'ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଦେଶ ଗର୍ବିତ' : ରାଜ୍ୟଗୋଷ୍ଠୀ କ୍ରୀଡାର ବିଜେତାଙ୍କୁ ଭେଟିଲେ ମୋଦୀ

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ, ୧୩|୦୮:   ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଗୌରବାନ୍ୱିତ କରିଥିବା ଖେଳାଳି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶନିବାର ପ୍ରଧାନମନ୍ତୀର ନରେନ୍ଦ୍ର ମୋଦୀ ସମସ୍ତ ଖେଳାଳିଙ୍କୁ ଭେଟିବା ସହ ଦମଦାର ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ବର୍ମିଂହାମରେ ଭାରତ ୬୧ଟି ପଦକ ହାତେଇଥିଲା । ଏହି ସବୁ ଖେଳାଳିଙ୍କ ସହ ଆଲୋଚନା କରି ମୋଦୀ ସବୁ ଖେଳାଳି ଦେଶ ପାଇଁ ଗର୍ବ ବୋଲି କହିଛନ୍ତି ।

ମୋଦୀ ଖେଳାଳିଙ୍କୁ କହିଛନ୍ତି ଯେ, ସମସ୍ତେ ଗୋଟିଏ ପରିବାରର ସଦସ୍ୟ । ଗୋଟିଏ ପରିବାର ଭାବେ ତାଙ୍କୁ ଭେଟିବାକୁ ଆସିଛନ୍ତି । ସଫଳତା ପାଇଁ ଦେଶ ଗର୍ବିତ । ଦୁଇ ଦିନ ପରେ ଦେଶ ସ୍ୱାଧିନତାର ୭୫ ବର୍ଷ ପୂରଣ କରିବ । ଖେଳାଳିଙ୍କ ଉପଲବ୍ଧି ସହ ଦେଶ ସ୍ୱାଧିନତାର ଅମୃତକାଳରେ ପ୍ରବେଶ କରୁଛି । ରାଜ୍ୟଗୋଷ୍ଠୀ କ୍ରୀଡା ସହ ଭାରତ ଚେସ୍ ଅଲମ୍ପିଆଡର ଆୟୋଜନ ମଧ୍ୟ କରିଥିଲା । ତେବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ବିଶ୍ୱାସ ଥିଲା ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଖେଳ ବର୍ମିଂହାମରେ ହେଉଥିଲା କିନ୍ତୁ ଏଠାରେ କୋଟିକୋଟି ଭାରତୀୟ ବିଜୟ ପାଇଁ ପ୍ରାର୍ଥନା କରୁଥିଲେ । ରାତି ସାରା ଲୋକେ ଉଜାଗର ରହି ଖେଳ ଦେଖୁଥିଲେ । ଚଳିତ ଥରର ପ୍ରଦର୍ଶନକୁ ପଦକ ସହ ମପାଯାଇ ପାରିବ ନାହିଁ । କାରଣ ସବୁ ଖେଳାଳି ଜିତିବା ପାଇଁ ନିଜର ସବୁ କିଛି ଲଗାଇ ଦେଇଥିଲେ ।

wp:html /wp:html

ସେ ଆହୁରି କହିଛନ୍ତି ଯେ, ହକିରେ ଉଭୟ ଦଳ ଆଗକୁ ବଢିଛନ୍ତି । ଏଥର ଭାରତ ଚାରୋଟି ନୂଆ ଗେମରେ ପଦକ ପାଇଛି । ଯୁବକମାନେ ଦମଦାର୍ ଖେଳ ପ୍ରଦର୍ଶନ କରିଥିଲେ । ପଦାର୍ପଣ କରିଥିବା ୩୧ଜଣ ପଦକ ହାତେଇଛନ୍ତି । ଏହା ଭାରତୀୟ କ୍ରୀଡାର ସ୍ୱର୍ଣ୍ଣିମ ଇତିହାସ ହୋଇ ରହିବ ।

ସୂଚନାଯୋଗ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡା ଅଗଷ୍ଟ ୮ରେ ଶେଷ ହୋଇଛି । ପଦକ ତାଲିକାରେ ଭାରତ ଚତୁର୍ଥ ନମ୍ବରରେ ରହିଥିଲା । ଭାରତ ୬୧ଟି ପଦକ ଜିତିଥିଲା । ଯେଉଁଥିରେ ୨୨ଟି ସୁନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.