ଆସୁଛି ସୁପର ଟାଇଫୁନ୍ ‘ଟ୍ରମି’ : ୪ଦିନ ମଧ୍ୟରେ ଜାପାନକୁ କରିପାରେ ବରବାଦ
26/09/2018 at 5:11 PM

ଓ୍ବାସିଂଟନ୍ ୨୬/୦୯: ଜାପାନ ପାଇଁ ବଡ଼ଧରଣର ବିପଦ ସଙ୍କେତ ମିଳିଛି। କିଛି ଦିନ ମଧ୍ୟରେ ଜାପାନ ସୁପର-୫ ପର୍ଯ୍ୟାୟରେ ଏକ ଟାଇଫୁନ୍ ସମ୍ମୁଖୀନ ହେବ। ଏହି ଟାଇଫୁନର ନାଁ ‘ଟ୍ରମି’ ରଖାଯାଇଛି। ଇଣ୍ଟରନ୍ୟାସନାଲ୍ ସ୍ପେସ୍ ସେଣ୍ଟର(ଆଇଏସଏସ୍) ପକ୍ଷରୁ ମହାକାଶ ବିଜ୍ଞାନୀ ଆଲେକଜାଣ୍ଡାର ଗେରଷ୍ଟ ଏଭଳି ଏକ ସୂଚନା ଟ୍ବିଟରରେ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଦୁଇ ସପ୍ତାହ ତଳେ ଫିଲିପାଇନ୍ସରେ ‘ମାଂଖୁତ୍’ ନାମକ ସୁପର ଟାଇଫୁନ୍ ତାଣ୍ଡବ କରିଥିଲା। ଏଥିରେ ଚୀନ ଓ ତାଇଓ୍ବାନ୍ ମଧ୍ୟ ପ୍ରଭାବିତ ହୋଇଥିଲା।
ଆଲେକଜାଣ୍ଡାର ଗେରଷ୍ଟ କହିଛନ୍ତି ଯେ, ପୃଥିବୀ ଏକ ଭୟଙ୍କର ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି। ଧୀରେ ଧୀରେ ଅଗ୍ରସର ହେଉଥିବା ଏହି ଭୟଙ୍କର ବାତ୍ୟା ଅଟକିବାର ନାଁ ହିଁ ନେଉନାହିଁ। ସାଟେଲାଇଟ ଜରିଆରେ ମିଳିଥିବା ଏହାର ଫଟୋ ଦେଖିଲେ ଲାଗୁଛି ଯେ, ଏହା ଜାପାନ ଆଡ଼କୁ ଅଗ୍ରସର ହେଉଛି। ତେଣୁ ଜାପାନବାସୀ ସୁରକ୍ଷିତ ରହନ୍ତୁ ବୋଲି ସେ ଶୁଭକାମନା ଜଣାଇଛନ୍ତି।
ଚଳିତ ମାସ ଆରମ୍ଭରେ ମଧ୍ୟ ଜାପାନରେ ଜେବି ନାମକ ଏକ ଟାଇଫୁନ୍ ଅନୁଭୂତ ହୋଇଥିଲା। ଏଥିରେ ୧୩ଜଣଙ୍କ ଜୀବନ ହାନି ହୋଇଥିବାବେଳେ ପାଖାପାଖି ୩୨ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା।
ଏହି ଟାଇଫୁନ୍ ଯଦି ତାର ଗତିପଥ ନବଦଳାଏ ତାହେଲେ ଆସନ୍ତା ୪ଦିନ ମଧ୍ୟରେ ଏହା ଦକ୍ଷିଣ ଜାପାନରେ ମାଡ଼ ହୋଇପାରେ। ଏହାର ପ୍ରଭାବରେ ଘଣ୍ଟାକୁ ୧୪୦କିଲୋମିଟର ବେଗରେ ପବନ ବହିବ। ଏଥିସହିତ ପ୍ରବଳ ବର୍ଷା ଓ ଭୂସ୍ଖଳନ ହୋିପାରେ ବୋଲି ସିଏନଏନ୍ ରିପୋର୍ଟରେ କୁହାଯାଇଛି।