ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ୍: ଅଭିନବ ଉପାୟରେ ଲୁଟ୍ କରୁଥିଲେ ଅଳଙ୍କାର, ଟାର୍ଗେଟ୍ରେ ଥିଲେ ସୁନା ବ୍ୟବସାୟୀ
17/09/2023 at 7:55 PM

କଟକ,୧୭/୯: ଦିନ ଦିପହରରେ ଆତଙ୍କ ଖେଳାଇଥିବା ଲୁଟେରାଙ୍କୁ ବାନ୍ଧିଲା ପୋଲିସ। କଟକ କନ୍ଦରପୁର ଥାନା ମତ୍ତଗଜପୁର ଅଞ୍ଚଳରେ ଗୁଳି ଫୁଟାଇ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାରେ ଛଅ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସ୍ପେଶାଲ ସ୍କ୍ୱାର୍ଡ ଓ କନ୍ଦରପୁର ଥାନା ପୋଲିସର ଉଦ୍ୟମରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ ଗୁଳି ସହ ଲୁଟ ହୋଇଥିବା କିଛି ଅଳଙ୍କାରକୁ ଜବତ କରାଯାଇଛି।
ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମଙ୍ଗୁ ଓରଫ ମନୋଜ ମହାରଣାକୁ ଶୁକ୍ରବାର ରାତିରେ ପୋଲିସ ଏନକାଉଣ୍ଟର କରିଥିଲା। ରବିବାର ଅନ୍ୟ ଛଅ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ତିନି ଜଣ ଷଡଯନ୍ତ୍ରକାରୀ ଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡିସିପି ପିନାକ ମିଶ୍ର।
ଅଧିକ ପଢନ୍ତୁ- ଶୈଳଶୀ ବିହାରରେ ଚାଞ୍ଚଲ୍ୟ, ପିତ୍ତଳ ସଫା କରି ଲୁଟି ନେଲେ ସୁନା ଅଳଙ୍କାର
ଗତ ୬ ତାରିଖରେ ଅଭିଯୁକ୍ତ ମଙ୍ଗୁ ଅନ୍ୟ ସହଯୋଗୀମାନଙ୍କ ସହ ମିଶି ମତ୍ତଗଜପୁରରେ ଦିନ ଦିପହରରେ ଗୁଳି ଫୁଟାଇ କରିଥିଲା ଲୁଟ। ତେବେ ମଙ୍ଗୁ ଏହି ଅପରାଧରେ ଗଞ୍ଜାମ ଅଞ୍ଚଳର ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ସାମିଲ କରିଥିଲା। ଗିରଫ ଅଭିଯୁକ୍ତଙ୍କ ନାମରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ସଙ୍ଗୀନ ମାମଲା।
ତେବେ ଗିରଫ ତିନି ଷଡଯନ୍ତ୍ରକାରୀ ରୀତିମତ ଭାବେ ମଙ୍ଗୁକୁ ବ୍ୟବସାୟୀଙ୍କ ସମ୍ପର୍କରେ ଖବର ଦେଉଥିବାବେଳେ ନିଛାଟିଆ ଜାଗା ଦେଖି ଅପରାଧ ଘଟାଇଥିଲା ମଙ୍ଗୁ ଆଣ୍ଡ କୋ। ସୂଚନା ଅନୁସାରେ ଏହି ଅପରାଧରେ ମୋଟ ୯ ଜଣ ସାମିଲ ଥିବା ବେଳେ ଏବେ ବି ଦୁଇ ଜଣ ଫେରାର ଅଛନ୍ତି।