ରିୟଲ ଇ-ଷ୍ଟେଟ୍ ହଟସ୍ପଟ୍ ପାଲଟିବ ପୁରୀ, ତାଲିକାରେ ଅଯୋଧ୍ୟା, ଇନ୍ଦୋର ଭଳି ଆଧ୍ୟାତ୍ମିକ ସହର: କୋଲିୟର୍ସ ଇଣ୍ଡିଆ ରିପୋର୍ଟ

Published By : Prameya-News7 Bureau | August 10, 2024 IST

ନୂଆଦିଲ୍ଲୀ,୧୦/୦୮: ପୁରୀ ପାଲଟିବ ଇୟଲ୍ ଇଷ୍ଟେଟ୍ ହଟସ୍ପଟ୍ । ଆଗାମୀ ୫ରୁ ୬ ବର୍ଷ ଭିତରେ ଭାରତର ହଟସ୍ପଟ୍ ସହର ତାଲିକାରେ ସାମିଲ୍ ହେବ । ୧୭ତମ ସହର ହେବ ପୁରୀ । ଅଫିସ୍‌, ପଣ୍ୟାଗାର, ପର୍ଯ୍ୟଟନ, ରେସିଡେନ୍‌ସିଆଲ ଏବଂ ସିନିୟର ଲିଭିଂ ଭଳି ପ୍ରପର୍ଟିଗୁଡ଼ିକର ବିକାଶ ସହିତ ଏହି ସହରଗୁଡ଼ିକ ଦୃଢ଼ ଅଭିବୃଦ୍ଧି ହାସଲ କରିବେ ଏବଂ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । କୋଲିୟର୍ସ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଏକ ସଦ୍ୟ ରିପୋର୍ଟରେ ଏଭଳି କିଛି ଉଲ୍ଲେଖ କରାଯାଇଛି ।

ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ଦିଗରେ ଭାରତ ଦ୍ରୁତ ଗତିରେ ବଢୁଛି  । ରାଷ୍ଟ୍ର ବିକାଶରେ ସହରଗୁଡ଼ିକର ରହିଛି ପ୍ରମୁଖ ଭୂମିକା  । ବର୍ତ୍ତମାନର ୮ ମେଗା ସହର ବାଦ୍‌ ଆଉ ୧୦୦ ଭାରତୀୟ ସହରର ଜନସଂଖ୍ୟା ୨୦୫୦ ସୁଦ୍ଧା ୧୦ ଲକ୍ଷ ପାର୍‌ କରିବା ନେଇ ଅନୁମାନ କରାଯଉଛି । ତେବେ ଆଗକୁ ଭିତ୍ତିଭୂମି ବିକାଶ, ଡିଜିଟାଲାଇଜେସନ୍‌ ଏବଂ ପର୍ଯ୍ୟଟନ ଆଦି ସହରାଞ୍ଚଳ ବିକାଶର ଇଞ୍ଜିନ୍‌ ପାଲଟିବ ବୋଲି ରିପୋର୍ଟରେ କୁହାଯାଇଛି । 

ଆଗାମୀ ୫ରୁ ୬ ବର୍ଷରେ ସହରଗୁଡ଼ିକର ରିୟଲ ଇଷ୍ଟେଟ୍‌ ଆକର୍ଷଣୀୟତା ଏବଂ ଅଭିବୃଦ୍ଧି ସମ୍ଭାବନାକୁ ଆକଳନ କରିବା ପାଇଁ କୋଲିୟର୍ସ ଇଣ୍ଡିଆ ଏହାର ନୂଆ ରିପୋର୍ଟରେ ୧୦୦ ଅଭିବୃଦ୍ଧିଶୀଳ ସହରକୁ ନେଇ ବିଶ୍ଳେଷଣ କରିଛି । ରିପୋର୍ଟର ନାଁ ରହିଛି ‘ଇକ୍ୱିଟେବଲ୍‌ ଗ୍ରୋଥ୍‌ ଆଣ୍ଡ୍‌ ଏମର୍ଜିଂ ରିୟଲ ଇଷ୍ଟେଟ୍‌ ହଟ୍‌ସ୍ପଟ୍‌ସ’ । ଏହି ୧୦୦ ସହର ମଧ୍ୟରୁ ୩୦ଟି ସହର ସର୍ବାଧିକ ସମ୍ଭାବନା ବହୂଳ ଅଭିବୃଦ୍ଧି କେନ୍ଦ୍ର ପାଲଟିବେ। ଅନ୍ୟପକ୍ଷରେ ୧୭ଟି ସହର ୩ କିମ୍ବା ତା’ଠାରୁ ଅଧିକ ଆସେଟ୍‌ କ୍ଲାସ୍‌ରେ ମଜଭୂତ ରିୟଲ ଇଷ୍ଟେଟ୍‌ ବିକାଶ ହାସଲ କରିବେ ବୋଲି ରିପୋର୍ଟରେ କୁହାଯାଇଛି । ଆଗକୁ ଦେଶର ରିୟଲ ଇଷ୍ଟେଟ୍‌ ହଟ୍‌ସ୍ପଟ୍‌ ପାଲଟିବାକୁ ଥିବା ୧୭ଟି ବିକାଶମୁଖୀ ସହର ମଧ୍ୟରେ ରହିଛି ଅମ୍ରିତସର, ଅଯୋଧ୍ୟା, ଜୟପୁର, କାନପୁର, ଲକ୍ଷେ୍ନø, ବାରାଣାସୀ, ପାଟ୍‌ନା, ପୁରୀ, ଦ୍ୱାରକା, ନାଗପୁର, ସିରିଡି, ସୁରଟ, କୋଏମ୍ବାଟୁର, କୋଚି, ତିରୁପତି, ବିଶାଖାପାଟମ୍‌ ଏବଂ ଇନ୍ଦୋର । 

