୪ବର୍ଷ ଭିତରେ ସରକାର ଖାଇଗଲେ ୫୦ହଜାର ଚାକିରୀ : କଂଗ୍ରେସ
8/11/2018 at 5:24 PM

ଭୁବନେଶ୍ବର ୮|୧୧: ନିଯୁକ୍ତିକୁ ନେଇ ବିଜେପି-ବିଜେଡି ଭିତରେ କାଦୁଅ ଫିଙ୍ଗାଫିଙ୍ଗି ଚାଲିଥିବାବେଳେ ଆଜି କଂଗ୍ରେସ ସେଥିରେ ଏଣ୍ଟ୍ରି ମାରିଛି । କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାଏକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟରେ ବେକାର ଯୁବକ ଯୁବତୀଙ୍କ ପାଇଁ ବିଜେପି ଏବଂ ବିଜେଡି ଉଭୟେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନିଯୁକ୍ତି ପାଇଁ ଯଦି ଏତେ ଉଦବେଗ ତାହେଲେ ଗତ ୪ବର୍ଷ ଭିତରେ ବିଜେଡି ସରକାର ୫୦ ହଜାର ସରକାରୀ ପଦବୀରେ ବେକାରଙ୍କୁ ନିଯୁକ୍ତି ନଦେଇ ଅବସରପ୍ରାପ୍ତ ଲୋକଙ୍କୁ କାହିଁକି ପୁନଃଥଇଥାନ କଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଓଡିଆ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ଏବେ ବିଜୁ ଜନତା ଦଳ ରାଜରାସ୍ତାକୁ ଆସିଛି । ୩ଦିନ ଧରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛି । କିନ୍ତୁ ଓଡିଶାରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ କାର୍ଯ୍ୟାଳୟରେ ଓଡିଆଙ୍କୁ ନିଯୁକ୍ତି ସଂପର୍କରେ ଓଡିଶାର ୨୦ଜଣ ଲୋକସଭା ଏବଂ ୮ଜଣ ରାଜ୍ୟସଭା ସାଂସଦ ପର୍ଲାମେଣ୍ଟରେ କେବେ କାହିଁକି ଦାବି କରିନାହାନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ରୀୟ ଅବହେଳାକୁ ନେଇ ଚିଠି ଲେଖିବାରେ ଓସ୍ତାଦ ନବୀନ ଏ ସଂକ୍ରାନ୍ତରେ ପ୍ରଶାସନିକ ସ୍ତରରେ ମଧ୍ୟ କେବେ କାହିଁକି କେନ୍ଦ୍ର ଉପରେ ଚାପ ପକାଇନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିଭଳି ରାଜ୍ୟରେ ଗଢି ଉଠିଥିବା ଶିଳ୍ପ ସଂସ୍ଥାଗୁଡିକରେ ସ୍ଥାନୀୟ ଲୋକ ବା ଓଡିଆ ଯୁବକ ଯୁବତୀଙ୍କୁ କେତେ ଚାକିରୀ ଦିଆଯାଇଛି ତାର ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ଅଛିକି ବୋଲି ସେ ପ୍ରଶ୍ନ କରିବା ସହ ଶିଳ୍ପ ସଂସ୍ଥାଗୁଡିକ ସହ ଚୁକ୍ତି କଲାବେଳେ ସ୍ଥାନୀୟଲୋକଙ୍କ ନିଯୁକ୍ତି ବାବଦରେ କାହିଁକି ସର୍ତ୍ତ ରଖାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରୀୟ ପିଏସୟୁ କାର୍ଯ୍ୟାଳୟରେ ନିଯୁକ୍ତି ଦାବି ଓ ବିକ୍ଷୋଭ ପ୍ରଦର୍ଶନ କରି ବିଜେଡି କେବଳ ଯେ ଆଞ୍ଚଳିକବାଦ ତିଆରି କରୁଥିବା ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ।
ବର୍ଷକୁ ଦୁଇ କୋଟି ନିଯୁକ୍ତି ଦେବାକୁ କହି ସରକାରକୁ ଆସିଥିବା ଭାରତୀୟ ଜନତା ପାର୍ଟିକୁ ମଧ୍ୟ ଶ୍ରୀ ନାଏକ ସମାଲୋଚନା କରିଛନ୍ତି । ପାରାଦୀପ ତୈଳ ବିଶୋଧନାଗାରରେ ଆଞ୍ଚଳିକ ଲୋକଙ୍କୁ ନିଯୁକ୍ତି ପାଇଁ ଏମଓୟୁରେ କାହିଁକି ସର୍ତ୍ତ ରଖାଗଲାନାହିଁ ବୋଲି କହି ସେ ରାଜ୍ୟ ସରକାରଙ୍କୁ ସମାଲୋଚନନା କରିଥିବାବେଳେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।
ରାଜ୍ୟରେ ଥିବା ବିଶ୍ବବିଦ୍ୟାଳୟ ଗୁଡିକରେ ୪୨ପ୍ରତିଶତ ଶିକ୍ଷକ ପଦବୀ ଖାଲିପଡିଥିବାବେଳେ ୪୭ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ପଡିଛି । ସେହିଭଳି ମହାବିଦ୍ୟାଳୟ ଗୁଡିକରେ ୪୮ପ୍ରତିଶତ ପଦବୀ ଖଲି ପଡିଛି । ଏସବୁ ପଦବୀ ପୂରଣ କରାଗଲେ ମଧ୍ୟ ଏକ ବଡ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଅନ୍ତା ବୋଲି ଶ୍ରୀ ନାଏକ କହିଛନ୍ତି ।
୫୦ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବାପରେ ଆଉ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯିବନାହିଁ ବୋଲି ନିକଟରେ ସରକାର ନେଇଥିବା ନୀତିକୁ ଶ୍ରୀ ନାଏକ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ପୁନଃ ନିଯୁକ୍ତି ପାଇଥିବା ୫୦ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବହିଷ୍କାର କରିବା ପାଇଁ ଏହି ନିଷ୍ପତ୍ତିରେ ଉଲ୍ଲେଖ କରାଗଲା ନାହିଁ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ।