କରୋନା ଭାଇରସ୍ ଓ ଅର୍ଥବ୍ୟବସ୍ଥାର ମୁକାବିଲା କେମିତି କରାଯିବ, ସରକାରଙ୍କୁ ପରାମର୍ଶ ଦେଲେ ରାହୁଲ ଗାନ୍ଧୀ
5/05/2020 at 7:37 PM

ନୂଆଦିଲ୍ଲୀ ୦୫।୦୫: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଟୁଇଟ୍ କରି ସରକାରଙ୍କୁ କରୋନା ଭାଇରସ୍ ଓ ଅର୍ଥବ୍ୟବସ୍ଥାର କେମିତି ମୁକାବିଲା କରାଯାଏ ସେ ନେଇ ପରାମର୍ଶ ଦେଇଛନ୍ତି। ରାହୁଲ ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି ଯେ, ଭାଇରସ୍ର ମୁକାବିଲା ସମୟରେ ଜୋନ୍ ବିଷୟରେ ଚିନ୍ତା କରନ୍ତୁ ଏବଂ ଅର୍ଥବ୍ୟବସ୍ଥାକୁ ପୁନର୍ବାର ଆରମ୍ଭ କରିବା ସମୟରେ ଆମକୁ ସପ୍ଲାଇ ଚେନ୍ ବିଷୟରେ ଚିନ୍ତା କରିବା ଦରକାର।
ରାହୁଲ ଗାନ୍ଧୀ ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ତଥା ନୋବେଲ୍ ବିଜେତା ଅଭିଜିତ ବାନାର୍ଜୀଙ୍କ ସହ ଦେଶର ସାଂପ୍ରତିକ ସ୍ଥିତି ନେଇ ଆଲୋଚନା କରିଛନ୍ତି। କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶରେ ଲକ୍ଡାଉନ୍ ପରି କୋଠର ପଦକ୍ଷେପ ନିଆଯାଇଛି। ରାହୁଲ ଗାନ୍ଧୀ ଏହାର ଆର୍ଥିକ ପ୍ରଭାବ ବିଷୟରେ ଅର୍ଥଶାସ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି କ୍ରମରେ ମଙ୍ଗଳବାର ରାହୁଲ ଗାନ୍ଧୀ ଅର୍ଥଶାସ୍ତ୍ରୀ ବାନାର୍ଜୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ନ୍ୟାୟ ଯୋଜନା ଉପରେ ସେ କହିଛନ୍ତି ଯେ, ମୋତେ ଲାଗୁଛି ଯଦି ଆମେ ଦେଶର ୬୦ ପ୍ରତିଶତ ଗରିବ ଲୋକଙ୍କୁ କିଛି ପଇସା ଦିଅନ୍ତେ ତେବେ ଏଥିରେ କୌଣସି ସମସ୍ୟା ହେବ ନାହିଁ। ହୋଇପାରେ ଏଥିରୁ କିଛି ଲୋକଙ୍କୁ ଏହାର ଆବଶ୍ୟକତା ପଡିନପାରେ। ସେମାନେ ଏହାର ଖର୍ଚ୍ଚ କଲେ ଏହାର ଅର୍ଥବ୍ୟବସ୍ଥା ଉପରେ ସକରାତ୍ମକ ପ୍ରଭାବ ପଡିବ।
ଏହା ପରେ ବିଜେପି ରାହୁଲ ଗାନ୍ଧୀ ଉପରେ ଶାଣିତ ହମଲା କରିଛି। ଭାରତୀୟ ଜନତା ପାର୍ଟି ମଙ୍ଗଳବାର କହିଛି ଯେ, କଂଗ୍ରେସର ପୂର୍ବତନ ସଭାପତିଙ୍କୁ କହିବା ଉଚିତ୍ ଯେ, ତାଙ୍କ ପାର୍ଟି କଣ କେବଳ ବୟାନ ଦେଇ ଭ୍ରମିତ କରି କୋଭିଡ୍-୧୯ର ମୁକାବିଲା କରିବେ ? କଂଗ୍ରେସ ନେତା କୁହନ୍ତୁ ତାଙ୍କ ପାର୍ଟି କେତେ ଲୋକଙ୍କ ଚିନ୍ତା କରିଛି ଏବଂ ଭୋଜନ, ରାସନ ଯୋଗାଇଛି।
ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶାହାନଓ୍ଵାଜ ହୁସେନ କହିଛନ୍ତି, କେବଳ ଚର୍ଚ୍ଚାରେ ରହିବା ପାଇଁ ବୟାନବାଜି କରିବା ଠିକ୍ ନୁହେଁ। ବରଂ ରାହୁଲଙ୍କୁ ବିରୋଧୀ ଦଳର ଭୂମିକା ନିର୍ବାହ କରିବା ଉଚିତ୍। ସେ କହିଛନ୍ତି, ଯେବେ କଂଗ୍ରେସ୍ କ୍ଷମତାରେ ଥିଲା ତେବେ ରାହୁଲ ଗାନ୍ଧୀ କୌଣସି ବି ଅର୍ଥଶାସ୍ତ୍ରୀଙ୍କ ସହ ଆଲୋଚନା କରି ନାହାନ୍ତି। ରଘୁରାମ ରାଜନ, ଅଭିଜିତ ବାନାର୍ଜୀଙ୍କ ସହ ଆଲୋଚନା କରି ଯାହା କିଛି କହୁଛନ୍ତି, ତାହା ପ୍ରସ୍ତାବ ରୂପେ ଆମକୁ ମିଳି ସାରିଛି।