ଆସନ୍ତା ବର୍ଷ ଅଗଷ୍ଟ-ସେପ୍ଟେମ୍ଵରରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ପଦ ସମ୍ଭାଳିବା ପ୍ରଶ୍ନ ଉପରେ ଏମିତି ଉତ୍ତର ଦେଲେ ରାହୁଲ ଗାନ୍ଧୀ

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬।୧୦: ଦିଲ୍ଲୀରେ ଚାଲିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ସଭାପତି କରାଯିବା ଦାବି ଉଠିଛି। ଆଉ ଏହି ଦାବି ଉଠାଇଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପାର୍ଟିର ବରିଷ୍ଠ ନେତ୍ରୀ ଅମ୍ବିକା ସୋନି। ସାମ୍ବାଦିକ ସମ୍ମିଳନୀରେ ପାର୍ଟି ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ସଭାପତି ନିର୍ବାଚନ ଆସନ୍ତା ବର୍ଷ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୨୦ ମଧ୍ୟରେ ହେବ। ସିଡବ୍ଲ୍ୟୁସି ଏବଂ ଅନ୍ୟ ସାଂଗଠନିକ ନିର୍ବାଚନ ତାରିଖର ଘୋଷଣା ପାର୍ଟି ଅଧିବେଶନ ପରେ କରାଯିବ।

ଅମ୍ବିକା ସୋନି  ବୈଠକରେ କହିଛନ୍ତି, ସମସ୍ତ ଚାହାନ୍ତି ରାହୁଲ ଗାନ୍ଧୀ ଦଳର ସଭାପତି ହୁଅନ୍ତୁ। ହେଲେ ତାଙ୍କ ଉପରେ ନିର୍ଭର କରେ ଯେ ରାହୁଲ କଣ ନିର୍ଣ୍ଣୟ ନେବେ। ଏହା ପୂର୍ବରୁ ବୈଠକରେ ଉପସ୍ଥିତ ଅଶୋକ ଗେହଲଟ୍ ରାହୁଲଙ୍କୁ ସଭାପତି କରାଯିବା ଉଚିତ୍ ବୋଲି କହିଥିଲେ। ରାହୁଲଙ୍କୁ କଂଗ୍ରେସର ନେତୃତ୍ଵ ନେବା ଉଚିତ୍ ଏବଂ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଏହାର ସମର୍ଥନ ମଧ୍ୟ କରିଥିଲେ। ଦୁଇ ନେତାଙ୍କ କଥା ଶୁଣିବା ପରେ ରାହୁଲ କହିଛନ୍ତି, ପୁନର୍ବାର ପାର୍ଟି ସଭାପତି ହେବା ଉପରେ ବିଚାର କରିବି।

ଏହି ପ୍ରସଙ୍ଗରେ ବୈଠକରେ ହେଲା ଆଲୋଚନା

ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସୋନିଆ କହିଛନ୍ତି,  ଏହି ଘଟଣା ଚିନ୍ତାଜନକ ଅଟେ। ବିଜେପିର ଏମିତି ଆଭିମୁଖ୍ୟ ଦର୍ଶାଉଛି ଯେ, ସେ କୃଷକ ଆନ୍ଦୋଳନକୁ କେଉଁ ନଜରରେ ଦେଖୁଛି। ବର୍ଡର ଉପରେ ଚାଲିଥିବା ଉତ୍ତେଜନା ପ୍ରସଙ୍ଗରେ ସେ କହିଛନ୍ତି, ବୈଦେଶିକ ନୀତି ରାଜନୈତିକ ଧ୍ରୁବୀକରଣର ଏକ ମାଧ୍ୟମ ପାଲଟି ଯାଇଛି। ଆମେ ବର୍ଡର ପ୍ରସଙ୍ଗରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି।

ଆର୍ଥିକ ସୁଧାର ପ୍ରଶ୍ନ ଉପରେ ସେ କହିଛନ୍ତି, କେନ୍ଦ୍ର ସରକାର ଦେଶର ସଂପତ୍ତି ବିକ୍ରି କରି ଦେବାକୁ ଚାହୁଁଛନ୍ତି। ବର୍ତ୍ତମାନ ସମୟରେ କେନ୍ଦ୍ରର ଗୋଟିଏ ଏଜେଣ୍ଡା ସବୁ କିଛି ବିକ୍ରି କରି ଦିଅ। ସୋନିଆ କହିଛନ୍ତି, ଜାମ୍ମୁ-କାଶ୍ମୀରରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଚିନ୍ତାର ବିଷୟ। ଏହାର ଯେତେ ବି ନିନ୍ଦା କଲେ କମ ହେବ।

