୍ଷ ପଦବୀ ପୂରଣ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି। ଏହା ଛଡା ସରକାରୀ ନିଯୁକ୍ତି ନିମନ୍ତେ ୩୦ ଦିନ ମଧ୍ୟରେ ଏକ ଚାକିରୀ କ୍ୟାଲେଣ୍ଡର ଜାରି କରାଯିବ ବୋଲି ମଧ୍ୟ କୁହାଯାଇଛି।