କୁହୁଡ଼ି ଓ ଥଣ୍ଡାରେ ଥରୁଛି ଉତ୍ତର ଭାରତ, ଦିଲ୍ଲୀ ଓ ୟୁପି ସମେତ ଏହି ୫ ରାଜ୍ୟ ଲାଗି ଜାରି ହେଲା ରେଡ୍ ଆଲର୍ଟ
8/01/2023 at 7:40 PM

ନୂଆଦିଲ୍ଲୀ ୮।୧: ବରଫ ପବନରେ ପୁରା ଉତ୍ତର ଭାରତ ଏବେ ଥରୁଛି। ଦିଲ୍ଲୀରେ ଥଣ୍ଡା ଲଗାତାର ରେକର୍ଡ ଭାଙ୍ଗୁଛି। ପାଣିପାଗ ବିଭାଗଙ୍କ କହିବା କଥା ହେଉଛି ଇଣ୍ଡୋ ଗ୍ୟାଙ୍ଗଟିକ୍ ପ୍ଲେନ୍ ଅଞ୍ଚଳର ଭୂ ପୃଷ୍ଠରେ ହାଲୁକା ପବନ ଓ ଆର୍ଦ୍ରତା ହେତୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ କୁହୁଡ଼ି ବହଳ ହେବ, ଅର୍ଥାତ ଏହି ସମୟରେ ଭିଜିବିଲିଟି ଶୁନ୍ୟ ମିଟର ରହିପାରେ। ଏଣୁ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, ସିକ୍କିମ, ଆସାମ,ତ୍ରିପୁରା ଓ ମଧ୍ୟପ୍ରଦେଶରେ ମଧ୍ୟ ଘନ କୁହୁଡ଼ି ହୋଇପାରେ।ଏଣୁ ପାଣିପାଗ ବିଭାଗ (ଆଇଏମଡି) କେତେକ ରାଜ୍ୟଙ୍କ ଲାଗି ରେଡ ଓ ଅରେଞ୍ଜ ଆଲର୍ଟ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଲାଗି ରବିବାର ଚଳିତ ଋତୁର ସବୁଠୁ ଥଣ୍ଡା ଦିନ ଥିଲା। ଦିଲ୍ଲୀ ସଫଦରଜଙ୍ଗରେ ଦିନର ସର୍ବନିମ୍ନ ତାପମାତ୍ରା ୧.୯ ଡିଗ୍ରି ସେଲସିୟସ୍ ରେକର୍ଡ ହୋଇଛି। ଗତ ୩ ଦିନ ହେଲା ଜାତୀୟ ରାଜଧାନୀରେ ଶୈଳ ନିବାସ ଅପେକ୍ଷା ଅଧିକ ଥଣ୍ଡା ପଡୁଛି। ଏ ସମ୍ପର୍କରେ ସୂଚନା ଦେଇ ଆଇଏମଡି ବୈଜ୍ଞାନିକ ଆର.କେ.ଜେନାମଣି ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ୟୁପି ଲାଗି ରେଡ ଆଲର୍ଟ ଜାରି ହୋଇଥିବା କହିଛନ୍ତି। ସେହିପରି ରାଜସ୍ଥାନ ଓ ବିହାର ଲାଗି ଅରେଞ୍ଜଆଲର୍ଟ ଜାରି ହୋଇଛି।

ତେବେ ଜାନୁୟାରୀ ୧୦ ତାରିଖ ପରେ ଶୀତ ଲହର ଥମିବ ବୋଲି ଜେନାମଣି କହିଛନ୍ତି। କାରଣ ଜାନୁୟାରୀ ୧୦ ତାରିଖ ରାତିରେ ନୂଆ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ସୃଷ୍ଟି ହେବ। ଏଣୁ ଜାନୁୟାରୀ ୧୦ ତାରିଖ ରାତିରୁ ଘନ କୁହୁଡ଼ି ଓ ଶୀତ ଲହର ସମାପ୍ତ ହୋଇଯିବ ବୋଲି ସେ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ବହଳ କୁହୁଡ଼ି ଯୋଗୁ ଟ୍ରେନମାନଙ୍କର ବେଗ ଧିମେଇ ଯାଇଛି। ବିଭିନ୍ନ ଏକ୍ସପ୍ରେସ୍ ଟ୍ରେନ ସମେତ ଅନେକ ଟ୍ରେନ ଘଣ୍ଟା ଘଣ୍ଟା ବିଳମ୍ବରେ ଯାତ୍ରା କରୁଛନ୍ତି। ଗାଜିୟାବାଦରେ ଶୀତ ଲହର ଯୋଗୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ୧୧ ଜାନୁୟାରୀ ପର୍ଯ୍ୟନ୍ତ ଛୁଟି କରିଦିଆଯାଇଛି। ଆଇଏମଡିଙ୍କ ଆକଳନ ଅନୁସାରେ ଥଣ୍ଡାର ଦୋହରା ଆକ୍ରମଣ ୧୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ୧୦ ଓ ୧୧ ଜାନୁୟାରୀରେ କିଛି ଅଞ୍ଚଳରେ ହାଲୁକା ବର୍ଷା ହେବ। ଏହା ଯୋଗୁ ତାପରେ ପରିବର୍ତ୍ତନ ହୋଇପାରେ ବୋଲି ଆଇଏମଡି ଆକଳନ କରିଛନ୍ତି।