ଅମୃତସର ରାବଣପୋଡ଼ି ରେଳ ଦୁର୍ଘଟଣାକୁ ନେଇ ବଢିଚାଲିଛି ରାଜନୈତିକେ ଆରୋପ ପ୍ରତ୍ୟାରୋପ
21/10/2018 at 6:20 PM

ପଞ୍ଜାବ ୨୧/୧୦ : ଅମୃତସର ରାବଣପୋଡ଼ି ଅଘଟଣପରଠାରୁ ସ୍ଥିତି ଶାନ୍ତ ହେଉନାହିଁ। ଲୋକେ ରାସ୍ତାକୁ ଓହ୍ଲାଉଛନ୍ତି। ଏଥିପାଇଁ ସରକାରଙ୍କୁ ରେଳ ବିଭାଗକୁ ଦାୟୀ କରୁଛନ୍ତି । ସେପଟେ ରାଜନୈତକ ଅରୋପ ପ୍ରତ୍ୟାରୋପର ଡେସିବେଲ ବି କମିବାର ନାହିଁ।
ଅମୃତସର ଅଶାନ୍ତ । ଦେଖନ୍ତୁ କେମିତି ପୋଲିସ ଏବଂ ଲୋକେ ମୁହାଁମୁହିଁ ହେଉଛନ୍ତି । ପୋଲିସ ଉପରକୁ ଟେକାପଥର ମାଡ କରୁଛନ୍ତି ଲୋକେ। ପଥର ମାଡ଼ରେ ଆହତ ହୋଇଥିଲେ କିଛି ପଂଜାବ ପୋଲିସ କର୍ମଚାରୀ। ଆଉ କେତେବେଳେ ପୋଲିସ ଲୋକଙ୍କୁ ଗଳି ଗଳି ତଡ଼ି ଅଞ୍ଚଳ ସଫା କରୁଥିଲା। ଶୁକ୍ରବାର ରାବଣପୋଡ଼ି ଅଘଟଣ ପରଠାରୁ ଅମୃତସହର ଯୋଡ଼ା ଫାଟକ ଅଞ୍ଚଳରେ ଲାଗି ରହିଛି ଏମିତି ସ୍ଥିତି । ଯେଉଁ ଟ୍ରାକ ଉପରେ ଠିଆ ହୋଇଥିବାରୁ ଭିଡ଼ ଉପରେ ମାଡ଼ିଯାଇଥିଲା ଟ୍ରେନ। ଆଜି ପୁଣି ସେହି ଟ୍ରାକ୍ ଉପରେ ଚାଲିଛି ପୋଲିସ ଓ ଲୋକଙ୍କ ମଧ୍ୟରେ ଛକାପଞ୍ଝା। ରେଳ ରୋକ କରିଥିଲେ ଲୋକେ। ରାବଣପୋଡ଼ି କାର୍ଯ୍ୟକ୍ରମର ଆୟୋଜକ ଏବଂ ଅନୁମତି ଦେଇଥିବା ସ୍ଥାନୀୟ ପ୍ରଶାସକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। ୨୭ଟି ଟ୍ରେନ ଚଳାଚଳ ବାତିଲ ହେବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଆଉ ସେହି ଟ୍ରାକ୍ ଦେଇ ମାଲଗାଡ଼ି ଚଳାଚଳ କରିଥିଲା।
ଘଟଣାରେ ମୃତ୍ୟୁ ସଂଖ୍ୟା ୬୧ ବୋଲି ବର୍ତ୍ତମାନ ସୁଦ୍ଧା କୁହାଯାଉଛି। ସେପଟେ କିନ୍ତୁ ଅନେକ ଲୋକଙ୍କର ଏବେବି ପତ୍ତା ମିଳୁନି। କିଏ କହୁଛି ତାର ବାପାଙ୍କ ମୃତଦେହ ହିଁ ଭିଡ଼ରୁ ହଜିଗଲା। ଆଉ କିଏ କହୁଛି ତିନି ଦିନ ହେଲା ସ୍ବାମିଙ୍କ ଫୋନ ନମ୍ବର ଲାଗୁନି। ଆଉ କିଏ କହୁଛି ଭାଇର ଚପଲ ମିଳିଛି କିନ୍ତୁ ଭାଇ ମିଳୁନି।
ସେପଟେ ଘଟଣା ପର ଠାରୁ ଚାପରେ ଆସିଯାଇଥିବା ନବଜୋତ ସିଂହ ସିଦ୍ଧୁ ଏବେ ମିଡିଆ ଉପରେ ରାଗି ପାଚି ଲାଲ୍। ଦେଖନ୍ତୁ କେମିତି ମିଢି଼ଆକୁ ଦେଖି ରାମ୍ପି ବିଦାରି ହେଉଛନ୍ତି ସିଦ୍ଧୁ। ଆଜି ସିଦ୍ଧୁ ହସ୍ପିଟାଲ ଆସି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଲୋକଙ୍କ ଚିକିତ୍ସା ସୁବିଧା କରାଇବା ନେଇ ଆଲୋଚନା କରିଥିଲେ। ଆଉ ଶେଷରେ କହିଥିଲେ କି ଲୋକେ କହୁଛନ୍ତି ଟ୍ରେନର ଆଚରଣ ସେଦିନ ଅସ୍ବାଭାବିକ ଥିଲା।
ଟ୍ରେନର ଡ୍ରାଇଭରର ଗିରଫଦାରି ଦାବି କରୁଛନ୍ତି ଆଉ ଗୋଟିଏ ଗୋଷ୍ଠୀର ଲୋକେ।ତେବେ ରେଳମନ୍ତ୍ରଣାଳୟ ଡ୍ରାଇଭରକୁ କ୍ଲିନଚିଟ୍ ଦେଇଛି। ଆଉ ଏନେଇ ବିଜେପି କଂଗ୍ରେସର ବୟାନବାଜି ରାଜନୀତି ମଧ୍ୟ ଆଉ ଏକ ଟ୍ରାକରେ ଛୁକଛୁକ କରୁଛି।