ମୋରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନ ଝିଙ୍କିରିଆ କଲ୍ୟାଣ ମଣ୍ଡପରେ ବେତନଟୀ ବନାଞ୍ଚଳ ଆନୁକୂଲ୍ୟରେ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ହସ୍ତୀ ପରିଚାଳନା ଏବଂ ବନାଗ୍ନୀ ନିରାକରଣ ନିମନ୍ତେ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l
ବେତନଟୀ ବନାଞ୍ଚଳ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋରଡ଼ା ବିଧାୟକ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଡିଏଫଓ ଏ.ଉମା ମହେଶ, ଭାଜପା ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ଏସସିଏଫ ରବି ନାରାୟଣ ମହାନ୍ତି, ବିଜେପି ଉପସଭାପତି ପ୍ରଦୀପ ମହାନ୍ତି, ପରେଶ ମହାନ୍ତ, ସମିତି ସଭ୍ୟ ସୁକୁଲ ମୁର୍ମୁ ସହିତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗଦେଇଛନ୍ତି l
ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଏବଂ ଜାତୀୟ ସଂଗୀତ ଗାନ ପାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଜଙ୍ଗଲ ଠିକ ସମୟରେ ବର୍ଷା କରାଇ ଜଳବାୟୁକୁ ସନ୍ତୁଳନ ରଖିବା ସହିତ ତାପମାତ୍ରାକୁ ନିୟନ୍ତ୍ରିତ କରାଇଥାଏ ତେଣୁ ଜଙ୍ଗଲରେ ନିଆଁ ନଲଗାଇ ତାକୁ ସୁରକ୍ଷିତ କରିବା ଦାୟିତ୍ୱ ଆମର ବୋଲି କହିଥିଲେ ମଞ୍ଚସୀନ ଅତିଥିଗଣ l ସେହିପରି ହାତୀକୁ ସୁରକ୍ଷା ଦେବା ସହିତ ହାତୀ କବଳରୁ କିପରି ରକ୍ଷା କରି ନିଜ ନିଜର ଜୀବନ ବଞ୍ଚାଇବା ବାବଦରେ ଉପସ୍ଥିତ ଅଧିକାରୀ, ଲୋକଙ୍କୁ ସଚେତନତା କରାଇଥିଲେ ମନ୍ତ୍ରୀ ମହାପାତ୍ର l ଶେଷରେ ଗଜସାଥୀ ମାନଙ୍କୁ ନୂତନ ୟୁନିଫର୍ମ, ଟର୍ଚ୍ଚ ଲାଇଟ, ଟୋପି ପ୍ରଦାନ କରାଯାଇଥିଲା l
ତେବେ ହାତୀ ଯଦି କାହାରି ଆଂଶିକ ଘର ହେଉକି ସମ୍ପୂର୍ଣ୍ଣ ଘର ଭାଙ୍ଗି ଦିଏ ତେବେ ଅନ୍ତୋର୍ଦୟ ଗୃହ ଯୋଜନାରେ ନୂତନ ଗୃହ ଯୋଗାଇବା ସହ ଗଜସାଥୀଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ଓଡ଼ିଶା ସରକାରଙ୍କ ପାଖରେ ପ୍ରସ୍ତାବ ଦେବା କଥା କହିଛନ୍ତି ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବେତନଟି ରେଞ୍ଜର ମନୱାର ଖାଁ, ଫରେଷ୍ଟର ଦୀପକ ପାତ୍ର, ଫରେଷ୍ଟ ଗାର୍ଡ ବିଜୟ ଦାସ ଏବଂ ଅନ୍ୟ ବନବିଭାଗ କର୍ମଚାରୀ l