ବୋରିଗୁମ୍ମାକୁ ଏନ୍.ଏ.ସି ମାନ୍ୟତା ଦାବୀରେ କଂଗ୍ରେସ ଓ ବିଜେପି ପକ୍ଷରୁ ୧୬ରେ ବନ୍ଦ ଡାକରା

Published By : Prameya-News7 Bureau | August 14, 2018 IST

ଜୟପୁର ୧୪/୮ : ବୋରିଗୁମ୍ମାକୁ ଏନ୍.ଏ.ସି ମାନ୍ୟତା ଦାବୀ ପୁଣି ଥରେ ଜୋର ଧରିଲା । ଆସନ୍ତା କାଲି ସୁଧା ବୋରିଗୁମ୍ମାକୁ ଏନ୍.ଏ.ସି ରାଜ୍ୟ ସରକାର ଘୋଷଣା ନକଲେ ୧୬ ତାରିଖରୁ ଚକ ବନ୍ଦ କରି ଧାରଣାରେ ବସିବାକୁ ଚେତାବନୀ ଦେଇଛି କଂଗ୍ରେସ । ସେପଟେ ସେହି ଏକା ଦାବୀରେ ବିଜେପି ବି ୧୬ ତାରିଖ ଦିନ ଜୟପୁର ନିର୍ବାଚନୀ ମଣ୍ଡଳୀରେ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଏହି ପ୍ରସଂଗରେ ବୋରିଗୁମ୍ମା ମିଳିତ କ୍ରୀୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦାବୀ ପୁଣି ଥରେ ଦୋହରାଇଛି । ଏବେ ଜୟପୁର ରାଜନୀତିର କେନ୍ଦ୍ର ବିନ୍ଦୁରେ ବୋରିଗୁମ୍ମା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପ୍ରସଂଗ ପରେ ଏବେ ବୋରିଗୁମ୍ମାକୁ ଏନ୍.ଏ.ସି ମାନ୍ୟତା ନେଇ ଜୟପୁର ରାଜନୈତିକ ପାଣିପାଗ ପୁରା ଉଷ୍ମ । ବୋରିଗୁମ୍ମାକୁ ଆସନ୍ତାକାଲି ସୁଧା ରାଜ୍ୟ ସରକାର ଏନ୍.ଏ.ସି ଘୋଷଣା ନକଲେ ୧୬ ତାରିଖଠାରୁ କଂଗ୍ରେସ ବୋରିଗୁମ୍ମାରେ ଚକ ବନ୍ଦ କରିବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଏହି ପ୍ରସଂଗରେ ଗତ ବର୍ଷ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି,ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ସହ ଧାରଣାରେ ବସିଥିଲେ।ତେଣୁ ଏ ନେଇ କୋରାପୁଟ ଜିଲ୍ଲାପାଳଙ୍କ ଠାରୁ ରାଜ୍ୟ ସରକାର ରିପୋର୍ଟ ମାଗିଥିଲେ ବି ଆଜି ପର୍ଯ୍ୟନ୍ତ ବୋରିଗୁମ୍ମାକୁ ଏନ.ଏ.ସି ଘୋଷଣା କରା ଗଲାନି।ତେଣୁ ଏହାର ପ୍ରତିବାଦରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି କହିଛି କଂଗ୍ରେସ । ସେପଟେ ଏହି ପ୍ରଂସଗ ସହ ଅନ୍ୟ ସ୍ଥାନୀୟ ପ୍ରସଂଗକୁ ନେଇ ବିଜେପି ବି ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।ସେହି ଏକା ଦିନ ବିଜେପି ପୁରା ଜୟପୁର ନିର୍ବାଚନ ମଣ୍ଡଳୀରେ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ବୋରିଗୁମ୍ମା ଓଡିଶାର ବୃହତ୍ତମ ପଂଚାୟତ ହୋଇଥିବା ବେଳେ ଏହା ଏନ୍.ଏ.ସି ପାଇଁ ସବୁ ସର୍ତ୍ତ ପୂରଣ କରୁଛି । ଏହାର ଜନସଂଖ୍ୟା ୧୫ ହଜାରରୁ ବି ଅଧିକ । ରାଜ୍ୟ ସରକାର ପୂର୍ବରୁ ରାଜ୍ୟରେ ୧୪ଟି ନୂଆଁ ଏନ୍.ଏ.ସି ଘୋଷଣା କରିଥିଲେ । ହେଲେ ଏଥିରେ ବୋରିଗୁମ୍ମାର ସ୍ଥାନ ପାଇ ନାହିଁ।ଏହାକୁ ନେଇ ବୋରିଗୁମ୍ମାବାସୀଙ୍କ ମଧ୍ୟରେ ବି ଅସନ୍ତୋଷ ଦେଖା ଦେଇଛି ।ତୁରନ୍ତ ବୋରିଗୁମ୍ମାକୁ ଏନ୍.ଏ.ସି ଘୋଷଣା କରିବାକୁ ବରିଷ୍ଠ ବିଜେଡି ନେତା ରବି ନନ୍ଦଙ୍କ ନେତୃତ୍ବରେ ଗତ କାଲି ମିଳିତ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବୀ ଦୋହରାଥିଲେ । ତେବେ ତୁରନ୍ତ ବୋରିଗୁମ୍ମାକୁ ଏନ୍.ଏ.ସି ମାନ୍ୟତା ନ ମିଳିଲେ ସମସ୍ତ ରାଜନୈତିକ ଦଳକୁ ସାମାଜିକ ଓ ଆର୍ଥିକ ବାସନ୍ଦ କରାଯିବ ବୋଲି କହିଛି ମିଳିତ କ୍ରିୟାନୁଷ୍ଠାନ କମିଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.