ଗେହଲଟଙ୍କ ଚାଲ୍‌ର ବୁଦ୍ଧିଶୂନ୍ୟ କଂଗ୍ରେସ ଶୀର୍ଷ ନେତୃତ୍ୱ, ସୋନିଆଙ୍କ ଫୋନରେ ହାତ ଟେକିଲେ ସିଏମ

Published By : Prameya-News7 Bureau | September 25, 2022 IST

ଜୟପୁର: ରାଜସ୍ଥାନ କଂଗ୍ରେସ ପୁଣି ଥରେ ଦୁଇ ଭାଗ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଅଶୋକ ଗେହଲଟ ପ୍ରାର୍ଥୀ ହେବା ଚର୍ଚ୍ଚା ପରେ ଆରମ୍ଭ ହୋଇଥିବା ରାଜନୈତିକ ସଂକଟ ଏବେ ବଡ଼ ରୂପ ନେଇଛି । ଗେହଲଟଙ୍କ ପରେ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ସମ୍ଭାବିତ ନିଷ୍ପତ୍ତି ପରେ ବଡ଼ ବିରୋଧ ଆରମ୍ଭ ହୋଇଛି । ଅଶୋକ ଗେହଲଟ ଗୋଷ୍ଠୀର ସମସ୍ତ ବିଧାୟକ ଇସ୍ତଫା ଦେଇଛନ୍ତି ।

ଗେହଲଟଙ୍କ ଏହି ଆଭିମୁଖ୍ୟରେ ଦଳର ଶୀର୍ଷ ନେତୃତ୍ୱ ବୁଦ୍ଧିଶୂନ୍ୟ ହୋଇଛି । ସୂତ୍ର ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ କେସି ବେଣୁଗୋପାଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଫୋନ କରି ଜୟପୁରରେ କଣ ଚାଲିଛି ବୋଲି ପ୍ରଶ୍ନ କରିଥିଲେ। କୁହାଯାଇଛି ଏହାର ଜବାବରେ ମୁଖ୍ୟମନ୍ତ୍ରୀ ହାତ ଟେକି ଦେଇଥିଲେ ଏବଂ ତାଙ୍କ ନିୟନ୍ତ୍ରଣରେ କିଛି ନଥିବା କହିଥିଲେ । ସେ କହିଛନ୍ତି, ଏହା ବିଧାୟକଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଏଥିରେ କାହାରି ହାତ ନାହିଁ।

ଦିଲ୍ଲୀରୁ ରାଜସ୍ଥାନ ଯାଇଥିବା ପର୍ଯ୍ୟବକ୍ଷେକ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକନଙ୍କ ଉପସ୍ଥିତିରେ ରବିବାର ସଂଧ୍ୟାରେ ଗେହଲଟଙ୍କ ଆବାସରେ ବିଧାୟକ ଦଳ ବୈଠକ ହୋଇଥାନ୍ତି । କୁହାଯାଉଛି ଏଥିରେ ଏକ ପ୍ରସ୍ତାବ ପାରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥାନ୍ତା । ତେବେ ଗେହଲଟ ଗୋଷ୍ଠୀର ଆଶଂକା ଥିଲା ଯେ, ଶୀର୍ଷ ନେତୃତ୍ୱ ସଚିନ ପାଇଲଟଙ୍କୁ କ୍ଷମତା ହସ୍ତାନ୍ତର କରିବେ । ଏହା ପୂର୍ବରୁ ଗେହଲଟ ଗୋଷ୍ଠୀର ବିଧାୟକ ବିଦ୍ରୋହ କରି ଇସ୍ତଫା ଦେଇଛନ୍ତି । ଏହାସହ ପାଇଲଟ ମଞ୍ଜୁର ନଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.