ଭୁବନେଶ୍ୱର ୦୬/୦୧: ଶୀତ ପ୍ରକୋପ ସାମାନ୍ୟ ବଢ଼ିଛି । ଥଣ୍ଡା ଆହୁରି ବଢ଼ିବ । ଆସନ୍ତା ଦୁଇଦିନ ଭିତରେ ରାତି ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ସେଲସିୟସ କମିବା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ପୂର୍ବ ଦିଗରୁ ସାମୁଦ୍ରିକ ପବନ ଯୋଗୁ ଗୁରୁବାର ଅନେକ ଜାଗାରେ ଦିନ ତାପମାତ୍ରା ହ୍ରାସ ପାଇବା ସହ ପାଗ କୁହୁଡ଼ିଆ ଥିଲା । ତେବେ ଆସନ୍ତା ଦୁଇଦିନ ଉତ୍ତର ଦିଗରୁ କାଲୁଆ ପବନ ପ୍ରବାହ ବଢ଼ିବ । ଏହା ପ୍ରଭାବରେ ରାତି ତାପମାତ୍ରା ଏବେ ଯେତିକି ଅଛି, ତା’ ତୁଳନାରେ ୩ରୁ ୫ ଡିଗ୍ରୀ କମିପାରେ । ଭୁବନେଶ୍ୱର ରାତି ତାପମାତ୍ରା ୧୧-୧୨ ଡିଗ୍ରୀରେ ପହଞ୍ଚିପାରେ । ସେହିପରି ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରହିପାରେ । ଆସନ୍ତା ୪-୫ଦିନ ପର୍ଯ୍ୟନ୍ତ ଶୀତ ପ୍ରକୋପ ଅଧିକ ରହିବା ସମ୍ଭାବନା ଅଛି ।
ବୁଧବାର ରାତିରେ ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୧.୭ ଡିଗ୍ରୀ ଥିବାବେଳେ ଢେଙ୍କାନାଳରେ ୧୨, ବାରିପଦାରେ ୧୩, କୋରାପୁଟରେ ୧୩, ଦାରିଙ୍ଗିବାଡ଼ିରେ ୧୩, କେନ୍ଦୁଝରରେ ୧୩.୨, ଫୁଲବାଣୀ ୧୪, କେନ୍ଦ୍ରାପଡ଼ା ୧୪.୬, ଅନୁଗୁଳ ୧୪.୬, ନୂଆପଡ଼ା ୧୫, ସୁନ୍ଦରଗଡ଼ ୧୫, କଟକ ୧୫.୨, ଚାନ୍ଦବାଲି ୧୫.୩, ଭୁବନେଶ୍ୱରର ୧୫.୮ ଡିଗ୍ରୀ ସେଲସିୟସ ଥିଲା । ଅନ୍ୟପଟେ ଗୁରୁବାର ଦିନ ତମାମ ଅନେକ ସ୍ଥାନରେ ଦିନ ତାପମାତ୍ରା ବି ହ୍ରାସ ପାଇଥିଲା । ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ୨୫-୨୬ ଡିଗ୍ରୀ ପାଖାପାଖି ରହିଥିଲା ।