ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି

Published By : Prameya-News7 Bureau | December 16, 2020 IST

ଭୁବନେଶ୍ୱର ୧୬/୧୨ : ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ମାଷ୍ଟର କ୍ୟାଣ୍ଟିନରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରିଥିବା କଂଗ୍ରେସ ତେଲ ଦରକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।  କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ଯେଉଁମାନେ ତୈଳଦର ବୃଦ୍ଧିକୁ ନେଇ ଆନ୍ଦୋଳନ କରୁଥିଲେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛି । ସେପଟେ ତୈଳଦର ବୃଦ୍ଧିକୁ ନେଇ ବିଜେପି ଓ ବିଜେଡି ପରସ୍ପର ମୁଣ୍ଡରେ ଦୋଷ ଲଦିଛନ୍ତି । ସେପଟେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ବଜାରରେ ତୈଳ ଦର ବୃଦ୍ଧିପାଇବାରୁ ଭାରତରେ ତାର ପ୍ରଭାବ ପଡୁଛି।

ତୈଳଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଲେ ନାରାବାଜି।ଗଲା ତିନି ସପ୍ତାହ ଭିତରେ ପେଟ୍ରୋଲ ଦର ୨ ଟଙ୍କାରୁ ଅଧିକ ବଢି ସାରିଲାଣି।  ଭୁବନେଶ୍ବରରେ  ପେଟ୍ରୋଲ ଲିଟର ପିଛା ଦର ୮୪ ଟଙ୍କା ୧୭ ପଇସା। ଡିଜେଲ ଦର ତିନି ସପ୍ତାହରେ ୩ଟଙ୍କା ୫୦ ପଇସାରୁ ଅଧିକ ବଢି ରାଜଧାନୀରେ ଦର ୮୪ ଟଙ୍କା ୧୭ ପଇସା ହୋଇଛି ।  ଅଣ ସବସିଡି ଗ୍ୟାସ ୫୦ ଟଙ୍କା ବଢି ୭୨୦ ଛୁଇଁଲାଣି । ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରେ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବର୍ଦ୍ଧିତ ତେଲ ଦରକୁ ନେଇ ସାରା ରାଜ୍ୟରେ ଦଳ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ।

ଏଣେ ପେଟ୍ରୋଲ ଡିଜେଲ ଦରକୁ ନେଇ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ବିଜେଡି। ପେଟ୍ରୋଲ ଡିଜେଲ ଉପରେ ରାଜ୍ୟ ଓ କେନ୍ଦ୍ର ଅଲଗା ଅଲଗା ଟ୍ୟାକ୍ସ ସଂଗ୍ରହ କରୁଛନ୍ତି । ପେଟ୍ରୋଲରୁ ରାଜ୍ୟ ଲିଟର ପିଛା ୩୨ ପ୍ରତିଶତ ହିସାବରେ ୧୯ଟଙ୍କା ୫୬ ପଇସା ଏବଂ ଡିଜେଲରୁ ୨୮ ପ୍ରତିଶତ ହିସାବରେ ୧୭ ଟଙ୍କା ୫ ପଇସା  ଟାକ୍ସ ନେଉଛି। କେନ୍ଦ୍ର ବିଭିନ୍ନ ଟ୍ୟାକ୍ସ ବାବଦକୁ ପେଟ୍ରୋଲ ଲିଟର ପିଛା୩୨ ଟଙ୍କା ୯୮ ପଇସା ଏବଂ ଡିଜେଲରେ ଲିଟର ପିଛା ୩୧ ଟଙ୍କା ୮୩ ପଇସା ଟ୍ୟାକ୍ସ ନେଇଛନ୍ତି। ବିଜେପି କହିଛି ସାରାଦେଶରେ କଂଗ୍ରେସ ତାର ସତ୍ତା ହରାଇ ସାରିଛି । ଦଳ ନିଜର ସ୍ଥିତି ଜାହିର ପାଇଁ ତୈଳ ଦରକୁ ଆୟୁଧ କରି ଆନ୍ଦୋଳନ କରୁଛି । ଏହା ସାଧାରଣ ଲୋକଙ୍କ ମତନୁହେଁ।  ତେବେ ରାଜ୍ୟ ସରକାର ଚାହିଁଲେ ଡିଜେଲ ଓ ପେଟ୍ରୋଲ ଉପରେ ନେଉଥିବା ଅତିରିକ୍ତ ଟ୍ୟାକ୍ସ କମାଇଲେ ଦର କମିପାରିବ । ସେପଟେ ବିଜେଡି କେନ୍ଦ୍ର କୋର୍ଟକୁ ବଲଫିଙ୍ଗି ନିଜ ମୁଣ୍ଡରୁ ଦୋଷ ଖସାଇଛି । କେନ୍ଦ୍ର ଟାକ୍ସ କମାଇଲେ ଦର କମିପାରନ୍ତା ବୋଲି ପାଲଟା ପ୍ରଶ୍ନ କରିଛି ବିଜେଡି ।

ସେପଟେ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ କହିଛନ୍ତି ଯେ ଶୀତ ଦିନ ଗ୍ୟାସର ଚାହିଦା ଅଧିକ ଥାଏ, ତାସାଙ୍ଗକୁ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିକ ତୈଳ ଦର ବୃଦ୍ଧି ପାଇଛି। ଆଗକୁ ତୈଳ ଦର କମିବ ବୋଲିସେ ଆଶା ପ୍ରକାଶ କରିଛନ୍ତି।

ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ହୋଇଛି ଓ ଏହା ଗ୍ରାହକଙ୍କୁ ବାଧୁଛି ସତ । ସେପଟେ ଦରବୃଦ୍ଧି ନିଆଁ ରାଜ୍ୟ ରାଜନୀତିରେ ଚେଙ୍କିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.