କଣ ଏହା ଅନ୍ତିମ ଲକ୍‌ଡାଉନ୍ ନା ଆହୁରି ବାକି ଅଛି ? ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଂଗ୍ରେସର ସିଧା ପ୍ରଶ୍ନ

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ ୦୨।୦୫: କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଅବଧି ମେ ୧୭ ପର୍ଯ୍ୟନ୍ତ ବୃଦ୍ଧିକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛି। ପାର୍ଟି ପ୍ରଶ୍ନ କରିଛି ଯେ, ଲକ୍‌ଡାଉନ୍‌ରୁ ଦେଶ କେମିତି ମୁକୁଳିବ ଏହାକୁ ନେଇ ସରକାରଙ୍କ ଯୋଜନା କଣ  ଏବଂ ଏହା ସଂପୂର୍ଣ୍ଣ ଭାବେ କେବେ ସମାପ୍ତ ହେବ। ଅନ୍ୟପଟେ କଂଗ୍ରେସ ପ୍ରବାସୀ ଶ୍ରମ ଜୀବୀଙ୍କ ଘର ପ୍ରତ୍ୟାବର୍ତ୍ତନକୁ ନେଇ ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରିଛି। ପାର୍ଟିର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ଲାଗି ବିନା ଭଡାରେ ରେଳ ଗାଡିର ବ୍ୟବସ୍ଥା କରାଯାଉ ଓ କୃଷକ, ସୂଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗର ସଂସ୍ଥା ଓ ବେତନଭୋଗୀ ବର୍ଗଙ୍କୁ ରିଲିଫ ଦେବା ଲାଗି ତୁରନ୍ତ  ପଦକ୍ଷେପ ନିଆଯାଉ।

ସୁରଜେଓ୍ଵାଲା ଭିଡିଓ କନଫରେନ୍ସିଂ ଜରିଆରେ କହିଛନ୍ତି, ଗୃହ ମନ୍ତ୍ରଣାଳୟ ଶୁକ୍ରବାର ସନ୍ଧ୍ୟାରେ ଆଦେଶ ଜାରି କରି ମେ ୧୭ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଏହି ସମୟରେ ନା ପ୍ରଧାନମନ୍ତ୍ରୀ ସାମ୍ନାକୁ ଆସିଲେ, ନା କୌଣସି ଅଧିକାରୀ ସାମ୍ନାକୁ ଆସିଲେ। ଆସିଲା ତ କେବଳ ଏକ ସରକାରୀ ଆଦେଶ। ସୁରଜେଓ୍ଵାଲା ପ୍ରଶ୍ନ କରିଛନ୍ତି, ଲକ୍‌ଡାଉନ୍‌ ତୃତୀୟ ପର୍ଯ୍ୟାୟ ପଛରେ ଲକ୍ଷ୍ୟ କଣ ଓ ରଣନୀତି କଣ ତଥା ଆଗକୁ ରାସ୍ତା କଣ ରହିଛି ?  କଣ ଲକ୍‌ଡାଉନ୍‌-୩ ଶେଷ ପର୍ଯ୍ୟାୟ ଏବଂ ମେ ୧୭ରେ କଣ ଏହାର ପରିସମାପ୍ତି ଘଟିବ ? ନା ଲକ୍‌ଡାଉନ୍‌-୪ ଓ ଲକ୍‌ଡାଉନ୍‌-୫ ମଧ୍ୟ ଆସିବ ? ଏହା ସଂପୂର୍ଣ୍ଣ ଭାବେ କେବେ ସମାପ୍ତ ହେବ।

ଆର୍ଥିକ ସଙ୍କଟରୁ ମୁକୁଳିବାର ଲକ୍ଷ୍ୟ କଣ ରହିଛି ?

ସେ ପ୍ରଶ୍ନ କରିଛନ୍ତି ଯେ, ମେ ୧୭ ସୁଦ୍ଧା କରୋନା ସଂକ୍ରମଣ ଓ ଆର୍ଥିକ ସଙ୍କଟରୁ ମୁକୁଳିବାର ଲକ୍ଷ୍ୟ କଣ ରହିଛି ?  ମୋଦୀ ସରକାର ମେ ୧୭ ପର୍ଯ୍ୟନ୍ତ ସଂକ୍ରମଣ, ଲୋକଙ୍କ ରୋଜଗାର ସମସ୍ୟା ଓ ଆର୍ଥିକ ସଙ୍କଟର ମୁକାବିଲା ପାଇଁ କଣ ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି ? ସେହି ଲକ୍ଷ୍ୟକୁ ହାସଲ ପାଇଁ କଣ ମେ ୧୭ ସୁଦ୍ଧା ନିର୍ଣ୍ଣାୟକ ଓ ସାର୍ଥକ ପଦକ୍ଷେପ ଉଠାଯାଇ ପାରିବ କି ?

ଶ୍ରମିକ-ଗରିବ ଓ କୃଷକଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନ୍ ବ୍ୟବସ୍ଥା

ସୁରଜେଓ୍ଵାଲା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରକୁ ଉଲ୍ଲେଖ କରି କହିଛନ୍ତି ଲକ୍ଷାଧିକ ଶ୍ରମିକଙ୍କୁ ବିନା ଭଡାରେ ଘର ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ସାନିଟାଇଜ୍ ଟ୍ରେନର ବ୍ୟବସ୍ଥା କରିଛନ୍ତି। ଗରିବ-ଶ୍ରମିକ-କୃଷକଙ୍କ ଜନ-ଧନ ଖାତା, କୃଷକ ଯୋଜନା ଖାତା, ମନରେଗା ଶ୍ରମିକ ଖାତା ଓ ବୃଦ୍ଧ-ମହିଳା-ଦିବ୍ୟାଙ୍ଗଙ୍କ ଖାତାରେ ସିଧାସଳଖ ୭୫୦୦ ଟଙ୍କା ଟ୍ରାନ୍ସଫର କରିବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.