ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବିବାଦୀୟ ବୟାନ: କହିଲେ- କିଏ ଜାଣେ ହେଇଛି କି ନାହିଁ...

Published By : Prameya-News7 Bureau | January 23, 2023 IST

ନୂଆଦିଲ୍ଳୀ,୨୩/୦୧: କେନ୍ଦ୍ରରେ ମୋଦୀ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ପୁଲଓ୍ବାମା ଏବଂ ଉରୀ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା। ସେ ଅଭିଯୋଗ କରିଛନ୍ତି କେନ୍ଦ୍ର ଆଜି ପର୍ଯ୍ୟନ୍ତ ସଂସଦରେ ସର୍ଜିକାଲ୍‌ ଷ୍ଟ୍ରାଇକ୍ କିମ୍ବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ରିପୋର୍ଟ ଦେଇନାହିଁ।

ସୂଚନା ଅନୁଯାୟୀ, ସୋମବାର ଜମ୍ମୁରେ ଭାରତ ଯୋଡ଼ ଯାତ୍ରାରେ ଉଦ୍‌ବୋଧନ ଦେଇ ଦିଗବିଜୟ ସିଂହ କହିଛନ୍ତି ‘ସର୍ଜିକାଲ ଷ୍ଟ୍ରାଇକ୍ କରାଗଲା କିନ୍ତୁ କୌଣସି ପ୍ରମାଣ ଦେଖାଯାଇନାହିଁ। ସେ କେବଳ ମିଥ୍ୟା ପ୍ରଚାର କରୁଛନ୍ତି। ଉରୀ ଆତଙ୍କୀ ଆକ୍ରମଣର ପ୍ରାୟ ୧୦ ଦିନ ପରେ ୨୦୧୬ ରେ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା, ଯେଉଁଠାରେ ଜମ୍ମୁ-କଶ୍ମୀରର ଉରୀରେ ସେନାର ୧୨ ବ୍ରିଗେଡ ମୁଖ୍ୟାଳୟ ଉପରେ ଚାରି ଆତଙ୍କବାଦୀ ଗ୍ରେନେଡରେ ଆକ୍ରମଣ କରିଥିଲେ। ଯେଉଁଥିରେ ୧୮ ସୈନିକ ଶହୀଦ ହୋଇଥିଲେ।’ ଆହୁରି ମଧ୍ୟ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଉପରେ ମିଥ୍ୟା ପ୍ରଚାର କରିଥିବାର ଅଭିଯୋଗ କରିଛନ୍ତି।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏହି ଟିପ୍ପଣୀ ସୋମବାର ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ଼ ଯାତ୍ରାର ଜମ୍ମୁରେ କହିଛନ୍ତି। ଏଏନଆଇ ଅନୁଯାୟୀ, ଦିଗବିଜୟ ସିଂହ କହିଛନ୍ତି ଯେ ଆମର ସିଆରପିଏଫ୍‌ ୪୦ ଯବାନ ପୁଲଓ୍ବାମାରେ ଶହୀଦ ହୋଇଥିଲେ। ସିଆରପିଏଫ୍‌ର ଅଧିକାରୀ ଅନୁରୋଧ କରିଥିଲେ ଯେ କର୍ମୀଙ୍କୁ ଏୟାରଲିଫ୍ଟ କରାଯିବା ଦରକାର, କିନ୍ତୁ ପିଏମ୍‌ ମୋଦୀ ସହମତ ହୋଇନଥିଲେ। ଏଭଳି ଭୁଲ୍‌ କେମିତି ହେଲା? ଆଜି ପର୍ଯ୍ୟନ୍ତ ସଂସଦରେ ପୁଲଓ୍ବାମାକୁ ନେଇ କୌଣସି ରିପୋର୍ଟ ରଖିନାହିଁ।

ସୂଚନାଯୋଗ୍ୟ, ୨୦୧୯ ରେ ପାକିସ୍ତାନ ଆତଙ୍କୀ ସଂଗଠନ ଜୈଶ-ଏ-ମୋହମ୍ମଦ ଦ୍ବାରାର କରାଯାଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍‌ର ୪୦ ଯବାଦ ଶହୀଦ ହୋଇଥିଲେ। ସେହିଭଳି ଉରୀରେ ଆତଙ୍କବାଦୀ ଆକ୍ରମଣର ୧୦ ଦିନ ପରେ ଭାରତୀୟ ଯବାନ ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କରିଥିଲେ।

ତେବେ ଏହି ବୟାନ ପୂର୍ବରୁ ଦିଗବିଜୟ ସିଂହ ଆତଙ୍କବାଦ ଉପରେ ବୟାନ ରଖିଥିଲେ। ସେତେବେଳେ ସେ କହିଥିଲେ ଯେ ଅନୁଚ୍ଛେଦ ୩୭୦ ର ଉଚ୍ଛେଦ ପରେ ଘାଟୀରେ ଆତଙ୍କବାଦ ଏବେବି ସକ୍ରିୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.