ସ୍ୱାଧୀନତା ସଂଗ୍ରାମୀ କମ୍ୟୁନିଷ୍ଟ ଭେଟେରାନ ଏନ୍ ଶଙ୍କରାୟଙ୍କର ପରଲୋକ, ଦେଶ ସେବା ପାଇଁ ଯାଇଛନ୍ତି ୫ ଥର ଜେଲ୍

Published By : Prameya-News7 Bureau | November 15, 2023 IST

ଚେନ୍ନାଇ: ସ୍ୱାଧୀନତା ସଂଗ୍ରାମୀ ତଥା କମ୍ୟୁନିଷ୍ଟ ଆନ୍ଦୋଳନର ଭେଟେରାନ ବରିଷ୍ଟ କମ୍ୟୁନିଷ୍ଟ ନେତା ଏନ୍ ଶଙ୍କରାୟଙ୍କ ପରଲୋକ ହୋଇଛି। ୧୦୧ ବୟସରେ ଚେନ୍ନାଇ ସ୍ଥିତ ଏକ ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଶଙ୍କରାୟଙ୍କ ଶେଷ ନିଃସ୍ୱାସ ନେଇଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଯାଇଛି। ଶଙ୍କରାୟଙ୍କ ପରିବାରରେ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି।

ଶଙ୍କରାୟଙ୍କର ବିୟୋଗରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି। ଲୋକଙ୍କ ପାଇଁ ଶଙ୍କରାୟଙ୍କର ସେବାର ଗୁଣଗାନ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ। ଉତ୍ପୀଡ଼ନ ବିରୋଧରେ ଲଢ଼େଇ ସହ ତାଙ୍କ ଜୀବନର ତ୍ୟାଗ ସବୁବେଳେ ମନେ ରହିବ ବୋଲି ଷ୍ଟାଲିନ କହିଛନ୍ତି।

ଶଙ୍କରାୟ ଜଣେ ସ୍ୱଧୀନତା ସଂଗ୍ରାମୀ, ବିଧାୟକ ଓ ଏକ ଦଳର ନେତା ହିସାବରେ ତାଙ୍କରେ ସେବା ପାଇଁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟୁ ସମ୍ପନ୍ନ ହେବ ବୋଲି ଷ୍ଟାଲିନ କହିଛନ୍ତି।

୩ ଥର ବିଧାୟକ ଥିବା ଶଙ୍କରାୟ ମାର୍କସ୍‌ବାଦୀ ପାର୍ଟିର ଅଖିଳ ଭାରତୀୟ କୃଷକ ସଭାର ଅଧ୍ୟକ୍ଷ ଓ ମହାସଚିବ ଭାବରେ ଦାୟିତ୍ୱ ତୁଲାଇଛନ୍ତି। ଏଥିସହିତ ୧୯୯୫-୨୦୦୨ ପର୍ଯ୍ୟନ୍ତ ସେ ତାମିଲନାଡୁର ରାଜ୍ୟ ସଚିବ ଦାୟିତ୍ୱ ନେଇଛନ୍ତି।

ଜୁଲାଇ ୧୫ ତାରିଖ ୧୯୨୨ରେ ତାମିଲନାଡରୁ କୋଭିଲପଟ୍ଟିରେ ଜନ୍ମଗ୍ରହଣ କରିଥିବା ଶଙ୍କରାୟ ଦେଶର ବାମପନ୍ଥୀ ଆନ୍ଦୋଳନର ଆଗ ଧାଡ଼ିର ନେତା ଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମରେ ସେ ଇଂରେଜ ବିରୋଧରେ ଲଢ଼େଇ କରିଥିଲେ।

