କଂଗ୍ରେସ ମୋର କବର ଖୋଳିବାରେ ବ୍ୟସ୍ତ ଏବଂ ମୁଁ ଏକ୍ସପ୍ରେସ୍ଓ୍ଵେ ନିର୍ମାଣରେ… ବିରୋଧୀଙ୍କୁ ମୋଦୀଙ୍କ ଟାର୍ଗେଟ୍
12/03/2023 at 8:19 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ୧୧୮ କିଲୋମିଟର ଦୂରତା ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ହାଇଓ୍ଵେର ଶୁଭାରମ୍ଭ ଫଳରେ ଦୁଇ ସହର ମଧ୍ୟରେ ଯାତ୍ରା ସମୟ ପ୍ରାୟ ୩ ଘଣ୍ଟା ହ୍ରାସ ପାଇ ଏକ ଘଣ୍ଟା ୧୫ ମିନିଟ୍ରେ ପୂରା ହେବ। ଏହି ପ୍ରକଳ୍ପର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି।
କଂଗ୍ରେସକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କଂଗ୍ରେସ ମୋର କବର ଖୋଳିବାରେ ବ୍ୟସ୍ତ ଥିବା ବେଳେ ମୁଁ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ୍ଓ୍ଵେର ନିର୍ମାଣ, ଗରିବଙ୍କ ଜୀବନ ଉନ୍ନତ କରିବାରେ ବ୍ୟସ୍ତ ରହିଲି। କର୍ଣ୍ଣାଟକରେ ଡବଲ ଇଞ୍ଜିନ ସରକାର ଆଧାରରେ କୃଷକଙ୍କୁ ଦୁଇ ଗୁଣା ଫାଇଦା ମିଳୁଛି।କଂଗ୍ରେସ ଶାସନ ସମୟରେ ଗରିବଙ୍କୁ ସରକାରୀ ଯୋଜନାର ଲାଭ ପାଇବା ପାଇଁ ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟ ଦୌଡିବାକୁ ପଡୁଥିଲା। ମାତ୍ର ବିଜେପି ସରକାର ଅମଳରେ ସେମାନଙ୍କୁ ଘରେ ବସି ଫାଇଦା ମିଳି ପାରୁଛି। ଦେଶରେ ଆଧୁନିକ ଭିତ୍ତିଭୂମି ଏବଂ ଆନୁସଙ୍ଗିକ ବିକାଶ ଉପରେ କାମ ଜାରି ରହିଛି। କର୍ଣ୍ଣାଟକ ବଦଳୁଛି, ଭାରତ ବଦଳୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଗରିବଙ୍କୁ କଂଗ୍ରେସ ମେଣ୍ଟ ବର୍ବଦା କରିଥିବା ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି, କଂଗ୍ରେସ ନେତୃତ୍ଵାଧୀନ ମେଣ୍ଟ ଗରିବଙ୍କୁ ବର୍ବାଦ କରିବା ପାଇଁ କୌଣସି ରାସ୍ତା ଛାଡି ନାହିଁ। ଗରିବଙ୍କୁ ଲୁଟୁଥିବା କଂଗ୍ରେସର ଗରିବଙ୍କ ପ୍ରତି କୌଣସି ମହତ୍ଵ କିଛି ନାହିଁ।
ଏକ୍ସପ୍ରେସଓ୍ଵେର ଉଦଘାଟନ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ମହୀଶୂର-କୁଶଳନଗର ଚାରି ଲେନ୍ ରାଜମାର୍ଗର ଶିଳାନ୍ୟାସ୍ କରିଛନ୍ତି। ଏଥିପାଇଁ ୪,୧୩୦ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ବେଙ୍ଗାଲୁରୁ ସହିତ କୁଶଳନଗରର ସହ ଯୋଗାଯୋଗକୁ ଆହୁରି ମଜବୁତ କରିବା ସହିତ ଯାତ୍ରା ସମୟ ପ୍ରାୟ ପାଞ୍ଚ ଘଣ୍ଟା ହ୍ରାସ ପାଇ ମାତ୍ର ଅଢେଇ ଘଣ୍ଟାରେ ପୂରଣ ହେବ। ଏହା ପୂର୍ବରୁ ମୋଦୀ ମାଣ୍ଡ୍ୟାରେ ଏକ ବିଶାଳ ରୋଡ୍ ଶୋ କରିଥିଲେ।