ଓଡ଼ିଆ ଅଧିକାରୀଙ୍କୁ ଆନ୍ଧ୍ର ମନ୍ତ୍ରୀଙ୍କ ଧମକ ଘଟଣା, କାର୍ଯ୍ୟାନୁଷ୍ଠାନ ପାଇଁ ଗଜପତି ଏସ୍‌ପିଙ୍କ ନିକଟରେ ଏତଲା ଦାଏର

Published By : Prameya-News7 Bureau | October 02, 2021 IST

ଗଜପତି, ୦୨/୧୦: ଆନ୍ଧ୍ର ପ୍ରଦେଶ ସୀମା ବିବାଦରେ ଗତ ୯ ତାରିଖରେ ଓଡ଼ିଶା ମାଟିରେ ଠିଆ ହୋଇ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ଧମକ ଦିଆଯାଇଥିଲା । ଏହି ଘଟଣାର ପାଖାପାଖି ଗୋଟିଏ ମାସ ବିତିବାକୁ ଯାଉଛି । ହେଲେ ଗଜପତି ଜିଲ୍ଲା ପ୍ରଶାସନ କିମ୍ବା ଓଡିଶା ସରକାର ପଦକ୍ଷେପ ନେଇନାହାନ୍ତି । କିନ୍ତୁ ଆନ୍ଧ୍ର ପୋଲିସ ଓଡ଼ିଶାର ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହାର ପ୍ରତିବାଦରେ ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ  ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ନେତୃବୃନ୍ଦ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡିର ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି ।

ଗଙ୍ଗାବାଡ ପଞ୍ଚାୟତର ସୀମାବର୍ତ୍ତି ଗାଁ ଗସ୍ତକରି ଲୋକଙ୍କ ସହ ଆଲୋଚନା କରିବା ପରେ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଧରେ ଗଜପତି ଏସପିଙ୍କ ନିକଟରେ ଏତଲା ଦାୟର କରାଯାଇଛି ।  ଆନ୍ଧ୍ର ସରକାରଙ୍କ ମନ୍ତ୍ରୀ ଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କୁ କରିଥିବା ବ୍ୟବହାର ସଙ୍ଘୀୟ ବ୍ୟବସ୍ଥାରେ ଗ୍ରହଣୀୟ ନୁହେଁ । ତୁରନ୍ତ ଆନ୍ଧ୍ରପ୍ରଦେଶ ମନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.