ଚୀନରୁ ଫେରିଥିଲେ ,କଥା ନମାନି ସୁଇମିଂ ପୁଲରେ ଗାଧୋଇଲେ : କିମ୍ କହିଲେ ଗୁଳି କରିଦିଅ

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪/୨: ସମସ୍ତ ଏସୀୟ ରାଷ୍ଟ୍ରରେ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ଉତ୍ତର କୋରିଆ ଏବଂ ପାକିସ୍ତାନରେ କୌଣସି ବ୍ୟକ୍ତି ଏଥିରେ ଆକ୍ରାନ୍ତ ନହେବା ସମସ୍ତଙ୍କୁ ଚକିତ କରିଦେଇଛି । କୁହାଯାଉଛି କି ଦୁଇଟି ଯାକ ଦେଶ ଏହି ଭାଇରସକୁ ଚିହ୍ନଟ କରିବାରେ ଅକ୍ଷମ ଅଟନ୍ତି କିମ୍ବା ସେମାନେ ଏଭଳି ମାମଲାକୁ ବିଭିନ୍ନ କାରଣରୁ ଦବାଇ ଦେଉଛନ୍ତି । ଏଭଳି ସ୍ଥିତିରେ ରିପୋର୍ଟ ଆସିଛି ଯେ ଉତ୍ତର କୋରିଆରେ କରୋନାରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ମନେ କରାଯାଉଥିବା ଜଣେ ବାଣିଜ୍ୟ ଅଧିକାରୀ ସୁଇମିଂ ପୁଲରେ ଗାଧୋଇବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଉକ୍ତ ଅଧିକାରୀ ଜଣକ କିଛି ଦିନ ତଳେ ଚୀନ୍‌ରୁ ଫେରିଥିଲେ । ଏହି କାରଣରୁ ତାଙ୍କୁ କାହା ସହିତ ମିଳାମିଶା ନକରି ଅଲଗା ରହିବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ହେଲେ ସେ ଏହାର ଉଲ୍ଲଂଘନ କରିଥିଲେ । ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଇ ଗୁଳି କରାଯାଇଥିଲା ।

ସେହିପରି ଉତ୍ତର କୋରିଆ ନ୍ୟାସନାଲ ସିକ୍ୟୁରିଟି ଏଜେନ୍ସିର ଜଣେ ଅଧିକାରୀ ନିଜର ଚୀନ୍‌ ଗସ୍ତ ସମ୍ପର୍କରେ ତଥ୍ୟ ଲୁଚାଇଥିବାରୁ ତାଙ୍କୁ ଏକ ଦୁର୍ଗମ ସ୍ଥାନରେ ଥିବା କ୍ଷେତରେ ନିର୍ବାସିତ ଜୀବନଯାପନ କରିବା ପାଇଁ ପଠାଇ ଦିଆଯାଇଛି । ଉତ୍ତର କୋରିଆରେ କେହି ବି ଏପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିନାହିଁ । କିନ୍ତୁ ସେଠାକାର ସରକାର ଚୀନ୍‌ ଯାଇଥିବା କିମ୍ବା ତା’ର ଲୋକଙ୍କ ସହିତ ସମ୍ପର୍କ ରଖିଥିବା ସମସ୍ତ ଲୋକଙ୍କୁ ବାସନ୍ଦ କରି ରଖାଯିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଚୀନ୍‌ ସହିତ ସଂଲଗ୍ନ ସୀମାକୁ ଉତ୍ତର କୋରିଆ ବନ୍ଦ କରିଦେଇଥିଲାବେଳେ ଦୁଇ ଦେଶ ଭିତରେ ଯାତାୟାତ ବ୍ୟବସ୍ଥାକୁ ରୋକି ଦିଆଯାଇଛି । ଦକ୍ଷିଣ କୋରିଆ ସଂଲଗ୍ନ ସୀମାରେ ବି ଏହି ଦେଶ ଏପରି ପଦକ୍ଷେପ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.