ମହିଳା ପ୍ରାର୍ଥୀ ଖୋଜୁଛି କଂଗ୍ରେସ ! ୪୦ ପ୍ରତିଶତ ଆସନରେ ପ୍ରାର୍ଥୀ ଦେବ କହିଥିଲା, ହେଲେ ମିଳୁନାହାଁନ୍ତି କେହି

Published By : Prameya-News7 Bureau | December 16, 2021 IST

ନୂଆଦିଲ୍ଲୀ ୧୬/୧୨:ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ । ନିର୍ବାଚନରେ ୪୦ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରିଥିଲା କଂଗ୍ରେସ । ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହା କହିଥିଲେ । କିନ୍ତୁ ଏବେ କଂଗ୍ରେସକୁ ପ୍ରାର୍ଥୀ ଦେବା ପାଇଁ ମହିଳା ମିଳୁ ନାହାଁନ୍ତି । ଏପରିକି ଦଳକୁ ଅଧିକ କସରତ କରିବାକୁ ମଧ୍ୟ ପଡୁଛି ।

ସୂଚନାଅନୁସାରେ, ଉତ୍ତରପ୍ରଦେଶରେ ଏକ ସଭାରେ 'ଲଡକି ହୁଁ, ଲଢ୍ ସକତି ହୁଁ' ନାରା ଦେଇଥିଲେ ପ୍ରିୟଙ୍କା । ଏହାସହ ୪୦ ପ୍ରତିଶତ ଆସନରେ ମହିଳା ଲଢିବେ ବୋଲି ସେ କହିଥିଲେ । ଏଥିପାଇଁ ନଭେମ୍ବର ୧୫ ମଧ୍ୟରେ ଆବେଦନ କରିବାକୁ କୁହାଯାଇଥିଲା । ଆବେଦନ ପାଇଁ ୧୧ ହଜାର ଟଙ୍କାର ଡ୍ରାଫ୍ଟ୍ ଜମା କରିବାକୁ କହିଥିଲେ ସେ ।

କିନ୍ତୁ ସମୟସୀମା ସରିଯାଇଛି । ସ୍କ୍ରିନିଂ କମିଟି ଆବେଦନର ଯାଞ୍ଚ ଆରମ୍ଭ କରିଦେଇଛି ।ଦଳର ଲକ୍ଷ୍ନୌ କାର୍ଯ୍ୟାଳୟରେ ୧୧୦ ଜଣ ଆବେଦନ କରିଛନ୍ତି । ଯେଉଁଥିରେ ମାତ୍ର ୧୮ ଜଣ ମହିଳା ଅଛନ୍ତି । ସେହିପରି ଲକ୍ଷ୍ନୌ ମଧ୍ୟରେ ୧୫ ଦାବିଦାରଙ୍କ ମଧ୍ୟରେ ୭ ମହିଳା , ମୋହନଲାଲଗଞ୍ଜରେ ୭ ଆଶାୟୀଙ୍କଠୁ ୩ ମହିଳା, ପୂର୍ବରେ ୧୧ ଆଶାୟୀଙ୍କ ମଧ୍ୟରୁ ୩ ମହିଳା, କ୍ୟାଣ୍ଟରେ ୯ ଆଶାୟୀଙ୍କ ମଧ୍ୟରୁ ୨ ମହିଳା ଓ ନର୍ଥରେ ୯ରୁ ୨ ଜଣ ମହିଳା ଅଛନ୍ତି ।

ଲକ୍ଷ୍ନୌ ସାଙ୍ଗଠନିକ କାର୍ଯ୍ୟାଳୟ ଅଧିନରେ ୭ଟି ଜିଲ୍ଲା ରହିଛି । ଏହି ସବୁ ଜିଲ୍ଲା ପାଇଁ ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଧିକ ପୁରୁଷ ରହିଛନ୍ତି । ଏହି କାରଣରୁ ଦଳକୁ ମହିଳା ପ୍ରାର୍ଥୀ ଖୋଜିବା କଷ୍ଟକର ହୋଇ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.