ଦିଲ୍ଲୀ 'ଫ୍ରି ବିଜୁଳି'ରେ ଘୋଟାଲା ! ଆପ୍ ସରକାର ଉପରେ କଂଗ୍ରେସର ବଡ଼ ଅଭିଯୋଗ, ତଦନ୍ତ ଦାବି

Published By : Prameya-News7 Bureau | November 22, 2022 IST

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଦିଲ୍ଲୀରେ ଫ୍ରି ବିଜୁଳିକୁ ନିଜର ଏକ ବଡ଼ ଉପଲବ୍ଧି ବୋଲି ଦାବି କରୁଛି । ଅନ୍ୟପଟେ କଂଗ୍ରେସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଜୁଳି ମଡେଲକୁ ଦୁର୍ନୀତି ଏବଂ ବେରୋଜଗାରୀ ବଢାଉଥିବା ମଡେଲ କହିଛି । ଦିଲ୍ଲୀର ପୂର୍ବତନ ଶକ୍ତି ମନ୍ତ୍ରୀ ଅଜୟ ମାକେନ କେଜ୍ରିୱାଲଙ୍କ ବିଜୁଳି ମଡେଲକୁ ଟାର୍ଗେଟ କରିଛନ୍ତି । ଅଜୟ ମାକେନ ସତ୍ୟପାଠ ସହ ବୁକଲେଟ୍ ଜାରି କରି ଦିଲ୍ଲୀରେ ବିଜୁଳି ରେଟ୍ ଦେଶରେ ସବୁଠୁ ଅଧିକ ବୋଲି କହିଛନ୍ତି ।

ଅଜୟ ମାକେନ କହିଛନ୍ତି, ଦିଲ୍ଲୀରେ ଉଦ୍ୟୋଗିକ ରେଟ୍ ୧୩ ଟଙ୍କା ପ୍ରତି ୟୁନିଟ୍ ଏବଂ ବ୍ୟବସାୟିକ ରେଟ୍ ୧୬.୦୯ ଟଙ୍କା ପ୍ରତି ୟୁନିଟ୍ ରହିଛି । ଅନ୍ୟପଟେ ପଡ଼ୋଶୀ ରାଜ୍ୟ ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ଏହି ରେଟ୍ ବହୁତ କମ । କଂଗ୍ରେସ ନେତା କହିଛନ୍ତି, ଦିଲ୍ଲୀରେ ୨୦୧୪ରୁ ୨୦୧୯ ମଧ୍ୟରେ ୨୬୩୮ କାରଖାନା ବନ୍ଦ ହୋଇଛି କିମ୍ୱା ପଳାୟନ କରିଛନ୍ତି । ଏହି କାରଣରୁ ପ୍ରାୟ ୧ ଲକ୍ଷ ୩୮ ହଜାର ଚାକିରି ଶେଷ ହୋଇଛି । ଦିଲ୍ଲୀ କଂଗ୍ରେସ ସମୟରେ ମେନ୍ୟୁଫକଚରିଂ ସେକ୍ଟର ୧୨ ପ୍ରତିଶତ ହାରରେ ବଢୁଥିଲା, ତାହା ଗତ ଛଅ ବର୍ଷରେ ଏକ ପ୍ରତିଶତରୁ ବି କମ ଅର୍ଥାତ ୦.୭୪ ପ୍ରତିଶତକୁ ଖସି ଆସିଛି ।

ସେ କହିଛନ୍ତି ଯେ ଶୀଲା ଦୀକ୍ଷିତ ସରକାର ସମୟରେ ଘରୋଇ କରଣ ନିଷ୍ପତ୍ତି ଯୋଗୁଁ ଦିଲ୍ଲୀରେ ସବୁଠୁ କମ ବିଜୁଳି ଚୋରି ହେଉଛି, ଅନ୍ୟପଟେ କିନ୍ତୁ ବିଜୁଳି ଦର ସବୁଠୁ ଉପରେ ରହିଛି । ଗତ ପାଞ୍ଚ ବର୍ଷରେ ବିଜୁଳିର ହାରାହାରି ମୂଲ୍ୟ ୨.୪୫ ଟଙ୍କା ପ୍ରତି ୟୁନିଟ ବଢିଛି । ସେ କହିଛନ୍ତି ଗୋଟିଏ ବର୍ଷରେ ବିଜୁଳି ବିତରଣ କମ୍ପାନି ଗୁଡିକ ୧,୭୪୬ କୋଟି ଟଙ୍କା ଆୟ କରୁଛନ୍ତି, ତଥାପି ବିଜୁଳିର ମୂଲ୍ୟ କାହିଁକି ବଢୁଛି ?

ଦିଲ୍ଲୀ ସରକାର ବିନା କୌଣସି ଅଡିଟ୍‌ରେ ଘରୋଇ କମ୍ପାନି ଗୁଡିକୁ ସିଧା ପଇସା ଦେଉଛନ୍ତି । ବିଜୁଳି ସବସିଡି ବାବଦକୁ ୧୪,୭୩୧ କୋଟି ଟଙ୍କା ଗ୍ରାହାକଙ୍କୁ ଦେବା ପରିବର୍ତ୍ତେ ଘରୋଇ କମ୍ପାନି ଗୁଡିକୁ ସିଧା ଦିଆଯାଉଛି । ଏତିକି ପଇସାରେ ଲୋକଙ୍କୁ ୫୦୦ ୟୁନିଟ୍ ଯାଏଁ ବିଜୁଳି ମିଳିପାରିବ ବୋଲି ଅଜୟ ମାକେନ କହିଛନ୍ତି । ଏହାସହ ଦିଲ୍ଲୀରେ କଂଗ୍ରେସ ସରକାର ଆସିଲେ ଏହା କରି ଦେଖାଇବେ ବୋଲି ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.