ଆମେରିକା ମୋଟ ଜନସଂଖ୍ୟାର ଭାରତୀୟ ଆମେରିକୀୟଙ୍କ ସଂଖ୍ୟା୧%, ଦେଉଛନ୍ତି ରାଜସ୍ୱର ମୋଟ ୬% ଶୁଳ୍କ
15/01/2023 at 4:14 PM

ୱାସିଂଟନ ୧୫।୧: ଆମେରିକା ମୋଟ ଜନସଂଖ୍ୟାରେ ଭାରତୀୟ ଆମେରିକୀୟଙ୍କ ସଂଖ୍ୟା ମାତ୍ର ୧ ପ୍ରତିଶତ। ତେବେ ସେମାନେ ଦେଶକୁ ମୋଟ କରର ୬ ପ୍ରତିଶତ ଦେଉଛନ୍ତି। ଏହା କହିଛନ୍ତି ଆମେରିକା କଂଗ୍ରେସ୍ ସାଂସଦ ରିଚ୍ ମେକ୍କୋର୍ମିକ୍। ସେ ସଂସଦରେ ରଖିଥିବା ଏକ ସଂକ୍ଷିପ୍ତ ବକ୍ତବ୍ୟରେ କହିଛନ୍ତି ଯେ ଏହି ଜାତୀୟ ସମୂଦାୟ ଦେଶରେ ସମସ୍ୟାର କାରଣ ହେଉ ନାହାନ୍ତି ବରଂ ଆଇନର ପାଳନ କରୁଛନ୍ତି। ପେଷାରେ ଡାକ୍ତର ରିଚ୍ ମେକ୍କୋର୍ମିକ୍ ଆମେରିକା ପ୍ରତନିଧି ସଭାରେ ଦେଇଥିବା ତାଙ୍କ ପ୍ରଥମ ଭାଷଣରେ ଏହା କହିଛନ୍ତି।

ସେ କହିଛନ୍ତି ଯେ ତାଙ୍କ କମ୍ୟୁନିଟିରେ ୫ ଚିକିତ୍ସକଙ୍କ ମଧ୍ୟରେ ଜଣେ ଭାରତୀୟ। ସେ ତାଙ୍କ ଭାଷଣରେ ଭାରତୀୟ ଆମେରିକୀୟଙ୍କୁ ମହାନ ଦେଶଭକ୍ତ ବୋଲି କହିଛନ୍ତି। ସେମାନେ ବିଶ୍ୱସ୍ଥ ନାଗରିକ ହୋଇଥିବା ବେଳେ ସବୁଠୁ ଭଲ ବନ୍ଧୁ ବୋଲି ରିଚ୍ କହିଛନ୍ତି। ଭାରତୀୟ ଆମେରିକୀୟଙ୍କୁ ସେ ଦେଶର ଶୀର୍ଷ ଉତ୍ପାଦକ ବୋଲି କହିଛନ୍ତି। ସେମାନେ ସମସ୍ୟା ସୃଷ୍ଟି କରନ୍ତିନି ବରଂ ଦେଶର ଆଇନକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା କହିଛନ୍ତି।

ରିଚ୍ ମେକ୍କୋର୍ମିକ୍ ୮ ନଭେମ୍ବର ୨୦୨୨ରେ ହୋଇଥିବା ମଧ୍ୟାବଧି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ବବ୍ କ୍ରିଶ୍ଚିୟନଙ୍କୁ ହରାଇଥିଲେ। ସଂସଦରେ ସେ ତାଙ୍କ ଭାଷଣରେ ଆମେରିକାରେ ବସବାସ କରୁଥିବା ଭାରତୀୟଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। କହିଛନ୍ତି ଯେ ସେମାନେ ଆମେରିକାରେ ଭଲ ନାଗରିକଙ୍କ ପ୍ରତିନିଧିତ୍ୱ କରନ୍ତି। ଜର୍ଜିଆରେ ଭାରତୀୟ ଆମେରିକୀୟଙ୍କ ସଂଖ୍ୟା ବେଶ ଭଲ। ସେମନଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ହୋଇଥିବା ବେଳେ ଆମ ସମୂଦାୟର ଏକ ବହୁତ ବଡ଼ ଅଂଶ ବୋଲି କହିଛନ୍ତି। ଏଣୁ ଏପରି ଲୋକଙ୍କ ଲାଗି ଆବ୍ରଜନ ପ୍ରକ୍ରିୟା ସୁ ବ୍ୟବସ୍ଥିତ କରାଯିବା ଦରକାର ବୋଲି କହିଛନ୍ତି। ଏଣୁ ତାଙ୍କର ଭାରତୀୟ ମତଦାତାଙ୍କ ଉପରେ ଭଗବାନଙ୍କ ସୁଦୃଷ୍ଟି ରହୁ ବୋଲି ସେ ସଂସଦରେ କହିଛନ୍ତି।