ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ କଂଗ୍ରେସର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଚିଠିକୁ ନେଇ କଂଗ୍ରେସରେ ଆରମ୍ଭ ହେଲା ଘଣ୍ଟାଚକଟା

Published By : Prameya-News7 Bureau | November 19, 2018 IST

ଭୁବନେଶ୍ବର ୧୯|୧୧: ବିଧାୟକ ପଦରୁ ସିନା କୃଷ୍ଣ ସଗରିଆ ଇସ୍ଥଫା ଦେଲେ ହେଲେ କଂଗ୍ରେସର ମୁଣ୍ଡ ବିନ୍ଧା କିନ୍ତୁ କମିବା ବଦଳରେ ବଢି ବଢି ଚାଲିଛି । ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କୁ ଯେଉଁ ଢଙ୍ଗରେ କୃଷ୍ଣ ଚିଠି ଲେଖିଛନ୍ତି ତାକୁ ନେଇ ଦଳଭିତରେ ହଲ ଚଲ ହେଲାଣି । ସଗରିଆଙ୍କ ପଛରେ ଶ୍ରିକାନ୍ତ ଜେନା ଚକ୍ରାନ୍ତ କରୁଛନ୍ତି ବୋଲି କିଛି ନେତା ଖୋଲା ଖୋଲି କହିବା ପରେ ଏହି ପ୍ରସଙ୍ଗ ଆଗକୁ ଦଳ ଭିତରେ ବଡ ଇସ୍ୟୁ ହେବାକୁ ଯାଉଛି । ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣ ସଗରିଆଙ୍କ ଚିଠିକୁ ନେଇ କଂଗ୍ରେସରେ  ଘମାସାନ । ପୁରୁଣା ଦିନର କଥା ଚେତେଇ ଦେଇ କୃଷ୍ଣ ସଗରିଆ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ପାଖକୁ ଯେଭଳି ଚିଠି ଲେଖିଛନ୍ତି ତାହା କଂଗ୍ରେସ ଭିତରେ ଚାଲିଥିବା ମହାଭାରତକୁ ପଦାକୁ ଆଣିଛି । ସଗରିଆ ଲେଖିଛନ୍ତି  ଯେ ଆଦିବାସୀ ଓ ଦଳିତ ଛାତ୍ର ଛାତ୍ରୀଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗରେ ନରସିଂହ କୁଆଡେ ମୁଖ୍ୟମନ୍ତ୍ରୀଙ୍କୁ ପାଦତଳେ ପଡି ଅନୁରୋଧ କରିବାକୁ ପରାମର୍ଶ ଦେଇଥିଲେ । କଥା ସେତିକିରେ ସରିନି । ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କର କିଭଳି ସୁସଂପର୍କ ଅଛି ତାର ପୋଲ୍ ମଧ୍ୟ ଖୋଲିଛନ୍ତି କୃଷ୍ଣ । ଯାହାକୁ ନେଇ କଂଗ୍ରେସ ଭିତରେ ଆରମ୍ଭ ହେଲାଣି କାଦୁଅ ଫିଙ୍ଗା । ସଗରିଆଙ୍କ ପଛରେ ଶ୍ରୀକାନ୍ତ ଜେନାଙ୍କ ଚକ୍ରାନ୍ତ ଅଛି ବୋଲି ଏବେ କଂଗ୍ରେସର ଗୋଟିଏ ଗୋଷ୍ଠି ଖୋଲା ଖୋଲି କହିବା ଆରମ୍ଭ କଲେଣି । ଶ୍ରୀକାନ୍ତ ଜେନାଙ୍କ ଇସାରାରେ ନରସିଂହଙ୍କୁ କୃଷ୍ଣ ଟାର୍ଗେଟ କରିଥିବା ନେଇ ଦଳର ତାରା ବାହିନିପତି, ଡ. ପ୍ରଫୁଲ ମାଝି ଭଳି କିଛି ନେତା ଇଂଗିତ କରିଛନ୍ତି । ସିଜନ୍‌ଡ ପଲିଟିସିଆନ ଶ୍ରୀକାନ୍ତ ଜେନା ନରସିଂହ କ୍ୟାମ୍ପର ନେତାଙ୍କ ଗୁଗଲିକୁ ଆରାମରେ ଡିଫେଣ୍ଡ କରିଛନ୍ତି । କହିଛନ୍ତି କିଏ କଣ କହୁଛନ୍ତି ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପାଦତଳେ ପଡି ଯଦି ଦାବି ପୁରଣ ହୋଇଯାଇଥାନ୍ତା ତା​‌​‌ହେଲେ  ରାଜନୈତିକ ଦଳମାନେ କାହିଁକି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଳାନ୍ତେ । ଦଳରେ ଥାଇ କୃଷ୍ଣ ସଗରିଆଙ୍କ ବିଦ୍ରୋହ ଏବଂ ତା ପଛରେ ଶ୍ରୀକାନ୍ତ ଜେନାଙ୍କ କଥାକୁ ବହୁ ନେତା ହଜମ କରିପାରୁ ନାହାନ୍ତି । କୃଷ୍ଣ ସଗରିଆଙ୍କ ବିରୋଧରେ ତୁରନ୍ତ ଦଳ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ଆଉ ଗୋଟିଏ ଗୋଷ୍ଠି ଦାବି କରିଛନ୍ତି । କଂଗ୍ରେସ ଭିତରେ ଏତେ ଘଣ୍ଟା ଚକଟା ଚାଲିଥିଲେ ବି ବିରୋଧି ଦଳ ନେତା ନରସିଂହ ମିଶ୍ର କିନ୍ତୁ ଏନେଇ ମୁହଁ ​‌ଖୋଲୁନାହାନ୍ତି । ନରସିଂହଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ଭଲ ସଂପକ ଅଛି ବୋଲି କୃଷ୍ଣ ସଗରିଆ ଯେଉଁ କାର୍ଡ ଖେଳିଛନ୍ତି ତାକୁ ନେଇ ଦଳ ଭିତରେ  ଆଗକୁ ଆହୁରି ବଡ ଇସୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.