କଲେଜ୍ ଡ୍ରପଆଉଟ୍, ଗାଁ ଲୋକଙ୍କୁ ଯୋଗାଉଛନ୍ତି ବିଦ୍ୟୁତ୍
27/03/2023 at 4:14 PM

ନୂଆଦିଲ୍ଲୀ ୨୭/୦୩; ଲୋକଙ୍କୁ ସେବା କରିବାର ବିଭିନ୍ନ ଉପାୟ ରହିଛି। ଏଥିପାଇଁ କେବଳ ଆବଶ୍ୟକ ଇଚ୍ଛାଶକ୍ତି। ଆମ ଆଖ ପାଖରେ କମ୍ ପାଠ ପଢିଥିବା ଅନେକ ଲୋକ ମିଳନ୍ତି। କିନ୍ତୁ ସେମାନଙ୍କ ପ୍ରତିଭା ଢେର୍। ସେମିତି ଜଣେ ଯୁବକ ହେଲେ ଝାଡଖଣ୍ଡର କେଦାର ପ୍ରସାଦ ମହୋତ। କଲେଜ୍ ଡ୍ରପଆଉଟ୍। କିନ୍ତୁ ତାଙ୍କ ପ୍ରତିଭା ବଳରେ ସେ ଆଜି ଗାଁ ଲୋକଙ୍କୁ ଯୋଗାଉଛନ୍ତି ବିଦ୍ୟୁତ୍।
ଝାଡ଼ଖଣ୍ଡ ରାମଗଡ଼ ଜିଲ୍ଲାର ବାୟଙ୍ଗ ଗାଁର ବାସିନ୍ଦା କେଦାର। ଗାଁ ଲୋକଙ୍କ ପ୍ରିୟ। ଅଧାରୁ ଛାଡ଼ିଛନ୍ତି କଲେଜ । କିନ୍ତୁ ଜଳ ଶକ୍ତିକୁ ଉପଯୋଗ କରି ଗାଁକୁ ୫ କେଭିର ବିଦ୍ୟୁତ ଯୋଗାଇଛନ୍ତି । ତାଙ୍କର ଏଭଳି ପ୍ରାୟସ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳିଛି। କେଦାର ନିଜ ହାତରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆରମ୍ଭ କଲେ ବିଦ୍ୟୁତ ପ୍ରକଳ୍ପ କାମ। ସେ ପ୍ରଥମେ ବାଉଁଶ ଏବଂ କିଛି ସାଧାରଣ ଜିନିଷ ଆଦି ସାହାଯ୍ୟରେ ପାଣିକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ପହଞ୍ଚାଇଥିଲେ । ଆଉ ଟରବାଇନ୍ ଦ୍ୱାରା ୫ କେଭିର ବିଦ୍ୟୁତ ଉତ୍ପାଦନ କରି ଗାଁର ମନ୍ଦିର ଏବଂ ଷ୍ଟ୍ରିଟ୍ ଲାଇଟ୍କୁ ଶକ୍ତି ଯୋଗାଇଥିଲେ । ନାବାର୍ଡ ଅଧିକାରୀ ଘଟଣାସ୍ଥଳକୁ ଯାଇ ପ୍ରକୃତ ସ୍ଥିତି ପରିଖିଛନ୍ତି। ନାବାର୍ଡ ଅଧିକାରୀଙ୍କ କହିବାନୁଯାୟୀ, ଦୁଇ ମେଗା ୱାଟ୍ ପାୱାର ପ୍ଲାଣ୍ଟର ଖର୍ଚ୍ଚ ୧୦ କୋଟି ଟଙ୍କା । କିନ୍ତୁ ଯଦି କେଦାରଙ୍କ ଜ୍ଞାନ କୌଶଳ ବ୍ୟବହାର କରି ଦୁଇ ମେଗା ୱାଟ୍ର ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ କରାଯାଏ ତେବେ ମାତ୍ର ୨ କୋଟି ଟଙ୍କା ଖର୍ଚ୍ଚ ହେବ । କେଦାରଙ୍କ ଏହି ପାୱାର ପ୍ଲାଣ୍ଟ ୩୦ରୁ ୪୦ କେଭି ବିଦ୍ୟୁତ ଉତ୍ପାଦନ କରିବାର କ୍ଷମତା ରଖୁଛି । କିନ୍ତୁ ଏହି ପାୱାର ପ୍ଲାଣ୍ଟରେ ବାଉଁଶ ଏବଂ ହାତ ତିଆରି ଟରବାଇନ୍ ବ୍ୟବହାର କରଯାଇଥିବାରୁ ଏହା ଅଧିକ ବିଦ୍ୟୁତ ଶକ୍ତି ତ୍ପାଦନ କରିବା ସୁରକ୍ଷିତ ନୁହେଁ । ସବୁଠାରୁ ବଡ଼ କଥା ହେଲା କମ୍ ପଢି ଏଭଳି କିଛି କାମ କରିପାରିଛନ୍ତି କେଦାର। ଯେଉଁଥିପାଇଁ ତାଙ୍କୁ ଚାରିଆଡ଼ୁ ମିଳିଛି ପ୍ରଶଂସା।