ଆଜିଠୁ ରାଜ୍ୟରେ ବଢ଼ିବ ଶୀତ ; ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଥଣ୍ଡାର ପ୍ରଭାବ ଜାରି ରହିବ
9/11/2018 at 11:18 AM

ଭୁବନେଶ୍ବର ୯|୧୧: ଆଜିଠୁ ରାଜ୍ୟରେ ବଢ଼ିବ ଶୀତ । ଗତ ମାସ ୨୫ରୁ ଶୀତ ଅନୁଭୂତ ହୋଇଥିଲା । ତେବେ ଦିଲ୍ଲୀରେ ଭୀଷଣ ବାୟୁ ପ୍ରଦୂଷଣର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି। ତେଣୁ ଶୀତ ଆସିବାରେ ବିଳମ୍ବ ହେଉଛି । ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଥଣ୍ଡା ଓ ଶୁଖିଲା ପବନ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହୁଛି। ଫଳରେ ଦିନେ ଦୁଇଦିନ ଭିତରେ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି। ନଭେମ୍ବର ମାସର ପ୍ରଥମ ସପ୍ତାହରୁ କେବଳ ପଶ୍ଚିମାଞ୍ଚଳ ନୁହେଁ, ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଅନୁଭୂତ ହେବା କଥା। କିନ୍ତୁ ଚଳିତ ବର୍ଷ ପଶ୍ଚିମାଞ୍ଚଳକୁ ଛାଡ଼ିଦେଲେ ଅବଶିଷ୍ଟ ସ୍ଥାନକୁ ଶୀତ ଛୁଇଁନାହିଁ। ବରଂ ଗରମ ଅନୁଭୂତ ହେଉଛି। ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ଅଧିକ ରହୁଛି। ଉତ୍ତର ଦିଗରୁ ପ୍ରବାହିତ ଥଣ୍ଡା ଓ ଶୁଖିଲା ପବନ ଯୋଗୁଁ ଆଜିଠାରୁ ଉପକୂଳ ଅଞ୍ଚଳରେ ଶୀତ ଅନୁଭୂତ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଥଣ୍ଡାର ପ୍ରଭାବ ଜାରି ରହିବ। ପଶ୍ଚିମାଞ୍ଚଳରେ ଅଧିକ ଓ ଉପକୂଳରେ ମୃଦୁ ଶୀତ ରହିବ। ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ ।