ଛାତ୍ରୀଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା ! ମୃତଦେହ ନିକଟରେ ପଡିଛି ମଦ ବୋତଲ ଓ ଗ୍ଲାସ୍

Published By : Prameya-News7 Bureau | March 01, 2024 IST

ଢେଙ୍କାନାଳ ୧।୩: ଜଣେ କଲେଜ ଛାତ୍ରୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଛାତ୍ରୀଙ୍କ ମୃତଦେହ ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର କିଛି ଦୂରରେ ଥିବା କାଜୁ ଜଙ୍ଗଲରୁ ଠାବ କରାଯାଇଛି । ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ପୋଲିସ ଅନୁସନ୍ଧାନୀ କୁକୁର ଓ ଫରେନସିକ୍ ଟିମ୍ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତ ଛାତ୍ରୀ ମୁହଁ ମାଡି ପଡିଥିବା ବେଳେ  ନିକଟରେ ଏକ ରକ୍ତଭିଜା ପଥର ଓ କିଛି ମଦ ବୋତଲ ଗ୍ଲାସ ପଡିଥିବା ଦେଖିବାକୁ ମିଳିଛି । ପାଖରେ ଛାତ୍ରୀର କଲେଜ ବ୍ୟାଗ ଓ ପୋଷାକ ଓଢଣୀ ପଡିଥିବା ଦେଖିବାକୁ ମିଳିଛି ।

ଛାତ୍ରୀଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ଘୋଷାରି ଘୋଷାରି ତାଙ୍କୁ ରାସ୍ତା ପାର୍ଶ୍ୱ ହୁଡ଼ାରେ ପକାଇ ଦିଆଯାଇଛି । ସେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ବୋଲି ଜଣାପଡିଛି । ମୃତ ଛାତ୍ରୀ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଅଞ୍ଚଳର ଓ  ସେ ଗତକାଲି ଦିନ ୨ଟା ସମୟରେ ସହରର କୁଞ୍ଜକାନ୍ତ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଅଧା ବାଟରୁ କୁଆଡେ ନିଖୋଜ ହୋଇଯାଇଥିଲେ । ଘର ଲୋକ ବହୁ ଖୋଜାଖୋଜି କରିବା ପରେ ରାତିରେ ସଦର ଥାନା ଓ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ମଧ୍ୟ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲା ।

ଛାତ୍ରୀ ଜଣଙ୍କ କୋଚିଂ ସେଣ୍ଟରରୁ ବାହାରି ବଜାର ଦେଇ ପ୍ରଥମେ ସାଇକେଲରେ ଓ ପରେ ଚାଲି ଚାଲି ଯାଉଥିବାର ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଛି । ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଛାତ୍ରୀଙ୍କ ମୃତଦେହ  ଘରଠାରୁ  ପ୍ରାୟ ୧ କିଲୋମିଟର ଦୂରରେ ଏକ ବୁଦାମୂଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିବା ପରେ ପୋଲିସକୁ ଖବର ଦେଇଥିଲେ ।  ଖବର ପାଇ ଘଟଣାସ୍ଥଳରେ ସଦର ଏସଡିପିଓ ଓ ଅନ୍ୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତ ଛାତ୍ରୀ ଜଣଙ୍କ ଜଣେ ମେଧାବୀ ଛାତ୍ରୀ ବୋଲି ଜଣାପଡ଼ିଥିବା ବେଳେ ହତ୍ୟାର କାରଣକୁ ନେଇ ଉଭୟ ପୋଲିସ ଓ ତାଙ୍କ ପରିବାର ଦ୍ଵନ୍ଦରେ ପଡିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଜଣାପଡିବ ବୋଲି ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି ।

You Can Read :

wp:embed {"url":"https://www.prameyanews7.com/bihar-parents-missing-son-rescued-from-bhubaneswar-patia/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bihar-parents-missing-son-rescued-from-bhubaneswar-patia/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.