ବେଙ୍ଗଲରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦିଦିଙ୍କୁ ଝଟକା, ଉପନିର୍ବାଚନରେ ହାତରୁ ଖସିଲା ସାଗରଦିଘୀ ସିଟ୍‌,ଖାତା ଖୋଲିଲା କଂଗ୍ରେସ

Published By : Prameya-News7 Bureau | March 02, 2023 IST

କୋଲକାତା ୨।୩: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଠିକ୍ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମସି)କୁ ରାଜ୍ୟରେ ଝଟକା ଲାଗିଛି। ସାଗରଦିଘୀ ବିଧାନସଭା ଆସନ ଲାଗି ହୋଇଥିବା ଉପନିର୍ବାଚନରେ ଟିଏମସି ପ୍ରାର୍ଥୀ ୨୨ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି। ଏହି ନିର୍ବାଚନରେ କଂଗ୍ରେସ ଓ ବାମପନ୍ଥୀ ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଦୀର୍ଘ ୧୩ ବର୍ଷ ପରେ ଏହି ଆସନଟିକୁ ଟିଏମସି ହରାଇଛି। ୨୦୧୧ ନିର୍ବାଚନରୁ ଏଠାରେ ଟିଏମସି ଲଗାତାର ଜିତି ଆସୁଥିଲା।

ମୁର୍ଶିଦାବାଦ ଜିଲ୍ଲାର ଏହି ସିଟ୍‌ ରେ ଟିଏମସିର ବିଧାୟକ ଓ ମନ୍ତ୍ରୀ ଥିବା ସୁବ୍ରତ ସାହଙ୍କ ମୃତ୍ୟୁ ଯୋଗୁ ଏଠାରେ ଉପନିର୍ବାଚନର ଆବଶ୍ୟକତା ପଡିଥିଲା। ଗତବର୍ଷ ଡିସେମ୍ବର ମାସରେ ସାହଙ୍କ ମୃତ୍ୟୁ ହୋଇଥିଲା। ନିର୍ବାଚନରେ ବାମପନ୍ଥୀଙ୍କ ସମର୍ଥନରେ କଂଗ୍ରେସ ପ୍ରାର୍ଥୀ ବାଇରନ ବିଶ୍ୱାସ ଏଠାରେ ବିଜୟୀ ହୋଇଛନ୍ତି। ଏହି ବିଜୟ କଂଗ୍ରେସକୁ ଖୁସି କରିଦେଇଛି। ସାଗରଦିଘୀ ନିର୍ବାଚନମଣ୍ଡଳି ବିଡି ଉଦ୍ୟୋଗ ଲାଗି ପ୍ରଶିଦ୍ଧ। ଏଠାକାର ୬୦ ପ୍ରତିଶତ ଜନସଂଖ୍ୟା ମୁସଲମାନ। ଏହା ଛଡା ଗ୍ରାମାଞ୍ଚଳରେ ୧୮.୫ ପ୍ରତିଶତ ଦଳିତ ଓ ୬.୫ ପ୍ରତିଶତ ଭୋଟର ଆଦିବାସୀ । ୨.୩ ଲକ୍ଷ ଭୋଟରର ଏହି ସିଟ୍‌ରେ ବିଜୟ ରାଜ୍ୟରେ କଂଗ୍ରେସର ସାହସକୁ ବଢାଇଛି।

{"id":752923,"sizeSlug":"full","linkDestination":"none"}

ଏହା ଛଡା ପଶ୍ଚିମବଙ୍ଗରେ କଂଗ୍ରେସ ଏବେ ନିଜର ଅସ୍ତିତ୍ୱର ଲଢେଇ ଲଢୁଛି। ଏଥିରେ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ରାଜ୍ୟରେ ଦଳକୁ ଉତ୍ସାହିତ କରିଛି। ଫଳାଫଳକୁ ନେଇ ଟିଏମସି ନେତ୍ରୀ ମମତା ବାନାର୍ଜୀ ନିର୍ବାଚନରେ ବାମପନ୍ଥୀ, କଂଗ୍ରେସ ଓ ବିଜେପିର ମେଣ୍ଟ ଥିଲା ବୋଲି କହିଛନ୍ତି। ଏହି ଫଳାଫଳକୁ ନେଇ ମମତା ବାନାର୍ଜୀ ଏତେ ଉତକ୍ଷିପ୍ତ ହୋଇପଡିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ଟିଏମସି ରାଜ୍ୟରେ କଂଗ୍ରେସ ଓ ବାମପନ୍ଥୀଙ୍କ ସହ ଆଉ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଛନ୍ତି।

ମମତା ବାନାର୍ଜୀ କହିଛନ୍ତି ଯେ ଏହି ଉପନିର୍ବାଚନରେ ବିଜେପି, ବାମଦଳ ଓ କଂଗ୍ରେସ ମଧ୍ୟରେ ଅନୈତିକ ମେଣ୍ଟ ହୋଇଥିଲା। ଏଥିରେ ବିଜେପି ନିଜ ଭାଗର ଭୋଟ କଂଗ୍ରେସକୁ ଟ୍ରାନ୍ସଫର କରାଇଥିବାର ମମତା ଅଭିଯୋଗ କରିଛନ୍ତି। ରାଜ୍ୟରେ ବାମ ଦଳ ଓ କଂଗ୍ରେସ ଚାହାନ୍ତି ମମତା ବାନାର୍ଜୀ ସେମାନଙ୍କ ସହ ଆସନ୍ତୁ। ଯଦି ଏପରି ହୁଏ ରାଜ୍ୟରେ ବିଜେପିର ମୁକାବିଲା ସେ କିପରି କରିବେ ବୋଲି ମମତା ପ୍ରଶ୍ନ କରିଛନ୍ତି। ଏଣୁ ରାଜ୍ୟରେ ଟିଏମସି ଏକାକୀ ଏହି ନୂଆ ମେଣ୍ଟର ମୁକାବିଲା କରିବ ବୋଲି ମମତା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.