ନୂଆଦିଲ୍ଲୀ ୧୪।୨: ଜମ୍ମୁ-କାଶ୍ମୀର ପୁଲବାମାରେ ୧୪ ଫେବୃଆରୀ ୨୦୧୯ରେ ହୋଇଥିବା ଆତଙ୍କବାଦୀଙ୍କ ବିସ୍ଫୋରଣ ଯୋଗୁ ୪୦ ଜଣ ସିଆରପିଏଫ ଜବାନ ପ୍ରାଣ ହରାଇଥିଲେ। ଶୁକ୍ରବାର ଶହିଦ ଜବାନମାନଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ଶହିଦଙ୍କ ପରିବାର ଲାଗି ସେତେବେଳେ କେନ୍ଦ୍ର ସରକାର ଏକ 'ବୀର କୋଷ' ସ୍ଥାପନା କରିଥିଲେ। ହେଲେ ବର୍ଷକ ପରେ ବି ଏହି ପାଣ୍ଠିରୁ ଶହିଦଙ୍କ ପରିବାରକୁ ଟଙ୍କାଟିଏ ଦିଆଯାଇନଥିବା ଏଠାରେ କଂଗ୍ରେସ ଅଭିଯୋଗ ଆଣିଛି।
କଂଗ୍ରେସ ମୁଖପାତ୍ର ଜୟବୀର ଶେରଗିଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୁଲବାମା ଆତଙ୍କବାଦୀ ଆକ୍ରମଣରେ ନିହତ ଜବାନଙ୍କ ପରିବାର ବର୍ଷକ ପରେ ବି ସହାୟତାର ବାଟ ଚାହିଁ ବସିଥିବା ଶେରଗିଲ କହିଛନ୍ତି। ସେ କହିଛନ୍ତି ଯେ ଏହି ପାଣ୍ଠିରେ ୨୫୦ କୋଟି ଟଙ୍କା ସରକାର ଜମା କରିଛନ୍ତି। ହେଲେ ସେତେବେଳେ ଦେଇଥିବା ପ୍ରତିଶ୍ରୁତିର କିନ୍ତୁ ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି। ଏହି ପାଣ୍ଠି ଏବେ ୧୨ ଗୁଣା ବୃଦ୍ଧି ପାଇଛି। କାରଣ ଦେଶବାସୀ ଜାଣନ୍ତି ଶହିଦଙ୍କ ପରିବାରକୁ ସହାୟତାର ଜରୁରି ଆବଶ୍ୟକତା ରହିଛି। ହେଲେ ସରକାର ସେମାନଙ୍କୁ ସହାୟତା ନ କରିବା ଯୋଗୁ ସେମାନଙ୍କ ପରିବାର ଦୁର୍ଦ୍ଦିନରେ ସମୟ କଟାଉଥିବାର ଶେରଗିଲ ଅଭିଯୋଗ କରିଛନ୍ତି।
ତେବେ କଂଗ୍ରେସ ଯୁବ ସଙ୍ଗଠନ ଶୁକ୍ରବାର ସନ୍ଧ୍ୟାରେ ଶହିଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ମାର୍ଚ୍ଚ କରିଥିବାର ଦେଖାଯାଇଛି। ଇଣ୍ଡିଆ ଗେଟ୍ରେ ଆୟୋଜନ କରାଯାଇଥିବା ଏହି ମହମବତୀ ଶୋଭାଯାତ୍ରାରେ କଂଗ୍ରେସ ପଦାଧିକାରୀ ଓ କର୍ମୀମାନେ ଯୋଗଦେଇଥିଲେ।