କଲମ୍ବିଆରେ ଭୟଙ୍କର ଭୂସ୍ଖଳନ; ମାଟି ତଳେ ଦବିଗଲା ବସ୍, ୩୩ମୃତ, ଅନେକ ଆହତ

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ: କଲମ୍ବିଆ ଭୟଙ୍କର ଭୂସ୍ଖଳନରେ ୩୩ଜଣଙ୍କ ମୃତ୍ୟୁ । ଲ୍ୟାଣ୍ଡସ୍ଲାଇଡିଂ ଯୋଗୁ ମାଟି ତଳେ ଦବି ହୋଇଯାଇଛି ଯାତ୍ରୀବାହୀ ବସ୍ । ଫଳରେ ଲୋକଙ୍କ ଜୀବନ ଯାଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ପ୍ରବଳ ବର୍ଷା ଯୋଗୁଁ ରିସାରାଲ୍ଡ ପ୍ରାନ୍ତରେ ଭୂସ୍ଖଳନ ହୋଇଛି । ଘଟଣାକୁ ନେଇ କଲମ୍ବିଆ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।    

କଲମ୍ବିଆର ରିସାରାଲ୍ଡ ପ୍ରାନ୍ତରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ଯୋଗୁ ଭୟଙ୍କର ଭୂସ୍ଖଳନ ହୋଇଛି । ଏଥିରେ ଗୋଟିଏ ଯାତ୍ରୀବାହୀ ବସ୍ ସହିତ ଅନେକ ଗା଼ଡ଼ି ମାଟି ତଳେ ଦବି ହୋଇଯାଇଛି । ରାଜଧାନୀ ବୋଗୋଟାରୁ ପ୍ରାୟ ୨୩୦ କିଲୋମିଟର ଦୂର ପୁଏଲବୋ ରିକୋ ଓ ସୋସିଲିଆ ଗାଁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି । ମାଟି ତଳେ ବସ୍ ଚାପି ହୋଇଯିବାରୁ ୩୩ଜଣଙ୍କ ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ ୩ଜଣ ଶିଶୁ ଥିବା ଜଣାପଡ଼ିଛି । ୯ଜଣଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୪ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି ।

କାଣ୍ଡୋଟୋ ନଗର ପାଳିକା ଅଧିକାରୀଙ୍କ କହିବା ଆନୁଯାୟୀ, ବସରେ ପ୍ରାୟ ଯାତ୍ରୀ ବସଥିଲେ ଏହି ସମୟରେ ଭୂସ୍ଖଳନ ହୋଇଥିଲା । ଡ୍ରାଇଭର  ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.