ଶନିବାର ବରିଷ୍ଠ ନେତାଙ୍କ ସହ ସୋନିଆ ଗାନ୍ଧୀଙ୍କ କବାଟ କିଳା ବୈଠକ, ଚିଠି ବିବାଦର ୪ ମାସ ପରେ ସନ୍ତୁଷ୍ଟ-ଅସନ୍ତୁଷ୍ଟଙ୍କ ସହ କ'ଣ ହେବ ଆଲୋଚନା ?

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ, ୧୮|୧୨ : କଂଗ୍ରେସରେ ଦେଖାଦେଇଥିବା ଆଭ୍ୟନ୍ତରୀଣ କନ୍ଦଳର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଦଳକୁ ମଜବୁତ କରିବା ସହ ସମସ୍ତ ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ସୋନିଆ ଶନିବାର ଏକ ବୈଠକ ଡାକିଛନ୍ତି । ସୋନିଆ ଏହି ବୈଠକରେ ସେହି ଅସନ୍ତୁଷ୍ଟ ନେତାଙ୍କୁ ଭେଟିବେ ଯେଉଁମାନେ ଚିଠି ଲେଖି ନେତୃତ୍ୱ ଉପରେ ପ୍ରଶ୍ନ କରିଥିଲେ । ଏହି ଚିଠିକୁ ନେଇ କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା ।

ଦଳରେ ଫାଟ ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ଚିଠି ଲେଖିଥିବା ନେତା ଅନ୍ୟ ବରିଷ୍ଠ ନେତାଙ୍କୁ ସମାଲୋଚନା କରିଥିଲେ । ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ କରିଥିଲେ । ଏହାମଧ୍ୟରେ ସୋନିଆ ଗାନ୍ଧୀ ଡାକିଥିବା ବୈଠକ ଅଧ୍ୟକ୍ଷ ଚୟନ ସହ କନ୍ଦଳକୁ ପ୍ରଶମିତ କରିବା ପାଇଁ ହୋଇଥିବା କୁହାଯାଉଛି । ତେଣୁ ଏହି ବୈଠକ ଅନେକ ମହତ୍ତ୍ୱ ରଖୁଛି । ଏହାସହ ନିକଟରେ ସରିଥିବା ଅନେକ ନିଗର ନିଗମ ନିର୍ବାଚନରେ ଦଳର ପରାଜୟକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ।

କୁହାଯାଉଛି ଯେ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ସୋନିଆଙ୍କୁ ଭେଟି ଅସନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ପରାମର୍ଶ ଦେଇଥିଲେ । ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପଛରେ କମଲନାଥଙ୍କ ହାତ ଥିବା ଆଲୋଚନା ହେଉଛି । ତେବେ ଚିଠି ଲେଖିଥିବା ୨୩ ନେତା ବୈଠକରେ ସାମିଲ ହେବେ ନାହିଁ । ୫ରୁ ୬ଜଣ ନେତାଙ୍କ ସହ ସୋନିଆ ସାକ୍ଷାତ କରିବେ ।

ଅନ୍ୟଦିଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ  ମମତା ବାନାର୍ଜୀ ଶୁକ୍ରବାର ଜରୁରୀକାଳିନ ବୈଠକ ଡାକିଛନ୍ତି । କାରଣ ଟିଏମସିରୁ ଗୋଟିଏ ପରେ ଗୋଟିଏ ନେତା ମୁହଁ ଫେରାଇଲାଣି । ପ୍ରଥମେ ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଓ ଶୁକ୍ରବାର ବିଧାୟକ ଶୀଳଭଦ୍ର ଦତ୍ତ ମମତାଙ୍କ ହାତ ଛାଡିଛନ୍ତି । ବିଜେପିକୁ କାଉଣ୍ଟର ଦେବା ସହ ନୂଆ ରଣନୀତି ଆପଣାଇବା ପାଇଁ ମମତା ବୈଠକରେ ଆଲୋଚନା କରିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.