ଓଡିଶାରେ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଶ୍ରୀକାନ୍ତ ଜେନା
Published By : Prameya-News7 Bureau | October 14, 2018 IST
ଭୁବନେଶ୍ୱର ୧୪/୧୦ : ଓଡିଶାରେ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା | ସାରା ଦେଶରେ ୧୫ ପ୍ରତିଶତରୁ ଅଧିକ ବଣ୍ଟନ ଜନିତ କ୍ଷତି ହେବନି ବୋଲି କେନ୍ଦ୍ର ସରକାର କହିଛନ୍ତି | ଦିଲ୍ଲୀ ଓ ପଞ୍ଜାବ ଭଳି ରାଜ୍ୟରେ ବଣ୍ଟନ ଜନିତ କ୍ଷତି ୧୫ ପ୍ରତିଶତରୁ କମ ହେଉଛି | ଓଡିଶାରେ କାହିଁକି ୪୨ ପ୍ରତିଶତ କ୍ଷତି ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ ଜେନା | ଏହାର ବୋଝ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡୁଛି | ପଞ୍ଜାବରେ ଚାଷୀଙ୍କୁ ମାଗଣା ବିଦ୍ୟୁତ ମିଳୁଥିବା ବେଳେ ଓଡିଶାରେ କାହିଁକି ମିଳୁନାହିଁ | ଅନ୍ୟ ରାଜ୍ୟରେ ଦଳିତ, ପଛୁଆବର୍ଗ ଓ ବିପିଏଲ୍ କାଟାଗୋରିଙ୍କୁ ଅଧା ଦରରେ ବିଜୁଳି ମିଳୁଛି, ଓଡିଶାରେ କାହିଁକି ନୁହେଁ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ | ରାଜନୀତି, କେତେକ ସରକାରୀ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ ବଣ୍ଟନକାରୀ କମ୍ପାନୀଙ୍କ ଦୁର୍ନୀତି ଯୋଗୁଁ ଲୋକଙ୍କ ଉପରେ ବିଦ୍ୟୁତ ବୋଝ ବଢୁଛି ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା | ଜଣେ ଅଧିକାରୀ ଗ୍ରୀଡକୋ, ଓପିଜିସି ଓ ଓପିଟିସିଏଲରେ ଅଧିକାରୀ ଅଛନ୍ତି କାହିଁକି | ଓଇଆରସିର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ଶ୍ରୀକାନ୍ତ | ଓଇଆରସି ଅବସରପ୍ରାପ୍ତ ଆଇଏଏସ ଅଧିକାରୀଙ୍କ କ୍ଲବ ପାଲଟିଛି | ସରକାର ବିଜୁଳି ବିଭାଗର ସମୀକ୍ଷା କରନ୍ତୁ ଏବଂ ଏହାର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି | ଏହାର ତୃତୀୟ ପକ୍ଷ ଅଡିଟ ହେଉ, ସମସ୍ତ ବିପିଏଲ୍ ପରିବାରଙ୍କୁ ମାଗଣା ବିଜୁଳି ମିଳୁ, ଚାଷୀଙ୍କୁ ମାଗଣାରେ ବିଜୁଳି ଦିଆଯାଉ | ବିଜେଡି ସରକାରଙ୍କ ସମୟରେ ୫୦ ହଜାର କୋଟି ଟଙ୍କାର ଦୁର୍ନୀତି ହେଲାଣି ବୋଲି ଅଭିଯୋଗ କରିଛନ୍ତି ଶ୍ରୀକାନ୍ତ ଜେନା |