ସୁଖବିନ୍ଦର ସିଂ ସୁଖୁ ହିମାଚଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ମୁକେଶ ଅଗ୍ନିହୋତ୍ରୀ ଉପ-ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 10, 2022 IST

ନୂଆଦିଲ୍ଲୀ: ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ବିଧାନସଭା ନିର୍ବାଚନରେ ଜିତିବାର ଦୁଇ ଦିନ ଯାଏଁ ଜାରି ରହିଥିବା ଟଣାଓଟରା ପରେ ପାର୍ଟିର ଶୀର୍ଷ ନେତୃତ୍ୱ ସିଏମ ପଦ ପାଇଁ ସୁଖୁଙ୍କ ନାଁରେ ମୋହର ମାରିଛନ୍ତି । ସେହିପରି ପ୍ରଥମ ଥର ପାଇଁ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ରହିବେ । ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନିର୍ବାଚନ ଜିତିବା ପରଠୁ ହିଁ ମୁଖ୍ୟମନ୍ତ୍ରୀ ହେବା ନେଇ ସୁଖୁ ନିଜ ଶକ୍ତି ଦେଖାଇବା ଆରମ୍ଭ କରିଥିଲେ । ନାଦୋନରୁ କଂଗ୍ରେସ ବିଧାୟକ ସୁଖବିନ୍ଦର ସିଂ ସୁଖୁ ଶୁକ୍ରବାର ବିଧାୟକ ଦଳ ବୈଠକ ଠିକ ପୂର୍ବରୁ କଂଗ୍ରେସର ୨୧ ବିଧାୟକଙ୍କ ସହ ଚଣ୍ଡିଗଡରେ ବୈଠକ କରିଥିଲେ ଏବଂ ଶିମଲା ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଉପରେ ଚର୍ଚ୍ଚା କରିଥିଲେ । ଏହି ଘଟଣାକୁ ତାଙ୍କ ଶକ୍ତି ପ୍ରଦର୍ଶନ ରୂପେ ଦେଖାଯାଉଛି ।  

ନବନିର୍ବାଚିତ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ସର୍ବସମ୍ମତିରେ ପ୍ରସ୍ତାବ ପାରିତ କରାଇ ବିଧାୟକ ଦଳ ନେତା ଚୟନର ଅଧିକାରୀ ପାର୍ଟିର ଅଧ୍ୟକ୍ଷଙ୍କୁ ଦିଆଯାଇଥିଲା । ଶନିବାର ସଂଧ୍ୟା ଯାଏଁ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର ହୋଇପାରି ନଥିଲା । ବିଧାନସଭାରେ ସ୍ପଷ୍ଟ ଜନାଦେଶ ମିଳିବା ପରେ ମଧ୍ୟ କଂଗ୍ରେସ ୬ ଥରର ମୁଖ୍ୟମନ୍ତ୍ରୀ ରହିଥିବା ବୀରଭଦ୍ର ସିଂଙ୍କ ବିୟୋଗ ପରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବା କଂଗ୍ରେସ ପାଇଁ କଠିନ ଥିଲା । ବିଧାୟକ ଦଳର ନେତା କିଏ ହେବ ତାହା ଉପରେ ସହମତି ହୋଇପାରି ନଥିଲା ।

ନିର୍ବାଚନ ପ୍ରଚାର କମିଟିର ମୁଖ୍ୟ ସୁଖବିନ୍ଦର ସିଂ ସୁଖୁଙ୍କ ସହ ରାଜ୍ୟର କଂଗ୍ରେସ ମୁଖ୍ୟ ପ୍ରତିଭା ସିଂ, ବିଧାନସଭାର ଆଜି ଯାଏର ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରୀଙ୍କ ସହ ଅନେକ ନେତା ଶୀର୍ଷ ପଦର ଦୌଡରେ ସାମିଲ ଥିଲେ ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.