ବିଜ୍ଞାପନ ମାନହାନୀ ମାମଲାରେ ରାହୁଲ ଗାନ୍ଧି ଆଶ୍ବସ୍ତ; କର୍ଣ୍ଣାଟକର ସ୍ବତନ୍ତ୍ର କୋର୍ଟରୁ ମିଳିଲା ଜାମିନ୍

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ: ବିଜେପି ବିରୋଧରେ ଅପାମନଜନକ ବିଜ୍ଞାପନ ମାମଲାରେ ରାହୁଲ ଗାନ୍ଧିଙ୍କୁ ମିଳିଲା ଜାମିନ୍ । ଖବରକାଗଜ ଗୁଡ଼ିକରେ ଅପମାନଜନକ ବିଜ୍ଞାପନ ଜାରି କରିବା ଅଭିଯୋଗରେ ବିଜେପିର କର୍ଣ୍ଣାଟକ ୟୁନିଟ୍ ପକ୍ଷରୁ ଏକ ମାମଲା ଦାୟର ହୋଇଥିଲା । ଶୁକ୍ରବାର ଏହି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଗତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ତତ୍କାଳୀନ ବିଜେପି ସରକାର ବିଜ୍ଞାପନରେ ୨୦୧୯-୨୦୨୩ ଶାସନ କାଳରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ସମସ୍ତ ସରକାରୀ କାର୍ଯ୍ୟ ପାଇଁ ୪୦ ପ୍ରତିଶତ କମିଶନ ଆଦାୟ କରାଯାଇଥିବା କହି କଂଗ୍ରେସ ଏକ ବିଜ୍ଞାପନରେ ବିଜେପିକୁ ଟାର୍ଗେଟ୍ କରିଥିଲା । ଏହାକୁ ନେଇ କଂଗ୍ରେସ ଏକ ‘ଦୁର୍ନୀତି ହାର କାର୍ଡ’ ମଧ୍ୟ ଜାରି କରିଥିଲା । 

ଏହାକୁ ନେଇ କର୍ଣ୍ଣାଟକ ବିଜେପି ୟୁନିଟ୍ ପକ୍ଷରୁ ଏକ ମାନହାନୀ ମାମଲା ଦାୟର ହୋଇଥିଲା । ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା, ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନାଁରେ ମାମଲାରୁ ରୁଜୁ ହୋଇଥିଲେ । ଏହି ମାମଲାରେ ଜୁନ୍ ୧ ତାରିଖରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଜାମିନ୍ ପ୍ରଦାନ କରିଥିଲେ କୋର୍ଟ । ତେବେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କୋର୍ଟରୁ ଜାମିନ୍ ମିଳିଛି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୩୦ ତାରିଖରେ ହେବ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.