ମୋଦିଙ୍କ ସହ କି ଦେଶର ଜନତାଙ୍କ ସହ, କାହା ସଙ୍ଗେ ଛିଡା ହେବ କଂଗ୍ରେସ ତାହା ନିର୍ଦ୍ଧାରଣ କରୁ: କେଜରିୱାଲ
30/05/2023 at 7:29 PM

ନୂଆଦିଲ୍ଲୀ ୩୦।୫: ରାଜଧାନୀ ଦିଲ୍ଲୀର ସେବାଗୁଡ଼ିକ ଉପରେ ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିରୋଧୀ ଦଳମାନଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଥିରେ କେଜରିୱାଲ ମଙ୍ଗଳବାର ସିପିଆଇ(ଏମ) ନେତା ସୀତାରାମ ୟେଚୁରୀଙ୍କୁ ଭେଟିଛନ୍ତି। ସୀତାରାମ ୟେଚୁରୀ ପ୍ରସଙ୍ଗରେ ଦିଲ୍ଲୀର ଜନତାଙ୍କ ସହ ଛିଡା ହେବାକୁ ଓ କେଜରିୱାଲ ସରକାରଙ୍କୁ ସମର୍ଥନ ଦେବାକୁ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ପ୍ରସଙ୍ଗରେ କଂଗ୍ରେସକୁ ନେଇ ପ୍ରଶ୍ନ ଉଠିବାରୁ କେଜରିୱାଲ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ପ୍ରସଙ୍ଗରେ କଂଗ୍ରେସ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ରହିବ କି ଦେଶର ଜନତାଙ୍କ ସହ ରହିବ ଏହା ତା ଉପରେ ନିର୍ଭର କରେ। କେଜରିୱାଲ ପ୍ରସଙ୍ଗ ଦେଶର ଓ ଗଣତନ୍ତ୍ରର, ଦିଲ୍ଲୀ ଜନତାଙ୍କର ଯେଉଁ ଅପମାନ ହୋଇଛି ଏହି ଅପମାନ ସମ୍ବିଧାନର, ଏଣୁ କଂଗ୍ରେସକୁ ମୋର ବିନତୀ କେଜରିୱାଲକୁ ଛାଡିଦିଅ ଦେଶରେ ଜନତା ଓ ଗଣତନ୍ତ୍ରର ସାଥ ଦିଅ ବୋଲି କହିଛନ୍ତି। ସେ କଂଗ୍ରେସକୁ କହିଛନ୍ତି ଯେ ଏହି ପ୍ରସଙ୍ଗ କୌଣସି ଜଣକର ନୁହେଁ ବରଂ ସାରା ଦେଶର।

ଉଲ୍ଲେଖ ଯୋଗ୍ୟ ଯେ କେନ୍ଦ୍ର ସରକାର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ଓ ଡ୍ୟାନିକ୍ସ କ୍ୟାଡରର ଅଧିକାରୀଙ୍କ ବଦଳୀ ଓ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ଜାତୀୟ ରାଜଧାନୀ ସିଭିଲ ସେବା ପ୍ରାଧିକରଣ ଗଠନ ଲାଗି ଏକ ଅଧ୍ୟାଦେଶ ଜାରି କରିଛନ୍ତି। ଏହି ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦିଲ୍ଲୀର ନିର୍ବାଚିତ ସରକାରଙ୍କ ପୋଲିସ, ସାର୍ବଜନିକ ବ୍ୟବସ୍ଥା ଓ ଭୂମି ସମ୍ପର୍କିତ ମାମଲାକୁ ଛାଡି ଅନ୍ୟ ମାମଲାର ନିୟନ୍ତ୍ରଣ ପ୍ରଦାନ ପରେ ଜାରି ହୋଇଛି। ଏହି ଅଧ୍ୟାଦେଶ ଘୋଷଣାର ୬ ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ସଂସଦରେ ଏଥି ପାଇଁ ଏକ ବିଧେୟକ ଗୃହୀତ କରିବାକୁ ହେବ। ଏହାକୁ ରାଜ୍ୟସଭାରେ ଗୃହୀତ ନ କରାଇ ଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବେ ବିରୋଧୀ ଦଳମାନଙ୍କ ସହଯୋଗ କାମନା କରୁଛନ୍ତି।
ଏଥିରେ ମଙ୍ଗଳବାର ସିପିଆଇ(ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ସଂସଦରେ ଏ ସମ୍ପର୍କିତ ବିଧେୟକକୁ ବିରୋଧ କରିବା ପାଇଁ ଆମ ଆଦମୀ ପାର୍ଟି (ଆପ)ର ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରସଙ୍ଗରେ ୟେଚୁରୀ ଅନ୍ୟ ବିରୋଧୀ ଦଳମାନଙ୍କୁ ମଧ୍ୟ ଆପକୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି। ଏହା ପୂର୍ବରୁ କେଜରିୱାଲ ମାମଲାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଥିବା ବେଳେ ପରେ ମମତା ବାନାର୍ଜୀ, ଉଦ୍ଧବ ଠାକରେ ଆଦିଙ୍କୁ ମଧ୍ୟ ଭେଟିଛନ୍ତି। ପ୍ରସଙ୍ଗରେ ସମସ୍ତେ ଆପକୁ ସମର୍ଥନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ପ୍ରସଙ୍ଗରେ କଂଗ୍ରେସ ଏପର୍ଯ୍ୟନ୍ତ ନୀତି ସ୍ପଷ୍ଟ କରିନଥିବା ବେଳେ ଦଳୀୟ ନେତାମାନେ ଏଣୁତେଣୁ କହୁଛନ୍ତି। ଏ ବାବଦେ କେଜରିୱାଲ କହିଛନ୍ତି ଯେ ମାମଲାରେ କେଜରିୱାଲକୁ କଂଗ୍ରେସ ସମର୍ଥନ କରିବନି ବୋଲି ଗଣମାଧ୍ୟମ ଖବରରୁ ଜାଣିବାକୁ ପାଉଛି। ତେବେ ପ୍ରସଙ୍ଗରେ କେଜରିୱାଲ ଗୁରୁତ୍ୱପୂର୍ଣ୍ଣ ନୁହେଁ ଜନତା ଗୁରୁତ୍ୱପୂର୍ଣ୍ଣ, ଗଣତନ୍ତ୍ର ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏଣୁ କଂଗ୍ରେସ ଏବେଠୁ ନିଜର ସ୍ଥିତି ସ୍ପଷ୍ଟ କରିନେବା ଭଲ ବୋଲି କେଜରିୱାଲ କହିଛନ୍ତି।