ବିଜେପି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲେ କଙ୍ଗନା ରଣାଓ୍ଵତ ? କଣ୍ଟ୍ରୋଭର୍ସି କୁଇନ୍‌ଙ୍କ କଥାକୁ‌ ଟାର୍ଗେଟ୍ କଲେ କଂଗ୍ରେସ-ଏନସିପି

Published By : Prameya-News7 Bureau | January 04, 2021 IST

ମୁମ୍ବାଇ ୦୪।୦୧: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଗତ କିଛି ମାସ ହେବ ମହାରାଷ୍ଟ୍ର ସରକାରଙ୍କ ଉପରେ ଲଗାତାର ହମଲା କରୁଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ଟ୍ଵିଟର ଲଢେଇ ପରେ ରାଜ୍ୟ ସରକାରଙ୍କ ସହ ତାଙ୍କର ସିଧାସଳଖ ଲଢେଇ ଦେଖିବାକୁ ମିଳିଥିଲା। ଏବେ ମହାରାଷ୍ଟ୍ର ସରକାରରେ ସହଯୋଗୀ କଂଗ୍ରେସ ଓ ଏନସିପି କଙ୍ଗନାଙ୍କ ଉପରେ ପ୍ରତି ଆକ୍ରମଣ କରି ବିଜେପି ଉପରେ ସଙ୍ଗୀନ ଅଭିଯୋଗ କରିଛନ୍ତି। କଂଗ୍ରେସ ଓ ଏନସିପି କହିଛନ୍ତି କଙ୍ଗନା ବିଜେପିର ନିର୍ଦ୍ଦେଶରେ ମହାରାଷ୍ଟ୍ର ବିକାଶ ଅଘାଡି ସରକାର ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଉଥିଲେ। ଏମିତି କରି ବିଜେପି ପାପ କରିଛି। ଏହି ପାପ କେବେ ଧୋଇବ ନାହିଁ, ସେମାନେ ମହାରାଷ୍ଟ୍ର ଜନତାଙ୍କୁ କ୍ଷମା ମାଗନ୍ତୁ ନା କାହିଁକି।

ଶିବସେନା ନେତା ଉର୍ମିଲା ମାତୋଣ୍ଡକରଙ୍କ ଉପରେ କଙ୍ଗନା ରଣାଓ୍ଵତଙ୍କ ସମାଲୋଚନା ଉପରେ କ୍ଷମତାସୀନ ଦଳ କହିଛନ୍ତି, ବିଜେପି ମହାରାଷ୍ଟ୍ର ଜନତାଙ୍କ ପ୍ରତି ବିଶ୍ଵାସଘାତ କରିଛି। କଙ୍ଗନା ଉର୍ମିଲା ମାତୋଣ୍ଡକରଙ୍କ ଉପରେ ଅଫିସ୍ କିଣିବା ନେଇ ସମାଲୋଚନା କରିଥିଲେ। କଙ୍ଗନା ଟ୍ଵିଟ୍ କରିଥିଲେ ଯେ, ଡିୟର ଉର୍ମିଲା, ମୁଁ ନିଜ ପରିଶ୍ରମରେ ଯେଉଁ ଘର ତିଆରି କଲି, ତାକୁ କଂଗ୍ରେସ ଭାଙ୍ଗି ଦେଲା। ବାସ୍ତବରେ ବିଜେପିକୁ ଖୁସି କରି ମୋ ବିରୋଧରେ ଆଜି ୨୫-୩୦ କେସ୍ ରହିଛି। ଆପଣଙ୍କ ପରି ଯଦି ବୁଦ୍ଧିମାନ ହୋଇ ଥାନ୍ତି ତେବେ କଂଗ୍ରେସକୁ ଖୁସି  କରି ପାରିଥାନ୍ତି। ମୁଁ କେତେ ବୋକୀ ?

wp:html /wp:html

କଙ୍ଗନାଙ୍କ ଏହି ଟ୍ଵିଟ୍ ପରେ କଂଗ୍ରେସ ରାଜ୍ୟ ସଂପାଦକ ତଥା ମୁଖପାତ୍ର ସଚିନ ସାଓ୍ଵନ୍ତ କହିଛନ୍ତି ଏହା ସାବ୍ୟସ୍ତ ହୋଇଗଲା ଯେ,  ମହାରାଷ୍ଟ୍ର ଓ ମୁମ୍ବାଇକୁ ବଦନାମ କରିବା ଲାଗି ଷଡଯନ୍ତ୍ର ପଛରେ ବିଜେପିର ହାତ ରହିଥିଲା। ରଣାଓ୍ଵତ ନିଜେ ସ୍ଵୀକାର କରିଛନ୍ତି ଯେ, ସେ ବିଜେପିକୁ ଖୁସି କରିବା ପାଇଁ ଏସବୁ କରିଥିଲେ। ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ମୁମ୍ବାଇ ପୁଲିସ ଓ ମହାରାଷ୍ଟ୍ରକୁ ବଦନାମ କରିବା ପାଇଁ ଷଡଯନ୍ତ୍ର ପଛରେ ବିଜେପି ହିଁ ରହିଛି। ବିଜେପି ନିଜର ଏହି ପାପକୁ ଧୋଇ ପାରିବ ନାହିଁ। ବିଜେପିର ଏହି କାର୍ଯ୍ୟକୁ ଆମେ ଦୃଢ ନିନ୍ଦା କରୁଛୁ। ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗିଲେ ବି ଏହି ପାପ ଧୋଇବ ନାହିଁ।

ଏନସିପି ବିଧାୟକ ତଥା ପାର୍ଟି ପ୍ରମୁଖ ଶରଦ ପାଓ୍ଵାରଙ୍କ ପୁତୁରା ରୋହିତ ପାଓ୍ଵାର ମଧ୍ୟ ବିଜେପିକୁ ଶାଣିତ ସ୍ଵରରେ ସମାଲୋଚନା କରିଛନ୍ତି। ସେ ମରାଠିରେ ଟ୍ଵିଟ୍ କରିଛନ୍ତି ଯେ, ଆମେ କଙ୍ଗନାଙ୍କୁ ତାଙ୍କର ସ୍ପଷ୍ଟବାଦୀ ପାଇଁ ଧନ୍ୟବାଦ ଦେବା ଉଚିତ୍। ସେ ବିଜେପିକୁ ଖୁସି କରିବା ପାଇଁ ମହାରାଷ୍ଟ୍ର ସରକାରକୁ ଟାର୍ଗେଟ୍ କରୁଛନ୍ତି। ଏମିତି କରି ସେ ବିଜେପିର ପର୍ଦ୍ଦାଫାଶ କରିଛନ୍ତି। ଏବେ ମହାରାଷ୍ଟ୍ର ଜନତା ବିଜେପିର ଏହି ବିଶ୍ଵାସଘାତ ଉପରେ ନିଷ୍ପତ୍ତି ନେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.