ଏହି ବୈଠକରେ ସୋନିଆ ଗାନ୍ଧୀ ଦଳର ଫୁଲ୍ ଟାଇମ୍ ଅଧ୍ୟକ୍ଷ ବୋଲି ସଙ୍କେତ ଦେଇଛନ୍ତି । ବୈଠକରେ ସେ କହିଛନ୍ତି ଯେ, ଯଦି ସମସ୍ତେ ରାଜି ହୁଅନ୍ତି ତେବେ ସେ ସ୍ଥାୟୀ ଭାବେ ଦଳର ଅଧ୍ୟକ୍ଷ ହେବେ । ଏବେ ବି ସେ ଅନ୍ତରୀଣ ନୁହେଁ ବରଂ ପୂର୍ଣ୍ଣକାଳୀନ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ସେ କେବେ ସାର୍ବଜନୀନ ପ୍ରସଙ୍ଗକୁ ଏଡାଇ ନାହାଁନ୍ତି । ଏହାସହ ବରିଷ୍ଠ ନେତାମାନେ ଗଣମାଧ୍ୟମ ଦ୍ୱାରା ତାଙ୍କ ସହ ଯୋଗାଯୋଗ କରିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ଦଳୀୟ ନିର୍ବାଚନକୁ ନେଇ ସେ କହିଛନ୍ତି ଯେ, ପୂର୍ବ ସାଙ୍ଗଠନାତ୍ମକ ନିର୍ବାଚନ ସମସ୍ତେ ଚାହୁଁଛନ୍ତି । ଗତ ଜୁନ ୩୦ ତାରିଖରେ ନିର୍ବାଚନୀ ରୋଡମ୍ୟାପକୁ ଅନ୍ତିମ ରୂପ ଦିଆଯାଇଥିଲା । କିନ୍ତୁ କରୋନା ପାଇଁ ନିର୍ବାଚନ ହୋଇପାରି ନଥିଲା । ନେତାମାନେ ସବୁ ସ୍ଥିର କରନ୍ତୁ । ଦଳ କେବଳ ଜଣଙ୍କ ଇଚ୍ଛାରେ ଚାଲିପାରିବ ନାହିଁ  । ପୁରା ସଙ୍ଗଠନ ଦଳକୁ ଆଗ ଭଳି ଛିଡା କରିବାକୁ ଚାହୁଁଛି । କିନ୍ତୁ ଏଥିପାଇଁ ଏକତା ଓ ସମସ୍ତଙ୍କୁ ହିତକୁ ଧ୍ୟାନ ଦେବା ଦରକାର । ଦଳୀୟ ଶୃଙ୍ଖଳାକୁ ସମସ୍ତେ ପ୍ରାଧାନ୍ୟ ଦେବା ଆବଶ୍ୟକ । ଏହାସହ ବୈଠକରେ ସୋନିଆ ଲକ୍ଷୀମପୁର ହିଂସାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେହିପରି କଂଗ୍ରେସର ସାଙ୍ଗଠନିକ ନିର୍ବାଚନ ଆସନ୍ତାବର୍ଷ ସେପ୍ଟେମ୍ବରରେ ହେବା ବୋଲି ସୂତନା ମିଳିଛି ।

କୁହାଯାଉଛି ଯେ, ସୋନିଆଙ୍କ ଏହି  ବୟାନ ଦଳର ଅସନ୍ତୁଷ୍ଟ ନେତାଙ୍କୁ ମୁହଁତୋଡ ଜବାବ ଦେଇଛି । ଏହାସହ ପରୋକ୍ଷରେ ଜି-୨୩ ନେତାଙ୍କୁ ସେ ସମାଲୋଚନା କରିଛନ୍ତି । ସୂଚନାଯୋଗ୍ୟ, ଦଳର ବରିଷ୍ଠ ନେତା କପିଲ ସିବ୍ବଲ କିଛି ଦିନ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ କଂଗ୍ରେସରେ ଦଳର ନୀତି ଓ କାର୍ଯ୍ୟକ୍ରମ ବାବଦରେ କିଏ ନିଷ୍ପତ୍ତି ନେଉଛି ତାହା ସେ ବୁଝିପାରୁ ନାହାଁନ୍ତି ବୋଲି କହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.