ରାଫେଲ ଯୁଦ୍ଧ ବିମାନ ଡିଲ୍ : ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସିବିଆଇରେ ଦାୟର ହେଲା ମାମଲା

Published By : Prameya-News7 Bureau | October 07, 2018 IST

ନୂଆଦିଲ୍ଲୀ ୭|୧୦:  ରାଫେଲ ଯୁଦ୍ଧ ବିମାନ କିଣା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟାପକ ଦୁର୍ନୀତି କରିଛନ୍ତି । ନିଜ ଘନିଷ୍ଠ ବନ୍ଧୁ ଅନୀଲ ଅମ୍ବାନୀଙ୍କୁ ସାହାଯ୍ୟ କରିବା ପାଇଁ ନିଜ ସରକାରୀ ପଦବୀର ଅନୁଚିତ ବ୍ୟବହାର କରିଛନ୍ତି ବୋଲି ସିବିଆଇରେ ଏକ ମାମଲା ଦାୟର କରାଯାଇଛି । ମାମଲା ଦାୟର କରିଛନ୍ତି ବିଜେପିର ପୂର୍ବତନ ମନ୍ତ୍ରୀ ଯଶଓ୍ବନ୍ତ ସିହ୍ନା, ଅରୁଣ ସୌରୀ ଏବଂ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ୨୦୧୫ ମସିହା ଏପ୍ରିଲ ମାସରେ ହୋଇଥିବା ଏହି ଡିଲରେ ଫ୍ରାନ୍ସର ଡାସଉଲଟ ଏଭିଏସନ କମ୍ପାନୀରୁ ୩୬ଟି ଲଢୁଆ ଯୁଦ୍ଧ ବିମାନ କିଣିବା ପାଇଁ ଚୁକ୍ତି ହୋଇଥିଲା । ଏହି କମ୍ପାନୀର ବାହ୍ୟ ପାର୍ଟନର ବା ଅଂଶୀଦାର ହୋଇଥିଲା ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ଏତଲାରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ମଧ୍ୟ ସାମିଲ କରାଯାଇଛି । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ନିକଟରେ ଏହି ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି । ଅଭିଯୋଗ ଫର୍ଦ୍ଦ ୫୦ରୁ ଅଧିକ ଯୁକ୍ତି ଉପସ୍ଥାପନ କରିଥିବାବେଳେ ବିଭିନ୍ନ ନଥିପତ୍ର ମଧ୍ୟ ଦାଖଲ କରିଛନ୍ତି । ରାଫେଲ ଡିଲକୁ ନେଇ କଂଗ୍ରେସ ଦୀର୍ଘ ଦିନ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଆସୁଛି । ଅନୀଲ ଅମ୍ବାନୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଏଫଏଫ ବା ବେଷ୍ଟ ଫ୍ରେଣ୍ଡ ଫରଏଭର ବୋଲି ରାହୁଲ ଗାନ୍ଧି ସମାଲୋଚନା କରିଆସୁଛନ୍ତି । ଏଭଳି କ୍ଷେତ୍ରରେ ଦୁର୍ନୀତି ବିରୋଧ ଆଇନ ୧୯୮୮ଭିତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ବିରୋଧରେ ସିବିଆଇ ନିକଟରେ ମାମଲା ଦାୟର ହେବା ନିଶ୍ଚୟ ଗୁରୁତ୍ବପୂର୍ଣ୍ଣ ଘଟଣା । ଗୋଟିଏ ପଟେ ରାଫେଲ ଜେଟ୍ ବିମାନରେ ଦାମ୍ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଅନୀଲ ଅମ୍ବାନୀଙ୍କ କମ୍ପାନୀକୁ ଅନୁଚିତ ଅନୁଗ୍ରହ ଦେଖାଇବା ପାଇଁ ମଧ୍ୟ ଏହି ଡିଲ ହୋଇଥିଲା ବୋଲି ଅଭିଯୋଗ ଏହି ପ୍ରସଙ୍ଗକୁ ଏବେ ନୂଆ ମୋଡ ଦେବ । ସୂଚନା ଯୋଗ୍ୟ ଯେ, ରାଫେଲ ଫାଇଟର ଜେଟ୍ କିଣିବା ପାଇଁ ଭାରତ ସରକାର ଚୁକ୍ତିବଦ୍ଧ ହୋଇଥିବା ଫ୍ରାନ୍ସର ଡାସଉଲଟ କମ୍ପାନୀର ଅଫସେଟ୍ ଅଂଶୀଦାର ହୋଇଥିଲା ଅନୀଲ ଅମ୍ବାନୀଙ୍କ ଡିଫେନ୍ସ କମ୍ପାନୀ । କିନ୍ତୁ ଏହି ଅଂଶୀଦାର ହେବା କ୍ଷେତ୍ରରେ ଭାରତ ସରକାରଙ୍କ କୌଣସି ଭୂମିକା ବା ସହଯୋଗ ନାହିଁ ବୋଲି ପୂର୍ବରୁ ଅନୀଲ ଅମ୍ବାନୀ ସ୍ପଷ୍ଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.