କୋଲିୟର୍ସ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଦଲ ୟାଗ୍‌ନିକ୍‌ କହିଛନ୍ତି ଯେ, ଭାରତୀୟ ଅର୍ଥବ୍ୟବସ୍ଥାରେ ଆଖିଦୃଶିଆ ଯୋଗଦାନ ଦେଉଛନ୍ତି ଛୋଟ ସହର । ବିକଶିତ ଭିତ୍ତିଭୂମି, ସୁଲଭ ରିୟଲ୍‌ ଇଷ୍ଟେଟ୍‌, ଦକ୍ଷ ପ୍ରତିଭା ଏବଂ ସରକାରୀ ଅଭିଯାନଗୁଡ଼ିକ ଦ୍ୱାରା ଏହି ସହରଗୁଡ଼ିକରେ ବିପୁଳ ସମ୍ଭାବନା ସୃଷ୍ଟି ହୋଇଛି । ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ଏହି ସହରଗୁଡ଼ିକର ଅଭିବୃଦ୍ଧି ସହିତ ୨୦୩୦ ସୁଦ୍ଧା ଦେଶର ରିୟଲ ଇଷ୍ଟେଟ୍‌ ଶିଳ୍ପ ୧ ଟ୍ରିଲିୟନ ଡଲାର ଛୁଇଁବ । ୨୦୫୦ ସୁଦ୍ଧା ଏହା ୫ ଟ୍ରିଲିୟନ ଡଲାରରେ ପହଞ୍ଚିବ, ଯାହାକି ଦେଶର ମୋଟ ଘରୋଇ ଉତ୍ପାଦର ୧୪ରୁ ୧୬% ରହିବ । 

ରିପୋର୍ଟ ଅନୁସାରେ, ଭାରତରେ ରିୟଲ୍‌  ଇଷ୍ଟେଟ୍‌ ଅଭିବୃଦ୍ଧିରେ ଭିତ୍ତିଭୂମି ବିକାଶ ପ୍ରମୁଖ ଭୂମିକା ଗ୍ରହଣ କରିବ । ଜାତୀୟ ଭିତ୍ତିଭୂମି ପାଇପ୍‌ଲାଇନ୍‌ (ଏନ୍‌ଆଇପି) ଏବଂ ପିଏମ୍‌ ଗତିଶକ୍ତି ଭଳି ଯୋଜନାଗୁଡ଼ିକ ମାଧ୍ୟମରେ ପରିବର୍ଦ୍ଧିତ କନେକ୍ଟିଭିଟି ଏବଂ ବର୍ଦ୍ଧିତ ବିନିର୍ମାଣ ଗତିବିଧିରୁ ଛୋଟ ଛୋଟ ସହରରେ ରିୟଲ ଇଷ୍ଟେଟ୍‌ ବିକାଶ ଦ୍ରୁତ ହେବ । ହାଇବ୍ରିଡ୍‌ ୱାର୍କର ପ୍ରସାର ଫଳରେ କ୍ଷୁଦ୍ର ସହରଗୁଡ଼ିକରେ ସାଟେଲାଇଟ୍‌ ଅଫିସ୍‌ ସ୍ଥାପନ କରି କମ୍ପାନିଗୁଡ଼ିକ ହବ୍‌ ଆଣ୍ଡ୍‌ ସ୍ପୋକ୍‌ ମଡେଲ୍‌କୁ ଆପଣାଉଛନ୍ତି । ଦକ୍ଷ ପ୍ରତିଭା, ଭିତ୍ତିଭୂମି ଏବଂ ପ୍ରତିଷ୍ଠିତ ଅଫିସ୍‌ ହବ୍‌ ନିକଟତର ଯୋଗୁ କୋଏମ୍ବାଟୁର, ଇନ୍ଦୋର ଏବଂ କୋଚି ଆଦି ସହରରେ ଏଥିପାଇଁ ବିପୁଳ ସମ୍ଭାବନା ସୃଷ୍ଟି ହୋଇଛି । ଆଧ୍ୟାତ୍ମିକ ନୀତି ଏବଂ ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ଫଳରେ ପୁରୀ, ଅମ୍ରିତ୍‌ସର୍‌, ଅଯୋଧ୍ୟା, ଦ୍ୱାରକା, ସିରିଡି, ତିରୁପତି ଏବଂ ବାରାଣାସୀ ଭଳି ସହର ଉପକୃତ ହେବେ । ଏସବୁ ସହରରେ ହସ୍‌ପିଟାଲିଟି ଏବଂ ରିଟେଲ୍‌ କ୍ଷେତ୍ରରେ ସହାୟକ ରିୟଲ ଇଷ୍ଟେଟ୍‌ ବିକାଶ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.