କଂଗ୍ରେସର ଆସ୍କା ବିଧାନସଭା ପ୍ରାର୍ଥୀଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

Published By : Prameya-News7 Bureau | May 22, 2019 IST

ବ୍ରହ୍ମପୁର ୨୨।୫:  କଂଗ୍ରେସର ଆସ୍କା ବିଧାନସଭା ଆସନ ପ୍ରାର୍ଥୀ ମନୋଜ ଜେନାଙ୍କୁ ଆଜି ବିଳମ୍ବିତ ସନ୍ଧ୍ୟାରେ ଗୁଳିମାଡ ହୋଇଛି। ଫଳରେ ମନୋଜ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଏମକେସିଜି ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ଗଳା, ପେଟ ଓ ଅଣ୍ଟାରେ ଗୁଳି ବାଜିଛି। ମନୋଜ ସନ୍ଧ୍ୟାରେ ଭୁବନେଶ୍ବରରୁ ବ୍ରହ୍ମପୁର ଫେରୁଥିବା ବେଳେ ଗୋଟିଏ ମୋଟରସାଇକେଲରେ ତାଙ୍କ ଗାଡିର ପିଛା କରୁଥିବା ୨ ଜଣ ଦୁର୍ବୃତ୍ତ ବାଇପାସ ନିକଟ ଲାଞ୍ଜିପଲ୍ଲୀଠାରେ ଅନ୍ଧାଦୁନିଆ ଗୁଳିମାଡ କରି ଖସି ପଳାଇଥିଲେ।

ଦୁର୍ବୃତ୍ତମାନେ ଗୋଳନ୍ଥରା ଦେଇ ଖସି ପଳାଉଥିବା ବେଳେ ରାସ୍ତାରେ ସେମାନଙ୍କ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଣୁ ଦୁର୍ବୃତ୍ତ ବାଇକ୍ ଓ ଗୁଳିକାଣ୍ଡରେ ବ୍ୟବହୃତ ୨ଟି ମାଉଜର ଛାଡି ପଳାଇଛନ୍ତି। ପୋଲିସ ପହଞ୍ଚି ମୋଟରସାଇକେଲ ଓ ମାଉଜର ୨ଟିକୁ ଜବତ କରିଛି । ତେବେ ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ । ପୋଲିସ ମାମଲାର ଅନୁସନ୍ଧାନ ଜାରୀ ରଖିଛି । ସେପଟେ ଆଜି ବ୍ରହ୍ମପୁର ଟାଟା ବେଞ୍ଜ ଛକରେ ଜନୈକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ୫ ଜଣ ଯୁବକ ଛକରେ ଥିବା ମଦଦୋକାନ ଆଗରେ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି। ଫଳରେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.