କ୍ଷମତାକୁ ଆସିଲେ ଗୃହିଣୀଙ୍କୁ ମାସିକ ୨ ହଜାର ଟଙ୍କା ଦେବ କଂଗ୍ରେସ: ପ୍ରିୟଙ୍କା ଗାନ୍ଧୀ

Published By : Prameya-News7 Bureau | January 16, 2023 IST

ବେଙ୍ଗାଲୁରୁ: କେଜରିୱାଲ୍‌ଙ୍କ ପଥରେ କଂଗ୍ରେସ। ଏବେ ଗୋଟିଏ ପରେ ଗୋଟିଏ ମାଗଣା ଘୋଷଣା କରି ଚାଲିଛି କର୍ଣ୍ଣାଟ କଂଗ୍ରେସ। ପ୍ରଥମେ ମାଗଣା ବିଦ୍ୟୁତ୍ ପରେ ଏବେ ଗୃହିଣୀଙ୍କୁ ମାସକୁ ୨ ହଜାର ଟଙ୍କା ଭତ୍ତା ଦେବାକୁ ଘୋଷଣା କରିଛି ଦଳ। କର୍ଣ୍ଣାଟକରେ ସରକାର ଗଠନ କରିବାକୁ ଶିବରାଜଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ଏଥିପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଗୋଟିଏ ପରେ ଗୋଟିଏ ମାଗଣା ଯୋଜନା ଘୋଷଣା କରୁଛି ଦଳ।

ସୋମବାର ବେଙ୍ଗାଲୁରୁର ପେଲେସ ଗ୍ରାଉଣ୍ଡରେ କଂଗ୍ରେସ ଦ୍ୱାରା ଆୟୋଜିତ 'ନା ନାୟକୀ' କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ। ଦଳ କ୍ଷମତାକୁ ଆସିଲେ ରାଜ୍ୟର ପ୍ରତ୍ୟେକ ଗୃହିଣୀଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତା ଦେବ ବୋଲି ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଛନ୍ତି। ଏହି ଟଙ୍କା ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ଯିବ ବୋଲି ପ୍ରିୟଙ୍କା କହିଛନ୍ତି।  

ଗୃହ ଲକ୍ଷ୍ମୀ ଯୋଜନାରେ ଏହି ଟଙ୍କା ମିଳିବ। ଏହି ଯୋଜନାରେ ୧.୫ କୋଟି ଗୃହିଣୀ ଲାଭବାନ ହେବେ ବୋଲି ଦଳ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରିୟଙ୍କା କହିଛନ୍ତି " ମୁଁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ। ବିଜେପି ଶାସନ ସମୟରେ କଣ ଆପଣଙ୍କର ଜୀବନ ଉତ୍ତମ ହୋଇଛି? ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହୋଇଛି ? ଗତ କିଛି ବର୍ଷ ହେଲା କଣ ସବୁ ହେଇଛି ଭୋଟ୍ ଦେବା ପୂର୍ବରୁ ତାହା ମୂଲ୍ୟାୟନ କରନ୍ତୁ।"

ପ୍ରିୟଙ୍କା ଆହୁରି କହିଛନ୍ତି " ଆପଣ ଶିକ୍ଷା ଚାହାନ୍ତି ନାହିଁ ? ସରକାରୀ ଚାକିର ଚାହାନ୍ତି ନାହିଁ ? ନିଜ ପାଇଁ ଓ ନିଜ ପରିବାର ପାଇଁ କଣ ଠିକ୍ ହେବ ତାହା ନିର୍ଣ୍ଣୟ କରିବା ପାଇଁ ସ୍ୱାଧିନତା ଚାହାନ୍ତି ନାହିଁ? ରାଜନୀତି ହେଉଛି ଆପଣଙ୍କର ବଳ।" ତେବେ ଏହାର କିଛିଦିନ ପୂର୍ବରୁ ଦଳ ରାଜ୍ୟବାସୀଙ୍କ ପାଇଁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍‌ ଦେବାକୁ ଘୋଷଣା କରିଥିଲା।

ଏଲ୍‌ପିଜି ଗ୍ୟାସ୍‌ ଦର ଅହେତୁକ ବୃଦ୍ଧି ଯୋଗୁ ଚାପରେ ରହୁଛି ପରିବାର। ଏଥିରୁ ଆସ୍ୱସ୍ତି ଦେବା ପାଇଁ କଂଗ୍ରେସ ମହିଳାଙ୍କୁ ଏହି ସୁବିଧା ଦେବ ବୋଲି କହିଛି। ଯଦି ମହିଳା ସଶକ୍ତ ହେବେ ତେବେ ପରିବାର ଓ ଦେଶ ବି ସଶକ୍ତ ହେବ ବୋଲି କଂଗ୍ରେସ କହିଛି। ଚଳିତ ବର୍ଷ ମେ ମାସରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ରାଜ୍ୟ ଦଖଲ ପାଇଁ ଉଭୟ ବିଜେପି ଓ କଂଗ୍ରେସ ଲାଗି ପଡ଼ିଛନ୍ତି। ଏଥର ବିଜୟ କାହାର ହେବ ନିର୍ବାଚନ ପରେ ଜଣାପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.