ମହଙ୍ଗା ମାଡର ପ୍ରତିବାଦ କରିବ କଂଗ୍ରେସ, ରାସ୍ତାକୁ ଓହ୍ଲାଇବେ ରାହୁଲ-ପ୍ରିୟଙ୍କା

Published By : Prameya-News7 Bureau | March 31, 2022 IST

ନୂଆଦିଲ୍ଲୀ, ୩୧/୦୩:  ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଦଳ ଗୁରୁବାର ନୂଆଦିଲ୍ଲୀ ସ୍ଥିତ ବିଜୟ ଚୌକରେ ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ । କୁହାଯାଉଛି ଯେ, ଏହି ପ୍ରଦର୍ଶନରେ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଆଦି ସାମିଲ ହେବେ । ତେବେ ସୋନିଆ ଗାନ୍ଧୀ ସାମିଲ ହେବା ନେଇ କୌଣସି ସ୍ପଷ୍ଟତା ମିଳିନାହିଁ ।

କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ତୈଳ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ । ତୈଳ ଦର ବଢାଇବା ମୋଦୀଙ୍କୁ ଦୈନନ୍ଦୀନ କାମ ବୋଲି ରାହୁଲ କହିଥିଲେ । ଏପରିକି ସରକାରୀ କ୍ଷେତ୍ରର ଘରୋଇକରଣ ନେଇ ସେ ମୋଦୀଙ୍କୁ କଟାକ୍ଷ କରିଥିଲେ ।

ସୂଚନାଯୋଗ୍ୟ, ଗତ ୯ ଦିନ ହେଲା ପେଟ୍ରୋଲ ଦର ପ୍ରାୟ ୮ ଟଙ୍କା ବଢିଲାଣି । ଦେଶର ରାଜଧାନୀ ଦିଲ୍ଲୀରେ ୧୦୦ ଟଙ୍କା ଟପିଛି ପେଟ୍ରୋଲ । ସେହିପରି ଡିଜେଲର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୩୭ ଦିନ ଧରି ସ୍ଥିର ରହିବା ପରେ ମାର୍ଚ୍ଚ ୨୨ରୁ ତୈଳ ଦର ଲଗାତର ଭାବେ ବଢୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.