କୃଷକ ଆନ୍ଦୋଳନ: ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ଚାଷୀଙ୍କ ରଣନୀତି ସଫଳ ହେଲେ ସରକାର ନଇଁବା ନିଶ୍ଚିତ

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩।୧୨: ଚାଷୀ ଆନ୍ଦୋଳନକୁ ନେଇ ସରକାରଙ୍କ ଭ୍ରମ ଏବେ ଦୂର ହୋଇଛି। ଏହା ଏବେ କେବଳ ଚାଷୀଙ୍କ ଆନ୍ଦୋଳନ ହୋଇ ନାହିଁ। ଆନ୍ଦୋଳନକୁ ସମାଜର ସବୁ ସ୍ତରରୁ ସମର୍ଥନ ବଢିବାରେ ଲାଗିଛି, ବେରୋଜଗାର, ଛାତ୍ର ଓ ସରକାରୀ କର୍ମଚାରୀ ଆନ୍ଦୋଳନକୁ ସମର୍ଥନ କରିବା ଚାଷୀଙ୍କୁ ଅଧିକ ବଳ ମିଳିଛି। ସରକାର ଏହା କେବଳ ପଞ୍ଜାବର ଚାଷୀ ଆନ୍ଦୋଳନ ଭାବୁଥିଲେ। ହେଲେ ତାହା ବି ଭୁଲ ପ୍ରମାଣିତ ହେଲାଣି। ଏବେ ସବୁ ରାଜ୍ୟରୁ ଚାଷୀ ଦିଲ୍ଲୀ ଛୁଟିବାରେ ଲାଗିଲେଣି। ଏଣୁ ଆନ୍ଦୋଳନକୁ ନେଇ ସରକାରଙ୍କ ଉପରେ ଚାପ ବଢୁଥିବା ବେଳେ ଆଗାମୀ ୪୮ ଘଣ୍ଟା ନିର୍ଣ୍ଣାୟକ ହେବ ବୋଲି ଆଶଙ୍କା କରାଯାଉଛି।

ସେପଟେ ଚାଷୀ ସରକାରଙ୍କ ବିରୋଧରେ ଯେଉଁ ରଣନୀତିରେ ଅଗ୍ରସର ହେଉଛନ୍ତି ତାହା ଯଦି ସଫଳ ହୁଏ ସରକାର ଚାଷୀଙ୍କ ଦାବି ଆଗରେ ନଇଁବା ଏକପ୍ରକାର ନିଶ୍ଚିତ ଦେଖାଗଲାଣି। ତେବେ ତା ପୂର୍ବରୁ ଚାଷୀଙ୍କୁ ବୁଝାସୁଝା କରି କିପରି ଘରକୁ ଫେରାଇ ହେବ ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଣ୍ଟା ଭିଡିଛନ୍ତି। ପ୍ରସଙ୍ଗର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଅନ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଆଲୋଚନା କରି ଚାଷୀ ଓ ସରକାରଙ୍କ ମଝିରେ କୌଣସି ରାସ୍ତା ବାହାର କରିବାକୁ ମାନସ ମନ୍ଥନରେ ଲାଗିପଡିଛନ୍ତି।

ଚାଷୀ ଆନ୍ଦୋଳନ ଭଣ୍ଡୁର କରିବାକୁ ସରକାର ପ୍ରଥମରୁ ଉଦ୍ୟମ କରି ଆସୁଛନ୍ତି। ହେଲେ ସରକାରଙ୍କ ସବୁ ଉଦ୍ୟମ ବିଫଳ ହୋଇଛି। ଓଲଟି ସବୁ ରାସ୍ତାରେ ଚାଷୀ ସରକାରଙ୍କୁ ପରାସ୍ତ କରି ସମାଜର ସବୁ ବର୍ଗରୁ ସମର୍ଥନ ହାସଲ କରିବା ସହ ଆନ୍ଦୋଳନକୁ ଆହୁରି ବିଶାଳ କରିସାରିଲେଣି। ଏବେ ଚାଷୀଙ୍କ ଆନ୍ଦୋଳନକୁ ସରକାରଙ୍କ ସହୋଯୋଗୀ ଦଳଙ୍କର ମଧ୍ୟ ସମର୍ଥନ ମିଳିବାରେ ଲାଗିଲାଣି। ଏଣୁ ସରକାର ଏବେ  ଆନ୍ଦୋଳନର କେନ୍ଦ୍ରରେ ଥିବା ପରି ଲାଗିଲାଣି। 

