ରବିବାର ରାଜସ୍ଥାନରେ ପ୍ରବେଶ କରିବ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା, ପ୍ରଦେଶ ଯାତ୍ରୀ ହେବା ଲାଗି ଲୋକେ ଉତ୍ସାହିତ

Published By : Prameya-News7 Bureau | December 03, 2022 IST

ଜୟପୁର ୩।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରବିବାର ଅପରାହ୍ନରେ ରାଜସ୍ଥାନ ସୀମାରେ ପ୍ରବେଶ କରିବ। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଏହି ଯାତ୍ରା ୧୭ ଦିନରେ ରାଜ୍ୟର ୬ ଜିଲ୍ଲା ଅତିକ୍ରମ କରିବ। ଯାତ୍ରା ରାଜସ୍ଥାନରେ ପହଞ୍ଚୁଥିବାରୁ ଲୋକଙ୍କ ମନରେ ବେଶ ଉତ୍ସାହ ସୃଷ୍ଟି ହୋଇଛି। ଏଣୁ ପ୍ରଦେଶ ଯାତ୍ରୀ ରୂପେ ଦେଢ ହଜାରରୁ ଅଧିକ ଲୋକେ ଯୋଗ ଦେବେ ବୋଲି ଆଶା କରାଯାଉଛି।

ଭାରତ ଯୋଡୋ ଯାତ୍ରା ୪ ଡିସେମ୍ବର ରବିବାର ଚବଲୀ ଚୌରାହ ଝାଲରାପାଟନ ଦେଇ ରାଜସ୍ଥାନ ସୀମାରେ ପ୍ରବେଶ କରିବ। ଏହାର ଟିକେ ଆଗକୁ ରାତ୍ରି ବିଶ୍ରାମ ହେବ। ଏହା ପରଦିନ ଅର୍ଥାତ ସୋମବାର ପୂର୍ବାହ୍ନରେ ଯାତ୍ରା କାଲି ତଲାଇରୁ ଆରମ୍ଭ ହେବ।ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ ରାଜ୍ୟର ଝାଲାବାଡ, କୋଟା, ବୁନ୍ଦି, ସବାଇ ମାଧୋପୁର, ଦୋସା ଓ ଅଲୱର ଜିଲ୍ଲା ହୋଇ ଡିସେମ୍ବର ୨୧ ତାରିଖ ଦିନ ମୁଣ୍ଡକାରୁ ହରିୟାଣାକୁ ପ୍ରବେଶ କରିବ। ଯାତ୍ରା ୧୭ ଦିନ ରାଜ୍ୟରେ ରହିବ ଓ ୮ ଡିସେମ୍ବର କୋଟାରେ ଏବଂ ୧୬ ଡିସେମ୍ବର ଦୋସା ଜିଲ୍ଲାରେ ବିଶ୍ରାମ କରିବ।

{"id":716786,"sizeSlug":"full","linkDestination":"none"}

ଡିସେମ୍ବର ୧୯ ତାରିଖ ଦିନ ଅଲବର ମାଲାଖେଡାରେ ରାହୁଲ ଜନସଭାକୁ ସମ୍ବୋଧିତ କରିବେ। ତେବେ ଏହା ପୂର୍ବରୁ ଡିସେମ୍ବର ୧୫ ତାରିଖ ଦିନ ଦୋସା ଜିଲ୍ଲାରେ ଚାଷୀ ପ୍ରତିନିଧିଙ୍କ ସହ ସିଧାଶଳଖ ଆଲୋଚନା କରିବେ। ଏହା ଛଡା ଯାତ୍ରା କାଳରେ ଅନେକ ସ୍ଥାନରେ ପଥପ୍ରାନ୍ତ ସଭାମାନ ଅନୁଷ୍ଠିତ ହେବ। ପାର୍ଟିର ପ୍ରଦେଶ ମୁଖପାତ୍ର ସ୍ୱର୍ଣ୍ଣିମ ଚତୁର୍ବେଦୀ କହିଛନ୍ତି ଯେ ପ୍ରଦେଶ ଯାତ୍ରୀ ରୂପେ ଯୋଡି ହେବା ଲାଗି କଂଗ୍ରେସ କାର୍ଯ୍ୟକର୍ତ୍ତା, ପଦାଧିକାରୀ ଓ ଅନ୍ୟ ଲୋକଙ୍କ ଠାରେ ବେଶ୍ ଉତ୍ସାହ ଦେଖାଯାଇଛି। ରାଜ୍ୟରେ ଯାତ୍ରା ପରିଚାଳନା କରୁଥିବା ପାର୍ଟି କମିଟି ପୂର୍ବରୁ ୫ଶହ ଜଣଙ୍କୁ ପ୍ରଦେଶ ଯାତ୍ରୀ ହେବା ଲାଗି ଅନୁମତି ଦେଇଥିଲେ। ତେବେ ପରେ ଲୋକଙ୍କ ଉତ୍ସାହ ଦେଖି ଏହି ସଂଖ୍ୟାକୁ ବଢାଯାଇଛି।

ପ୍ରଦେଶଯାତ୍ରୀମାନେ ରଜସ୍ଥାନ ତମାମ ରାହୁଲଙ୍କ ସହ ଯାତ୍ରା କରିବେ। ଏବେ ପ୍ରଦେଶ ଯାତ୍ରୀଙ୍କ ସଂଖ୍ୟା ଦେଢରୁ ୨ ହଜାର ମଧ୍ୟରେ ହେବ ବୋଲି ଆକଳନ କରାଯାଉଛି। ଏଥିଲାଗି ସୋମବାର ଝାଲାବାଡରେ ପ୍ରଦେଶ ଯାତ୍ରୀଙ୍କୁ ପରିଚୟ ପତ୍ର ଓ ଅନ୍ୟ ସାମଗ୍ରୀ ଦିଆଯିବ ବୋଲି ଚତୁର୍ବେଦୀ କହିଛନ୍ତି। ଭାରତ ଯାତ୍ରୀମାନଙ୍କର ଭୋଜନ ଓ ରହଣୀ ବ୍ଯବସ୍ଥା ପ୍ରଦେଶ କଂଗ୍ରେସ କରିବ। ଏଥିଲାଗି ରାଜ୍ୟରେ ଭାରତଯାତ୍ରା ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆ ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.