ମଦୁରାଇର ଆମେରିକା କଲେଜ୍‌ରେ ବିଏ ପଢ଼ୁଥିବା ବେଳେ ଛାତ୍ର ସଂଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଡିଗ୍ରୀ ଫାଇନାଲ୍‌ ପରୀକ୍ଷାର ୧୫ ଦିନ ପୂର୍ବରୁ ଇଂରେଜମାନେ ତାଙ୍କୁ ଗିରଫ କରି ନେବାରେ ସେ ଗ୍ରାଜୁଏସନ ପୂରା କରିପାରି ନଥିଲେ। ଇଂରେଜମାନେ ଶଙ୍କରାୟଙ୍କୁ ଏକାଧିକ ଥର ଜେଲ୍‌ରେ ସଜା ଦେଇଛନ୍ତି। ମଦୁରାଇ ଷଡ଼ଯନ୍ତ୍ର ମାମଲାରେ ତାଙ୍କୁ ୧୪ ଅଗଷ୍ଟ ୧୯୪୭ ପର୍ଯ୍ୟନ୍ତ ଜେଲ୍ ସଜା ମିଳିଥିଲା। ସ୍ୱାଧିନତା ସଂଗ୍ରାମୀ ସମୟରେ ସେ ମୋଟ ୫ ଥର ଜେଲ୍ ଯାଇଛନ୍ତି।

ପଢ଼ନ୍ତୁ-ସୁବ୍ରତ ରାୟଙ୍କ ପରଲୋକରେ ବୁଡିଯିବକି ନିବେଶକଙ୍କ ଅର୍ଥ! ଆସନ୍ତୁ ଜାଣିବା ମିଳିବାକୁ ଥିବା ରିଫଣ୍ଡର ଏବେ ହେବ କ’ଣ?

ତେବେ ଦୁଃଖର ବିଷୟ ହେଉଛି ଦେଶ ସ୍ୱାଧୀନତା ପରେ ବି ଲୋକଙ୍କ ପାଇଁ ସ୍ୱର ଉଠାଇ ସେ ୪ ବର୍ଷ ଜେଲ୍ ଦଣ୍ଡ ଭୋଗିଛନ୍ତି। କମ୍ୟୁନିଷ୍ଟ ନେତା ଭାବରେ ତାଙ୍କୁ ଦୁଇ ବର୍ଷ ଅଣ୍ଡରଗ୍ରାଉଣ୍ଡରେ ରହିବାକୁ ପଡ଼ିଛି। ଶଙ୍କରାୟ ଏତେ ସ୍ୱାଭିମାନୀ ଥିଲେ ଯେ ତେବେ ସ୍ୱାଧୀନତା ଭତ୍ତା ମଧ୍ୟ ସେ ନେଇ ନଥିଲେ।

ଉଭୟ ତାମିଲ ଓ ଇଂରାଜୀ ଭାଷାରେ ଦକ୍ଷତା ରଖୁଥିବା ଶଙ୍କରାୟ ସବୁବେଳେ ଶ୍ରମିକ ଉତ୍ପୀଡନ ବିରୋଧରେ ସ୍ୱର ଉଠାଇଥିଲେ। ଏଥିସହିତ ମଦୁରାଇରେ ମନ୍ଦିର ପ୍ରବେଶ ଆନ୍ଦୋଳନରେ ସେ ଭାଗ ନେବା ସହ ହିନ୍ଦୀ ବିରୋଧୀ ସଂଗ୍ରାମରେ ମଧ୍ୟ ସାମିଲ୍ ହୋଇଥିଲେ।  

ଏମିତିକି ଥାଗାଇସଲ ତାମିଲାୟର ଆୱାର୍ଡ ବେଳେ ସେ ପାଇଥିବା ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କାକୁ କୋଭିଡ ଚିକିତ୍ସା ପାଇଁ ୨୦୨୧ରେ ଦାନ କରି ଦେଇଥିଲେ। ଆଜି ଶଙ୍କରାୟଙ୍କ ବିୟୋଗରେ ବହୁ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ନଭେମ୍ବର ୧୬ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବର୍ତ୍ତମାନ ତାଙ୍କ ମରଶୀରକୁ ଦଳର ରାଜ୍ୟ ଅଫିସ୍‌ରେ ରଖାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.