ସବୁ ରାଜ୍ୟରୁ ଚାଷୀ ଦିଲ୍ଲୀ ମୁହାଁ ହେବା ଏବେ ସରକାରଙ୍କ ଉପରେ ଚାପ ପକାଇଥିବା ଅଲ ଇଣ୍ଡିଆ କିଷାନ ଖେତ ମଜଦୂର ସଙ୍ଗଠନର ଜାତୀୟ ସଭାପତି ସତ୍ୟବାନ କହିଛନ୍ତି। ତଥାପି ସରକାର ଏବେବି ଦେଶରେ ଚାଷୀଙ୍କ ଏକତାର ପ୍ରମାଣ ନେବାକୁ ଚାହୁଁଛନ୍ତି। ଯାହାର ପରିଣାମ ଏବେ ରାସ୍ତାଘାଟରେ ଦେଖାଗଲାଣି ବୋଲି ସେ କହିଛନ୍ତି। ସରକାର କେବଳ ଚାଷୀ ନୁହଁନ୍ତି ଛାତ୍ର, ଯୁବକ, ସରକାରୀକର୍ମଚାରୀ, ବୃତ୍ତିଜୀବି ଓ ଶ୍ରମିକଙ୍କୁ ମଧ୍ୟ  ଭ୍ରମିତ କରିଛନ୍ତି। ଏଣୁ ଚାଷୀଙ୍କୁ ସବୁ ବର୍ଗରୁ ସମର୍ଥନ ମିଳିବା ଯୋଗୁ ହୁଏତ ଆଗାମୀ ୪୮ ଘଣ୍ଟାରେ ଚାଷୀ ଓ ସରକାର ସାର୍ଥକ ଆଲୋଚନା ହୋଇପାରେ ବୋଲି ସତ୍ୟବାନ ଆଶାବ୍ୟକ୍ତ କରିଛନ୍ତି।

କେବଳ କୃଷକନେତା ନୁହନ୍ତି ସରକାରରେ ସହଯୋଗୀ ଦଳମାନେ ମଧ୍ୟ ଏବେ ସମାନ ଆଶାପୋଷଣ କରୁଛନ୍ତି। ଏଣୁ ପ୍ରସଙ୍ଗରେ  ଚାଷୀଙ୍କ ସହ ସରକାରଙ୍କ ଆଗାମୀ ବାର୍ତ୍ତା ନିଶ୍ଚିତ ସଫଳ ହେବ ବୋଲି ସେମାନେ ଆଶାବ୍ୟକ୍ତ କରୁଛନ୍ତି। ସରକାର ଆଇନ ପ୍ରତ୍ୟାହାର କରିବେନି ବୋଲି ସଫାସଫା ଶୁଣାଇ ସାରିଛନ୍ତି ସେପଟେ ଚାଷୀ ମଧ୍ୟ ୩ କଳା ଆଇନ ନ ହଟିଲେ ଦିଲ୍ଲୀରୁ ହଟିବେନି ବୋଲି ସ୍ପଷ୍ଟ କରିସାରିଛନ୍ତି। ଏଣୁ ମଝିରେ କେଉଁ ରାସ୍ତା ବାହାରିବ ତା ଉପରେ ଏବେ ସମସ୍ତଙ୍କ ନଜର। ଚାଷୀ ଜାଣିସାରିଲେଣି ସରକାରଙ୍କ ଉପରେ କର୍ପୋରେଟ କ୍ଷେତ୍ରର ଚାପ ରହିଛି। ହେଲେ ମୋଦି ସରକାର ଚାଷୀର କ୍ଷେତକୁ କର୍ପୋରେଟକୁ କେବେ ଦେଇ ଦେବେନି ବୋଲି ମଧ୍ୟ ସେମାନେ ନିଶ୍ଚିତ। ଏଣୁ ଯାହାବି ହେବ ତାହା ନିଶ୍ଚିତ ନିର୍ଣ୍ଣାୟକ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.