ପଳାୟନ ରୋକିବାରେ କଂଗ୍ରେସ ବିଫଳ, କେବଳ ସିବଲ ନୁହନ୍ତି ୨୦୨୨ରେ ଦଳ ଛାଡି ସାରିଛନ୍ତି ଅନେକ ନେତା
25/05/2022 at 5:47 PM

ନୂଆଦିଲ୍ଲୀ: କିଛି ଦିନ ତଳେ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର ସଂପନ୍ନ ହୋଇଥିଲା। ଏଥିରେ ଦଳର ପୁନରୁଦ୍ଧାର ଏବଂ ସାଂଗଠନିକ ମଜବୁତ ପାଇଁ ଅନେକ ପ୍ରସ୍ତାବ ପାରିତ ହୋଇଥିଲା। ଏପରିକି ଅନସ୍ତୁଷ୍ଟ ନେତାଙ୍କୁ ମନାଇବା ଏବଂ ନେତା ଯେମିତି ଦଳ ନଛାଡିବେ ସେଥିପ୍ରତି ମଧ୍ୟ ଗୁରୁତ୍ଵରୋପ କରାଯାଇଥିଲା। ଏହା ସତ୍ତ୍ଵେ ବି ନିଜ ନେତାଙ୍କ ପଳାୟନ ରୋକି ପାରୁନାହିଁ ଦଳ। ଏହାର ସବୁଠୁ ସଦ୍ୟତମ ଉଦାହରଣ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ। ସେ ବୁଧବାର ଦେଶର ସର୍ବ ପୁରାତନ ଦଳ କଂଗ୍ରେସର ହାତ ଛାଡିଛନ୍ତି। ସିବଲଙ୍କ ବ୍ୟତୀତ ସଂଗଠନରେ ବଡ ବଡ ପଦରେ ବସିଥିବା ଅନେକ ନେତା ମଧ୍ୟ କଂଗ୍ରେସ ଛାଡିଛନ୍ତି। ଏହାର ସବୁଠୁ ବଡ କାରଣ ଅନେକ ରାଜ୍ୟରେ ପାର୍ଟି ଆଭ୍ୟନ୍ତରୀଣ କନ୍ଦଳ ଦେଇ ଗତି କରୁଛି।
ଅନେକ ମାସ ଧରି ପାର୍ଟି ନେତୃତ୍ଵକୁ ନେଇ ସର୍ବଦା ପ୍ରଶ୍ନ ଉଠାଇ ଆସିଥିବା କପିଲ୍ ସିବଲ ବୁଧବାର ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିର ସମର୍ଥନରେ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସିବଲ କହିଛନ୍ତି, ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରର କିଛି ଦିନ ପରେ ମେ ୧୬ରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।
ଚଳିତ ବର୍ଷ କଂଗ୍ରେସ ଛାଡିଥିବା ନେତା
ସୁନୀଲ ଜାଖଡ– ପଞ୍ଜାବ କଂଗ୍ରେସର ପୂର୍ବତନ ପ୍ରମୁଖ ସୁନୀଲ ଜାଖଡ ଗତ ଗୁରୁବାର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଗତ ମାସରେ ଦଳ ବିରୋଧୀ ଗତିବିଧି ପାଇଁ ତାଙ୍କୁ ସବୁ ପଦରୁ ହଟାଇ ଦିଆଯାଇଥିଲା। ଜାଖଡ କହିଛନ୍ତି, ସେ ପଞ୍ଜାବରେ ରାଷ୍ଟ୍ରବାଦ, ଭାଇଚାରା ଏବଂ ଏକତା ପରି ପ୍ରସଙ୍ଗ ନେଇ କଂଗ୍ରେସ ଛାଡିବାକୁ ନିଷ୍ପତ୍ତି ନେଇଛି।
ହାର୍ଦ୍ଦିକ ପଟେଲ୍– ଗୁଜରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗତ କିଛି ସପ୍ତାହରେ ହାର୍ଦ୍ଦିକ ପଟେଲ ପାର୍ଟିର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ କଂଗ୍ରେସ ପାଖରେ କୌଣସି ରୋଡ୍ ମ୍ୟାପ୍ ନାହିଁ। ଅଯୋଧ୍ୟାରେ ରାମ ମନ୍ଦିର, ଜାମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ, ଜିଏସଟିର କାର୍ଯ୍ୟନ୍ଵୟନ ପରି ପ୍ରସଙ୍ଗର ସମାଧାନ ଚାହେଁ କଂଗ୍ରେସ। ସଂପ୍ରତି ହାର୍ଦ୍ଦିକ ଅଦ୍ୟାବଧି କୌଣସି ପାର୍ଟିରେ ଯୋଗ ଦେଇ ନାହାନ୍ତି। ହେଲେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇ ପାରନ୍ତି।
ରିପୁନ ବୋରା– ଆସାମର ପୂର୍ବତନ ପିସିସି ସଭାପତି ରିପୁନ ବୋରା କଂଗ୍ରେସ ଛାଡି ଏପ୍ରିଲ ମାସରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ନିଜର ଇସ୍ତଫାରେ ବୋରା କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପ୍ରତି ଇସାରା କରିଥିଲେ।
ଅଶ୍ଵିନୀ କୁମାର– ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଫେବୃଆରୀରେ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ପାର୍ଟି ଛାଡିଥିଲେ। କୁମାର କହିଛନ୍ତି, ସେ ସଂପ୍ରତି ପାର୍ଟିରୁ ବାହାରେ ରହି ଦେଶ ସେବା କରିବେ।
ଆରପିଏନ ସିଂହ– ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ ଚଳିତ ବର୍ଷ ଜାନୁଆରୀରେ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ୟୁପି ବିଧାନସଭା ନିର୍ବାଚନ ପାଇଁ ଦଳ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ୍ କରିଥିଲା। ତାଲିକା ଜାରି ହେବାର ଗୋଟିଏ ଦିନ ପରେ ଆରପିଏନ ସିଂହ କଂଗ୍ରେସରୁ ଇସ୍ତଫା ଦେଇଥିଲେ।